ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କଲେ ଉଦ୍‌ଘାଟନ
1 min read

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କଲେ ଉଦ୍‌ଘାଟନ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ ତାରିଖ ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲତୋଡ଼ା ଦେଇ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ କଟକ ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ସଶସ୍ତ୍ର ପୁଲିସ କର୍ମଚାରୀ ନିୟୋଜିତ ଥିଲେ।

ଆଜି ସନ୍ଧ୍ୟାରେ କଟକସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଶୁଭ ଉଦ୍‌ଘାଟନ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଗୌରବମୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜଗଦ୍‌ଗୁରୁ କୃପାଳୁଜୀ ଯୋଗ ସଂଗଠନର ପ୍ରତିଷ୍ଠାତା ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ। ଉଦ୍‌ଘାଟନୀ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ପ୍ରମୁଖ ବୃକ୍ଷଚାରା ରୋପଣ କରିଥିଲେ।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ରାଷ୍ଟ୍ରପତି ଅଗଷ୍ଟ ୪ ତାରିଖରେ ଭୁବନେଶ୍ୱରରୁ ଟ୍ରେନ୍‌ରେ ବ୍ରହ୍ମପୁର ଯାତ୍ରା କରିବେ। ସେଠାରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବା ସହ ଆଳତୀ କରିବେ। ଓଡ଼ିଶା ଗସ୍ତ ଶେଷ କରି ସେ ଅଗଷ୍ଟ ୫ ତାରିଖରେ ଦିଲ୍ଲୀ ଫେରିଯିବେ।

@PRAJATANTRA

Leave a Reply

Your email address will not be published. Required fields are marked *