ପୁରୀରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ: ଜଳବନ୍ଦୀ ସମସ୍ୟା ମୋକାବିଲା ଓ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା
1 min read

ପୁରୀରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ: ଜଳବନ୍ଦୀ ସମସ୍ୟା ମୋକାବିଲା ଓ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା

ପୁରୀ, ୨୩/୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ବିଜେ ପାଇଁ ପୁରୀ ପ୍ରଶାସନ, ପୋଲିସ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱଶେଷ ବ୍ୟବସ୍ଥା କରାଯାଇଛି।

ଗତ ଜୁଲାଇ ୧୬ ତାରିଖ ଗୁଣ୍ଡିଚା ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବାହୁଡ଼ା ଯାତ୍ରା ମାଧ୍ୟମରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ପରବର୍ତ୍ତୀ ସମୟରେ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ ନୀତି ମାଧ୍ୟମରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନରେ ବିରାଜମାନ କରିବେ।

ପ୍ରଶାସନିକ ଓ ସୁରକ୍ଷା ପ୍ରସ୍ତୁତି

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସମ୍ପନ୍ନ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣି ନିଷ୍କାସନ ପାଇଁ ଡିୱାଟରିଂ ପମ୍ପ (Dewatering Pumps) ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି।

  • ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ: ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରକାଶ କରିଛନ୍ତି ଯେ, ଗୁଣ୍ଡିଚା ଯାତ୍ରା ତୁଳନାରେ ବାହୁଡ଼ାରେ ଭକ୍ତଙ୍କ ସଂଖ୍ୟା କିଛିଟା କମ୍ ଥିଲେ ମଧ୍ୟ ସୁରକ୍ଷା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣରେ କୌଣସି କୋହଳ କରାଯିବ ନାହିଁ। ଶନିବାର ସୁନାବେଶ ପାଇଁ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି।
  • ଟ୍ରାଫିକ୍ ବ୍ୟବସ୍ଥା: ଏଡିଜି ଅମିତାଭ ଠାକୁର ଓ ଡିଆଇଜି କାହ୍ନୁ ବିଶାଳ ସିଂହଙ୍କ ସୂଚନା ଅନୁଯାୟୀ, ୮,୫୦୦ ଚାରିଚକିଆ, ୩୦,୦୦୦ ଦୁଇଚକିଆ ଏବଂ ୮୦୦ ବସ୍ ପାର୍କିଂ ପାଇଁ ୩୦ଟି ସ୍ଥାନ ଚିହ୍ନଟ କରାଯାଇଛି। ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମାଧ୍ୟମରେ ସମଗ୍ର ସହରର ଟ୍ରାଫିକ୍ ଉପରେ କଡ଼ା ନଜର ରଖାଯାଇଛି।

ନୀତିକାନ୍ତି ଓ ସମୟସୂଚୀ

ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ବୈଠକ ଅନୁଯାୟୀ ସମସ୍ତ ନୀତି ସମୟାନୁସାରେ ସମ୍ପାଦନ କରାଯିବ:

  • ଭୋର ୪:୦୦: ମଙ୍ଗଳ ଆଳତି
  • ସକାଳ ୪:୧୫: ମାଜଣା/ମାଇଲମ
  • ସକାଳ ୪:୩୦: ତଡ଼ପଲାଗି ଓ ରୋଷ ହୋମ
  • ସକାଳ ୫:୦୦: ଅବକାଶ
  • ସକାଳ ୫:୧୪: ସୂର୍ଯ୍ୟ ପୂଜା
  • ସକାଳ ୫:୩୦: ଦ୍ୱାରପାଳ ପୂଜା
  • ସକାଳ ୫:୦୦: ବେଶ ଶେଷ
  • ସକାଳ ୫:୪୫ – ୬:୪୫: ଗୋପାଳ ବଲ୍ଲଭ ଓ ସକାଳ ଧୂପ
  • ସକାଳ ୭:୦୦ – ୧୧:୩୦: ସେନାପଟା ଲାଗି
  • ପୂର୍ବାହ୍ନ ୧୧:୪୫: ମଙ୍ଗଳାର୍ପଣ
  • ମଧ୍ୟାହ୍ନ ୧୨:୦୦ – ଅପରାହ୍ନ ୨:୩୦: ବାହୁଡ଼ା ପାହଣ୍ଡି
  • ଅପରାହ୍ନ ୧:୦୦ – ୨:୩୦: ବେଶ ଶେଷ
  • ଅପରାହ୍ନ ୨:୩୦ – ୩:୩୦: ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା
  • ଅପରାହ୍ନ ୩:୦୦ – ୪:୦୦: ଚାରମାଳ ଫିଟା ଓ ଘୋଡ଼ା ଲାଗି
  • ଅପରାହ୍ନ ୪:୦୦: ରଥ ଟଣା ଆରମ୍ଭ

ସନ୍ଧ୍ୟା ଦର୍ଶନରେ ଭାବବିହ୍ୱଳ ଭକ୍ତ

ଗୁରୁବାର ସନ୍ଧ୍ୟାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସନ୍ଧ୍ୟା ୬ଟାରେ ଦର୍ଶନ ବନ୍ଦ ହେବା ପରେ ଅନେକ ଭକ୍ତ ଶେଷ ଦର୍ଶନ ପାଇବାରୁ ବଞ୍ଚିତ ହୋଇ ଅଶ୍ରୁପୂର୍ଣ୍ଣ ନୟନରେ ଫେରିଥିଲେ, ଯାହା ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କ ଅତୁଳନୀୟ ଭକ୍ତି ଓ ଆବେଗକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *