ଜନନୀ ଗୌରବ ପରିଷଦର ସାମ୍ବାଦିକ ସମ୍ମିଳନୀ

0
IMG-20260804-WA0026

ଧାମନଗର,୦୪/୦୮ : ଧାମନଗରରେ ଦେଖା ଦେଇଥିବା ଗମ୍ଭୀର ବନ୍ୟା ପରିସ୍ଥିତିକୁ ସଫଳତାର ସହିତ ପରିଚାଳନା କରିବା କ୍ଷେତ୍ରରେ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ଦକ୍ଷତା ଦେଖାଇଛନ୍ତି। ସେ କହିଥିବା ବିପଦ ବେଳେ ଓଳି ତଳେ ଛିଡ଼ା ହେବି କଥାକୁ ସେ ବନ୍ୟା ଭଳି ବଡ଼ ବିପତ୍ତି ସମୟରେ ପ୍ରମାଣିତ କରିଛନ୍ତି ବୋଲି ମଙ୍ଗଳବାର ଧୂଷୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜନନୀ ଗୌରବ ପରିଷଦ ପକ୍ଷରୁ କୁହାଯାଇଛି।ଭଦ୍ରକ ଜିଲ୍ଲା ପରିଷଦର ପ୍ରାକ୍ତନ ଉପାଧ୍ୟକ୍ଷ ରଞ୍ଜିତା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପରିଷଦର କର୍ମକର୍ତ୍ତା କହିଛନ୍ତି ଯେ ଏଥର ବନ୍ୟା ମୁକାବିଲା କରିବା ସରକାର ଏବଂ ପ୍ରଶାସନ ପାଇଁ ଏକ ଆହ୍ୱାନ ଥିଲା।

ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଗକୁ ଆସି ସରକାର ପ୍ରଶାସନ ଏବଂ ଯୁବ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ସମନ୍ବୟ ରଖି ବନ୍ୟା ପରିସ୍ଥିତିକୁ ସମ୍ମୁଖୀନ ହେଲେ। ଧାମନଗର ଏବଂ ତିହିଡିର ଅଶୀ ପ୍ରତିଶତ ଅଞ୍ଚଳ ଗୁରୁତର ବନ୍ୟାରେ ପ୍ରଭାବିତ ହେଉଥିବା ବେଳେ ନିଜେ ମନ୍ତ୍ରୀ ଶ୍ରୀ ସୂରଜ ଜୀବନକୁ ବାଜି ଲଗାଇ ରାତିରେ ବିଭିନ୍ନ ନଦୀ ବନ୍ଧ ସ୍ଥିତି ଅନୁଧ୍ୟାନ କଲେ। ସ୍ରୋତ ମୁହଁରେ ଖସି ଯାଉଥିବା ବୋଟକୁ ଭିଡ଼ି ଧରି ସହଯୋଗୀଙ୍କ ସୁରକ୍ଷା ଦେବା ତାଙ୍କ ସାହସ ଓ ସେବାର ବଡ଼ ଉଦାହରଣ। ପ୍ରାକୃତିକ ବିପର୍ଯ୍ୟୟରେ ଧନୀ ଗରିବ ସବୁ ସମାନ। ଏଭଳି ସ୍ଥିତିରେ ତାଙ୍କ ଦୂରଦୃଷ୍ଟି ଯୋଗୁଁ ସଂଖ୍ୟାଧିକ ଓଡ୍ରାଫ ଏନଡ଼ିଆରଏଫ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲା ଏବଂ ୧୯ଟି ସ୍ଵତନ୍ତ୍ର ଅପରେସନ ଦ୍ୱାରା ୫୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର ସମ୍ଭବ ହୋଇଥିଲା। ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଶୁଖିଲା ଏବଂ ରନ୍ଧାଖାଦ୍ୟ ପହଞ୍ଚା ଯାଇଥିଲା।ଧାମନଗରରେ ୨.୬୬ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ସହିତ ୯୩ କ୍ୱିଣ୍ଟାଲ ଚୁଡ଼ା, ୯.୩୦ କ୍ୱିଣ୍ଟାଲ ଗୁଡ଼ ଯୋଗାଇ ଦିଆଯାଇଛି। ୧୨୩ ମେଟ୍ରିକ ଟନ ଗୋ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି।

ବନ୍ୟାଞ୍ଚଳରେ ତାଙ୍କ ପ୍ରୟାସ ଯୋଗୁଁ ପ୍ରଥମଥର ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ବନ୍ୟା ଜଳରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇ ବିପନ୍ନଙ୍କ ଜଳ କଷ୍ଟ ଦୂର ପାଇଁ ୩୨ ହଜାର ପାଣି ପାଉଚ ସହିତ ୭୨ ହଜାରରୁ ଅଧିକ ବୋତଲ ପାଣି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦଶ କିଲୋର ଚାଉଳ ଦିଆଯିବା ମଧ୍ୟ ସାହାୟ ହୋଇଥିଲା। ବନ୍ୟା ପରବର୍ତ୍ତୀ କାଳରେ ରୋଗ ବ୍ୟାପିବା ଭୟ ଥିବାରୁ ଏଦିଗକୁ ମଧ୍ୟ ଦୃଷ୍ଟି ଦିଆଯାଉଛି।

ସବୁ ଦିଗକୁ ଗୁରୁତ୍ୱ ଦେବା ହେତୁ ଧାମନଗରରେ ବନ୍ୟା ମୁକାବିଲାରେ ତ୍ରୁଟି ପରିଲକ୍ଷିତ ହୋଇନି। ଜଣେ ଯୁବ ମନ୍ତ୍ରୀ ନିଜକୁ ସେବକ ଭାବରେ ଉପସ୍ଥାପିତ କରି ଆଜି ବି ବନ୍ୟା ଦୁର୍ଗତଙ୍କ ନିକଟକୁ ଯାଇ ସେମାନଙ୍କ ପାଖରେ ଛିଡ଼ା ହେବା ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଏବଂ ସେ କଥା ଦେଇ କଥା ରଖିଛନ୍ତି ବୋଲି ସମ୍ମିଳନୀରେ କୁହାଯାଇ ଧାମନଗର ନିର୍ବାଚନ ମଣ୍ଡଳୀର ମାତୃଶକ୍ତି ପକ୍ଷରୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟ କାମନା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଉମାମଣି ସାହୁ, ସରପଞ୍ଚ ମିନତୀ ସାହୁ, ସମାଜସେବୀ ଶୁଭଶ୍ରୀ ନାୟକ, ସୁଜାତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମାଜସେବୀ କବିତା ସାହୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *

You may have missed