ବିରଳ ରୋଗରେ ପୀଡିତ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ
1 min read

ବିରଳ ରୋଗରେ ପୀଡିତ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ

ବୌଦ୍ଧ/ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢ଼ିଆଲି ଗ୍ରାମର ବାପା ହେରମ୍ବ ଗିରି ଓ ମାତା ବିଳାସ ଗିରିଙ୍କ କୋଳରେ ୭ ବର୍ଷ ପୂର୍ବେ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ଜନ୍ମର ଏକ ବର୍ଷ ପରେ ଦେହ ପୋଡି ଯିବା ଭଳି ଦେଖା ଦେଇଥିଲା। ସୂର୍ଯ୍ୟ କିରଣ ପଡିଲେ ଦେହ ଜଳାପୋଡ଼ା ହେଉଛି। ଦେହରେ କ୍ଷତ ହୋଇ ଯାଉଛି।ଏନେଇ ଝିଅର ଚିକିତ୍ସା ପାଇଁ ବୌଦ୍ଧ ମେଡିକାଲ ସହ ବୁର୍ଲା ମେଡିକାଲ, ଏମ୍ସ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ ବାପା ହେରମ୍ବ। ଚିକିତ୍ସାରେ କିଛି ପରିବର୍ତ୍ତନ ହେବା ପରେ ପୁଣି ସେଇ ଲକ୍ଷଣ ଦେଖାଦେଉଛି। ଏଥିରେ ବାପା ମାଆ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଘରେ ରଖିଥିବା ସମସ୍ତ ସମ୍ପତି ବିକି ଭାଙ୍ଗି ଝିଅର ଚିକିତ୍ସା କରିସାରିଲେଣି। ହେଲେ ସୁଫଳ ମିଳୁ ନାହିଁ।ଝିଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନଭେମ୍ବର ୨୨ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖରେ ଅଭିଯୋଗ କରିଥିଲେ। ଏକ ସ୍ୱତନ୍ତ୍ର ଟିମ କଟକ ମେଡିକାଲରେ ଏକ ମାସ ଚିକିତ୍ସା କରିଥିଲେ। ଝିଅର ଚିକିତ୍ସାରେ କିଛି ପରିବର୍ତ୍ତନ ନହେବାରୁ ଫେବ୍ରୁଆରି ୩ରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ।ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ଆଲୋଚନା କରିବା ସହିତ ଝିଅର ଚିକିତ୍ସା ପାଇଁ ତୁରନ୍ତ ୫ ଲକ୍ଷ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ଏହା ସହ ଏକ ଘର ଯୋଗାଇ ଦେବାସହ ଘରେ ଏକ ଏସି ଦେବାକୁ ପ୍ରତିଶ୍ରୁତି ଦେଇଥିବା ହେରମ୍ବ ସୂଚନା ଦେଇଛନ୍ତି।ଗୁରୁବାର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବୌଦ୍ଧ ଉପ ଜିଲ୍ଲାପାଳ ପ୍ରବୀଣ ବଣୁଆ , ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଡ଼ିଓ ଯୁଧିଷ୍ଠିର ମେହେର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ ପ୍ରମୁଖ ଗୁଢ଼ିଆଳି ଗ୍ରାମରେ ପହଞ୍ଚି ହେରମ୍ବଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏଥିପାଇଁ ହେରମ୍ବଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୌଦ୍ଧ ବିଧାୟକ, ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *