ଫିଫା ବିଶ୍ୱକପ ହିରୋଙ୍କ ଭାରତ ଲିଙ୍କ୍
1 min read

ଫିଫା ବିଶ୍ୱକପ ହିରୋଙ୍କ ଭାରତ ଲିଙ୍କ୍

ନୂଆଦିଲ୍ଲୀ,୨୩/୭: ଫେରାନ୍ ଟୋରେସ୍ ଫିଫା ବିଶ୍ୱକପ୍‌ର ଇତିହାସରେ ସବୁ ଦିନ ପାଇଁ ନିଜ ନାଁକୁ ଲିପିବଦ୍ଧ କରିଦେଇଛନ୍ତି।ଫାଇନାଲ ମ୍ୟାଚ୍‌ର ୧୦୬ତମ ମିନିଟ୍‌ରେ ତାଙ୍କର ଶକ୍ତିଶାଳୀ ଶଟ୍ ସ୍ପେନ୍‌କୁ ଦ୍ୱିତୀୟଥର ପାଇଁ ବିଶ୍ୱଚାମ୍ପିୟନ କରାଇ ଦେଇଛି। ଏହି ବିଜୟୀ ଗୋଲ୍ ପାଇଁ ବିଶ୍ୱ ତାଙ୍କୁ ସବୁବେଳେ ମନେ ରଖିବ। 

୨୬ ବର୍ଷୀୟ ଏହି ଫରୱାର୍ଡ କ୍ଲବ୍ ଫୁଟବଲ୍‌ରେ ଏଫ୍‌ସି ବାର୍ସେଲୋନା ପାଇଁ ଖେଳନ୍ତି। ଏବେ ତାଙ୍କ ଟ୍ରଫି କ୍ୟାବିନେଟ୍‌ରେ ଦୁଇଟି ସର୍ବବୃହତ୍ ଅନ୍ତର୍ଜାତୀୟ ଟ୍ରଫି ରହିଛି। କିନ୍ତୁ ଅନେକ ଜାଣି ନଥିବେ ଯେ ସ୍ପେନ୍‌ର ଫିଫା ବିଶ୍ୱକପ୍ ୨୦୨୬ର ହିରୋ ଫେରାନ୍ ଟୋରେସ୍‌ଙ୍କର ଭାରତ ସହ ବିଶେଷ ସମ୍ପର୍କ ରହିଛି। ବିଶ୍ୱକପ୍ ଫାଇନାଲ୍‌ରେ ତାଙ୍କ ଗୌରବମୟ ବିଜୟୀ ଗୋଲ୍‌ର ପ୍ରାୟ ୯ ବର୍ଷ ପୂର୍ବରୁ ୧୭ ବର୍ଷ ବୟସର ଜଣେ ଯୁବ ଖେଳାଳି ଭାବେ ଫେରାନ୍ ଟୋରେସ୍ ଭାରତ ଆସିଥିଲେ। ଏଠାରେ ସେ ସ୍ପେନ୍‌କୁ ଫିଫା ଅଣ୍ଡର ୧୭ ବିଶ୍ୱକପ୍ ୨୦୧୭ରେ ରୌପ୍ୟ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ସେତେବେଳେ ଭାଲେନ୍ସିଆର ଏକାଡେମୀର ଖେଳାଳି ଥିଲେ ଫେରାନ। ଟିମରେ ପ୍ରାୟତଃ ରାଇଟ୍-ୱିଙ୍ଗର୍ ଭାବେ ଖେଳୁଥିବା ଫେରାନ୍ ଫାଇନାଲ୍ ପର୍ଯ୍ୟନ୍ତ ସ୍ପେନ୍‌ର ଯାତ୍ରାରେ ୨ଟି ଗୋଲ୍ ଓ ୨ଟି ଆସିଷ୍ଟ୍ କରିଥିଲେ। ଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ସ୍ପେନ୍‌ର ୨-୫ ପରାଜୟ ମ୍ୟାଚ୍‌ରେ ମଧ୍ୟ ସେ ଷ୍ଟାର୍ଟିଂ ଏକାଦଶରେ ରହିଥିଲେ। ରବିବାର ଫାଇନାଲରେ ଐତିହାସିକ ଗୋଲ୍ ମାରିବାର ଅନେକ ବର୍ଷ ପୂର୍ବରୁ ଫେରାନ୍‌ଙ୍କ ଅସାଧାରଣ ପ୍ରତିଭାର ପ୍ରଥମ ଝଲକ ଭାରତର କୋଚି ସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ୍ ଓ କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଦେଖିବାକୁ ମିଳିଥିଲା। ସ୍ପେନ୍‌ର ୨୦୨୬ ବିଶ୍ୱକପ୍ ବିଜେତା ଦଳରେ ଆଉ ଜଣେ ଏମିତି ଖେଳାଳି ଅଛନ୍ତି, ଯିଏ ଭାରତୀୟ ମାଟିରେ ମଧ୍ୟ ନିଜ ପ୍ରତିଭାର ପ୍ରଥମ ଛାପ ଛାଡ଼ିଥିଲେ। ଫେରାନ୍‌ଙ୍କ ବାର୍ସେଲୋନା ସାଥୀ ଓ ସେଣ୍ଟର୍-ବ୍ୟାକ୍ ଏରିକ୍ ଗାର୍ସିଆ ମଧ୍ୟ ସେହି ସ୍ପେନ୍ ଅଣ୍ଡର ୧୭ ଟିମର ସଦସ୍ୟ ଥିଲେ, ଯିଏ ଭାରତ ଗସ୍ତ କରିଥିଲା। ଆର୍ଜେଣ୍ଟିନା ବିପକ୍ଷରେ ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲ୍‌ରେ ଏରିକ୍ ମାତ୍ର ୨୧ ମିନିଟ୍ ପାଇଁ ପଡ଼ିଆରେ ନଜର ଆସିଥିଲେ। 

ବିଶ୍ୱକପ୍ ଫାଇନାଲ୍‌ରେ ଫେରାନ୍ ସଠିକ୍ ସମୟରେ ସଠିକ୍ ସ୍ଥାନରେ ଥିଲେ। ନିକୋ ୱିଲିୟମ୍ସଙ୍କ ହେଡର୍ ପୋଷ୍ଟରେ ବାଜି ଫେରିଆସିବା ମାତ୍ରେ ଟୋରେସ୍ ବିଜୁଳି ବେଗରେ ପ୍ରତିକ୍ରିୟା ଦେଖାଇ ୧୦୬ତମ ମିନିଟ୍‌ରେ ବଲ୍‌କୁ ନେଟ୍‌ ଭିତରକୁ ମାରିଦେଇଥିଲେ। ଏଥିପାଇଁ ତାଙ୍କୁ ଫାଇନାଲରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି। ସେହିପରି ସ୍ପେନ୍ ପାଇଁ ବିଶ୍ୱକପ୍ ବିଜୟୀ ଗୋଲ୍ କରିଥିବା ଖେଳାଳି ଆନ୍ଦ୍ରେସ୍ ଇନିଏସ୍ତାଙ୍କ ସହ ନିଜକୁ ସମକକ୍ଷ କରିପାରିଛନ୍ତି।  ବିପୁଳ ସଂଖ୍ୟାର ଦର୍ଶକ ସାମ୍ନାରେ ପ୍ରଦର୍ଶନ କରିବା ଫେରାନ୍‌ଙ୍କ ପାଇଁ ନୂଆ କଥା ନୁହେଁ। କ୍ୟାମ୍ପ ନୌରେ ସେ ପ୍ରତି ସପ୍ତାହରେ ପ୍ରାୟ ୧ ଲକ୍ଷ ଦର୍ଶକଙ୍କ ସାମ୍ନାରେ ଖେଳନ୍ତି। ଏବେ ସେ ବିଶ୍ୱକପ୍ ଫାଇନାଲ୍‌ରେ ୮୦ ହଜାରରୁ ଅଧିକ ଦର୍ଶକଙ୍କ ସାମ୍ନାରେ ସ୍ମରଣୀୟ ବିଜୟୀ ଗୋଲ୍ କରିଛନ୍ତି। କିନ୍ତୁ ଖଚାଖଚ ଭିଡ଼ ଷ୍ଟାଡିୟମ୍‌ରେ ଖେଳିବାର ପ୍ରଥମ ଅନୁଭବ ଫେରାନ ୨୦୧୭ରେ ଭାରତର କୋଚି ଓ କୋଲକାତାରେ ପାଇଥିଲେ। ସେ ନିଜ କ୍ୟାରିୟରର ପ୍ରଥମ ବଡ଼ ସମ୍ମାନ ଭାରତରେ ହିଁ ଜିତିଥିଲେ।

Leave a Reply

Your email address will not be published. Required fields are marked *