ଆଡ଼ପ ମଣ୍ଡପରେ ଶ୍ରୀ ବଳଦେବଜୀଉ
କେନ୍ଦ୍ରାପଡା, ୧୯।୭: ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୂ ଶ୍ରୀ ବଳଦେବଜୀଉ ଭାଇ ଶ୍ରୀ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ଯାତ୍ରାରେ ମାଉସୀ ମା ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି । ରଥଯାତ୍ରାର ତୃତୀୟ ଦିବସରେ ପହଣ୍ଡି କରିବା ପରେ ଶନିବାର ବିଳମ୍ବିତ ରାତିରେ ଚତୁର୍ଦ୍ଦା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ।
ଆଡ଼ପ ମଣ୍ଡପ ମଣ୍ଡପରେ ଦର୍ଶନ କରିବାର ପୂଣ୍ୟ ପାଇବା ପାଇଁ ରବିବାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା । ଭକ୍ତମାନେ ବ୍ୟାକୁଳ ହୋଇ ଶ୍ରୀଜୀଉଙ୍କ ଦର୍ଶନଲାଭ କରିଥିଲେ । ଆଜି ଆଡ଼ପ ଅବଢା ମଧ୍ୟ ଭକ୍ତମାନେ ପାଇଥିଲେ । ଆଡ଼ପ ମଣ୍ଡପ ଅବଢା ଶ୍ରୀମନ୍ଦିର ଅବଢା ଠାରୁ ଭିନ୍ନ ହୋଇଥାଏ । ଏହି ପ୍ରସାଦ ପାଇବା ପାଇଁ ଭକ୍ତମାନେ ବର୍ଷେ ଅପେକ୍ଷା କରିଥାନ୍ତି । ରଥଯାତ୍ରାର ଚତୁର୍ଥ ଦିନରେ ଏହି ଅବଢାକୁ ଦେଖି ଶ୍ରଦ୍ଧାଳୁମାନେ ଆନନ୍ଦର ସହ ଏହାକୁ ସେବନ କରିଥିଲେ ।
ଝିପି ଝିପି ବର୍ଷା ସତ୍ତ୍ୱେ ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପାଇଁ ତୁଳସୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ରାତି ୧୨ଟା ପର୍ଯ୍ୟନ୍ତ ମାଉସୀ ମା ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଥିଲା ।
ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ସନ୍ଧ୍ୟାରେ ମାଉସୀ ମା ମନ୍ଦିର ସାଂସ୍କୃତିକ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ବ୍ୟବସ୍ଥା ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଚିକାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । କେନ୍ଦ୍ରାପଡ଼ା ସହରସ୍ଥ କାକଟ ମଙ୍ଗଳା ନାଟ୍ୟ ପରିଷଦ ଦ୍ୱାରା ରାମଲୀଳା ପରିବେଷଣ କରାଯାଇଥିଲା ।
ପରିଷଦର ସଭାପତି ପୌରସଭ୍ୟ ଉମେଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଉଷାରାଣୀ ଗୀତିନାଟ୍ୟ ପରିଷଦ ପକ୍ଷରୁ ଗୀତିନାଟ୍ୟ ଅନୁଷ୍ଠିତ ହୋଇଥିଲା । ସଂସ୍କୃତି ବିଭାଗ ପକ୍ଷରୁ ରାଜକିଶୋର ଓ ଯୋଗଗୁରୁ ସଞ୍ଜୟ ମଥାନ ମଞ୍ଚ ପରିଚାଳନା କରିଥିଲେ । ଶ୍ରଦ୍ଧାଳୁମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।
