୩ ବର୍ଷ ମଧ୍ୟରେ ପ୍ରତି ଜିଲ୍ଲାରେ ‘କ୍ୟାନ୍‌ସର ଡେ କେୟାର ସେଣ୍ଟର’: ଜେପି ନଡ୍ଡା
1 min read

୩ ବର୍ଷ ମଧ୍ୟରେ ପ୍ରତି ଜିଲ୍ଲାରେ ‘କ୍ୟାନ୍‌ସର ଡେ କେୟାର ସେଣ୍ଟର’: ଜେପି ନଡ୍ଡା

ପୁରୀ/ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ତୃଣମୂଳସ୍ତରରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯିବ। ଚଳିତ ବର୍ଷ ଦେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ୨୦୦ ‘କ୍ୟାନ୍‌ସର ଡେ କେୟାର ସେଣ୍ଟର’ ସ୍ଥାପିତ ହେବ। ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତି ଜିଲ୍ଲାରେ ‘କ୍ୟାନ୍‌ସର ଡେ କେୟାର ସେଣ୍ଟର’ ସ୍ଥାପନ ସହିତ କେମୋ ଥେରାପି ସୁବିଧା ଉପଲବ୍ଧ ହେବ। ସ୍ବାସ୍ଥ୍ୟ କ୍ଷେତ୍ରରେ ଅର୍ଥ କେବେ ବି ପ୍ରତିବନ୍ଧକ ହେବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପୁରୀ ସ୍ବସ୍ତି ବିଚ୍‌ ରିସୋର୍ଟ ପରିସରରେ ଅନୁଷ୍ଠିତ ୯ମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀକୁ ଶୁକ୍ରବାର ଉଦ୍‌ଘାଟନ କରି ଶ୍ରୀ ନଡ୍ଡା କହିଲେ, ମାତୃ ଓ ଶିଶୁ ମୃତ୍ୟୁହାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ତୃଣମୂଳସ୍ତରରେ ଆଶାକର୍ମୀଙ୍କ ସକ୍ରିୟ ଭାଗିଦାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବାରେ ସହାୟକ ହୋଇଛି। ଦେଶର ୧ଲକ୍ଷ ୭୬ ହଜାର ଆରୋଗ୍ୟ ମନ୍ଦିରରେ ୩୭ କୋଟି ବ୍ୟକ୍ତିଙ୍କର ମଧୁମେହ, ରକ୍ତଚାପ ଓ ତିନି ପ୍ରକାରର କ୍ୟାନ୍‌ସରର ସ୍କ୍ରିନିଂ କରାଯାଉଛି। ଏହା ଅର୍ଥ ଓ ସମୟ ବଞ୍ଚାଇବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ସମୟୋପଯୋଗୀ ସେବା ଦେବାରେ ସହାୟକ ହେବ। ତୃଣମୂଳସ୍ତରରେ ସ୍ବାସ୍ଥ୍ୟକର୍ମୀଙ୍କ ତତ୍ପରତା ଯୋଗୁ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର, ମ୍ୟାଲେରିଆ, ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ଜନପ୍ରତିନିଧିଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ନଡ୍ଡା କହିଥିଲେ।

୯ମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ

୫ ହଜାର ଡାକ୍ତର ପଦବି ପୂରଣ ହେବ: ମୁଖ୍ୟମନ୍ତ୍ରୀ
ସମସ୍ତ ପଞ୍ଚାୟତରେ ହେବ ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’
୭୩୫୮ ପିଏଚ୍‌ସି ଓ ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ ବିକଶିତ କରାଯିବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଆମର ଲକ୍ଷ୍ୟ। ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସହର ଓ ଗ୍ରାମାଞ୍ଚଳରେ ଥିବା ୭୩୫୮ ପିଏଚ୍‌ସି ଓ ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ ବିକଶିତ କରାଯିବ। ସେଠାରେ ଯୋଗ ସହ ସମସ୍ତ ପ୍ରକାରର ପ୍ରାଥମିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଏହାବ୍ୟତୀତ ରାଜ୍ୟରେ ୧୩୩୮ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ ହେବ। ଆସନ୍ତା ଶିକ୍ଷା ବର୍ଷରେ ଫୁଲବାଣୀ ଓ ଅନୁଗୁଳ ଜିଲ୍ଲାରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ମୋଟ୍‌ ୩୦ ଜିଲ୍ଲାରେ ୧୪ଟି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ କରାଯିବ। ୮ଟି ନୂଆ ସରକାରୀ ନର୍ସିଂ କଲେଜ ଖୋଲାଯିବ। ଏହାବ୍ୟତୀତ ୪ଟି ଡେଣ୍ଟାଲ୍‌ କଲେଜ ପାଇଁ ମଧ୍ୟ ଯୋଜନା ରହିଛି। ନିକଟରେ ୩୫୩୭ ଡାକ୍ତର ଓ ସ୍ବାସ୍ଥ୍ୟ ସେବା କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଖୁବଶୀଘ୍ର ଆଉ ୫ ହଜାର ଡାକ୍ତର ପଦବି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାର ଲୋକେ ଦେଶର ୨୯ ହଜାର ହସ୍ପିଟାଲରେ ଚିକିତ୍ସା ସେବା ପାଇପାରିବେ ବୋଲି ସେ କହିଥି‌ଲେ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଗତି ହୋଇଛି। ମେଡିକାଲରେ ପ୍ରସବହାର ୯୨.୨ ପ୍ରତିଶତ ବୃଦ୍ଧି ପାଇଛି। ଟିକାକରଣରେ ୯୦.୫ ପ୍ରତିଶତ ସଫଳତା ମିଳିଛି। ଶିଶୁ ଓ ମାତୃ ମୃତ୍ୟୁହାର ଲଗାତାର ହ୍ରାସ ପାଇଛି। ଓଡ଼ିଶା କ୍ୟାନ୍‌ସର କେୟାର ପ୍ରୋଗ୍ରାମ ଅଧୀନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୩୨ଟି ସେଣ୍ଟର୍‌ରେ କେମୋ ଥେରାପି ଉପଲବ୍ଧ ହେଉଛି। ଆୟୁଷ୍ମାନ ଭାରତ ଅନ୍ତର୍ଗତ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୩କୋଟି ୫୦ଲକ୍ଷ ଓଡ଼ିଶାବାସୀଙ୍କୁ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯିବା ନେଇ ବ୍ୟବସ୍ଥା ହେଉଛି। ୨ ବର୍ଷ ମଧ୍ୟରେ ଡାକ୍ତର ପଦବି ପୂରଣ କରାଯିବ। ତୃଣମୂଳସ୍ତରରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ସମସ୍ତ ଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହେବ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପି.ଏସ୍‌. ଶ୍ରୀବାସ୍ତବ, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଏମଡି ଆରାଧନା ପଟ୍ଟନାୟକ, ଯୁଗ୍ମ ସଚିବ ସୌରଭ ଜୈନ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଅଶ୍ବଥି ଏସ୍‌ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ସେମାନେ ଆପଣାଇଥିବା ଶ୍ରେଷ୍ଠ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ମତ ଆଦାନପ୍ରଦାନ କରିବେ। ଏଥିସହିତ ସମ୍ମିଳନୀରେ ଯୋଗ ସହ ସାଇକ୍ଲୋଥନ୍‌, ବିଚ୍‌ ୱାକାଥନ୍‌, ସ୍କ୍ରିନିଂ କ୍ୟାମ୍ପ, ସଚେତନତା ଓ ବାଲୁକା କଳା ପ୍ରଦର୍ଶିତ ହେବ।

Leave a Reply

Your email address will not be published. Required fields are marked *