ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ‘ବଜେଟ୍‌ର ୮୫% ଅର୍ଥ ଖର୍ଚ୍ଚ କର’
1 min read

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ‘ବଜେଟ୍‌ର ୮୫% ଅର୍ଥ ଖର୍ଚ୍ଚ କର’

ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୧ ମାସ ଅଛି। ତେଣୁ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ବିଭିନ୍ନ ବିଭାଗକୁ ଯେଉଁ ଅର୍ଥ ବରାଦ କରିଥିଲେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତା’ର ଅନ୍ୟୁନ ୮୫% ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗୀୟ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ପରିମାଣ ମୋଟ ବଜେଟର ୮୧% ଥିବାରୁ ଚଳିତ ବର୍ଷ ଏହାକୁ ବଢ଼ାଇବାକୁ କୁହାଯାଇଛି। 

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରିବା ବେଳେ କହିଛନ୍ତି ଯେ ଚଳିତ ବର୍ଷ ନିର୍ବାଚନ, ନୂଆ ସରକାରଙ୍କ ଦାୟିତ୍ୱ ଗ୍ରହଣ ଏବଂ ସଂପୂର୍ଣ୍ଣ ବଜେଟ ସେପ୍ଟେମ୍ୱର ମାସରେ ହୋଇଥିବାରୁ ବରାଦ ଅର୍ଥ ଖର୍ଚ୍ଚ ହେବାରେ ସମସ୍ୟା ହୋଇଛି। ସେ ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗର ଖର୍ଚ୍ଚ ପରିମାଣ ସନ୍ତୋଷଜନକ ରହିଛି। କିନ୍ତୁ ଆମକୁ ରେକର୍ଡ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଏଥିପାଇଁ ବିଭାଗୀୟ ମନ୍ତ୍ରୀମାନେ ବିଭିନ୍ନ ଖର୍ଚ୍ଚ ପ୍ରସ୍ତାବକୁ ତୁରନ୍ତ ଅନୁଧ୍ୟାନ କରି ଅନୁମୋଦନ କରନ୍ତୁ। ବିଭିନ୍ନ କଲ୍ୟାଣ ଯୋଜନାରେ ଯେଉଁସବୁ ଦେୟ ପ୍ରଦାନ ବାକି ରହିଛି, ସେଗୁଡ଼ିକୁ ମଧ୍ୟ ନିୟମାନୁଯାୟୀ ତୁରନ୍ତ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୨୦୨୩-୨୪ରେ ୮୧% ଖର୍ଚ୍ଚ ହୋଇଥିଲା

ମୁଖ୍ୟମନ୍ତ୍ରୀ କହିଥିଲେ, କାର୍ଯ୍ୟକ୍ରମ ବ୍ୟୟ ଓ ପୁଞ୍ଜି ବ୍ୟୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ରୋଜଗାର ସୃଷ୍ଟି ହୁଏ ଓ ଅଭିବୃଦ୍ଧିରେ ଉନ୍ନତି ଆସେ। ଓଡ଼ିଶା ନିଜ ଘରୋଇ ଉତ୍ପାଦର ୬.୧% ପୁଞ୍ଜି ବ୍ୟୟ ବରାଦ କରିଛି। ସାରା ଦେଶରେ ଏହା ସବୁଠାରୁ ଅଧିକ। ଆମର ଲକ୍ଷ୍ୟ ହେଉଛି କୃଷିଭିତ୍ତିକ ଅର୍ଥନୀତି ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବା। ଏଥିପାଇଁ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ। ତେଣୁ ଏ କ୍ଷେତ୍ରରେ ମଧ୍ୟ ବ୍ୟାପକ ବିନିଯୋଗ ହେବା ଜରୁରି। ଲୋକଙ୍କ ସରକାର, ଲୋକଙ୍କ ବଜେଟ ପ୍ରସ୍ତୁତ କରିଛି। ଏସବୁ ଲୋକଙ୍କ ପାଇଁ ଯେପରି ଖର୍ଚ୍ଚ ହେବ, ସେଥିପାଇଁ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। 

ବୈଠକରୁ ଜଣାପଡ଼ିଛି ଯେ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ, ସ୍ୱାସ୍ଥ୍ୟ, ଜଳସଂପଦ, ପୂର୍ତ୍ତ, ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ ବିଭାଗ, ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ଆଦି ବିଭାଗ ଗୁଡ଼ିକର ଖର୍ଚ୍ଚ ଅପେକ୍ଷାକୃତ ଭଲ ରହିଛି । ଅନ୍ୟ ବିଭାଗ ଗୁଡ଼ିକ ମଧ୍ୟ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ସଚିବମାନେ ଉପସ୍ଥିତ ଥିଲେ। ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ବିଭିନ୍ନ ବିଭାଗର ଖର୍ଚ୍ଚ ସଂପର୍କରେ ଉପସ୍ଥାପନା ରଖିଥିଲେ।

Leave a Reply

Your email address will not be published. Required fields are marked *