ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ

ଦୁବାଇ /ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ୨୦୨୩ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ବିଜୟ ପାଇଁ ୨୬୫ ରନର ଲକ୍ଷ୍ୟ ରଖାଯାଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ ଭଲ ଆରମ୍ଭ କରିଥିଲେ ବି ଗିଲ୍ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ । ତେବେ ରୋହିତ ଶର୍ମା ଓ ବିରାଟ କୋହଲି ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୮ ରନ କରି ଆଉଟ ହୋଇଥିଲେ ବି ବିରାଟ ଲଢୁଆ ବ୍ଯାଟିଂ କରି ଦଳକୁ ବିପଦମୁକ୍ତ କରିବା ସହ ବିଜୟରେ ସବୁଠାରୁ ବଡ ଯୋଗଦାନ ଦେଇଥିଲେ । ସେ ୮୪ରନ କରିଥିଲେ । ଶ୍ରେୟୟ ଆୟର ୪୫ ରନ ଓ କେଏଲ ରାହୁଲ ୪୨ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । 

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆକୁ ଆରମ୍ଭରୁ ବଡ଼ ଝଟକା ଦେଇଥିଲେ ଭାରତୀୟ ବୋଲର ମହମ୍ମଦ ସମ୍ମି । ସେ କୁପର କନୋଲିଙ୍କୁ ଶୂନ ରନରେ ପାଭିଲିୟନ ପଠାଇଦେଇଥିଲେ । ତେବେ ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ହେଡ୍ ୩୯ ରନ କରିଥିବାବେଳେ ୭୩ ରନ କରିଥିଲେ । ମାର୍ନ ଲାବୁସଚାନ ୨୯ ରନ କରିଥିବାବେଳେ ଆଲେକ୍ସ କେରି ୬୧ ରନ କରିଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଦଳ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସମ୍ମି ୩ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.