ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି
1 min read

ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି

ପୁଅ ବାବୁସାନ୍‌ ଦେଲେ ମୁଖାଗ୍ନି

ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଅଶ୍ରୁଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଶୁକ୍ରବାର ଅପରାହ୍‌ଣରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ସ୍ବର୍ଗତଃ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି। ମରଶରୀରରେ ତାଙ୍କର ସୁପୁତ୍ର ବାବୁସାନ ମହାନ୍ତି ମୁଖାଗ୍ନି ଦେଇଥିଲେ। ଏହି ଶୋକାକୁଳ ପରିବେଶରେ ଉତ୍ତମ ମହାନ୍ତିଙ୍କ ସଂପର୍କୀୟ, ପ୍ରଶଂସକ, ଶୁଭେଚ୍ଛୁ ଆଦି ଉପସ୍ଥିତ ଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା। ଉତ୍ତମଙ୍କ ବିୟୋଗରେ ଓଲିଉଡ୍‌ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।

publive-image

ଗତ ୬ ତାରିଖ ଦିନ ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଥିଲା। ଏହା ପରେ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ୮ ତାରିଖରେ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଥିଲା। ‌ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା।

publive-image

ଉତ୍ତମ ମହାନ୍ତି ସୁସ୍ଥ ହୋଇ ଓଡ଼ିଶା ଫେରନ୍ତୁ ବୋଲି ସାରା ରାଜ୍ୟରେ ଶହଶହ ପ୍ରଶଂସକ ଆରୋଗ୍ୟ କାମନା କରିଥିଲେ। ତେବେ ଦୀର୍ଘ ୨୨ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ‌ଶେଷରେ ସେ ଗତକାଲି ରାତିରେ ଚିରବିଦାୟ ନେଇଗଲେ।

Uttam Mohanty
Uttam Mohanty Photograph: (PRAJATANTRA )

ଆଜି ପୂର୍ବାହ୍‌ଣରେ ତାଙ୍କର ମରଶରୀର ଦିଲ୍ଲୀରୁ ବାହାରୁ ଦିନ ପ୍ରାୟ ୧୧ଟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଥିଲା। ବିମାନବନ୍ଦରରୁ ମରଶରୀରକୁ ତାଙ୍କର ଜଗନ୍ନାଥ ବିହାରସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାରମାନେ, ପରିବାର, ଆତ୍ମୀୟସଜ୍ଜନ, ପ୍ରଶଂସକ ପ୍ରମୁଖ ଅନ୍ତିମ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।   

Leave a Reply

Your email address will not be published. Required fields are marked *