ଲିଙ୍ଗରାଜ ମନ୍ଦିରରେ ଅଘଟଣ: ମହାଦୀପ ସହ ଖସିପଡ଼ିଲେ ସେବାୟତ
1 min read

ଲିଙ୍ଗରାଜ ମନ୍ଦିରରେ ଅଘଟଣ: ମହାଦୀପ ସହ ଖସିପଡ଼ିଲେ ସେବାୟତ

ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଗତକାଲିମହାଦୀପ ଉଠିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ବଡ଼ ଅଘଟଣ। ମହାଦୀପ ଧରି ଲୁହା ଶିକୁଳିରେ ମନ୍ଦିର ଚଢ଼ୁଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଅଘଟଣ ପରେ ମନ୍ଦିର ପରିସର‌ରେ ଏକ ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନଙ୍କ ମନରେ ବିଭିନ୍ନ ପ୍ରକାରର ଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚଢ଼ିଥିଲେ ଏବଂ ସ୍ବାଭାବିକ ଭାବେ ମନ୍ଦିର ଚୂଡ଼ାରେ ମହାଦୀପ ଲାଗିଥିଲା। ମହାଦୀପ ଦର୍ଶନ ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି ଆଧ୍ୟାତ୍ମିକ ପରିବେଶକୁ ଫେରିଥିଲେ। 

ମହାପ୍ରଭୁଙ୍କ ନୀତିକାନ୍ତି ପରେ ସେବାୟତ ଯୋଗେନ୍ଦ୍ର ଓ ଅନ୍ୟମାନେ ମହାଦୀପ ଧରି ମନ୍ଦିର ଚଢ଼ିବାକୁ ବାହାରିଥିଲେ। ଯୋଗେନ୍ଦ୍ର ମହାଦୀପ ଧରି ଆଗେଆଗେ ଶିକୁଳିରେ ଉଠିଥିଲେ। ସେ ପ୍ରାୟ ୧୦ ଫୁଟ୍‌ ଉଚ୍ଚକୁ ଉଠିଥିବା ବେଳେ ହଠାତ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡ, ମୁହଁ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା। ସେହିଭଳି ମହାଦୀପରୁ ତେଲ ଓ ନିଆଁ ଝୁଲ ପଡ଼ି ଆଉ କିଛି ସେବାୟତଙ୍କ ଗୋଡ଼ହାତରେ ଫୋଟକା ହୋଇଯାଇଥିଲା। ମନ୍ଦିର ଭିତରେ ଓ ବାହାରେ ପ୍ରବଳ ଭିଡ଼ ଥିବାରୁ ଆମ୍ବୁଲାନ୍‌ସରେ ତାଙ୍କୁ ହସ୍ପିଟାଲ୍‌ ନେବା କାଠିକର ହୋଇପଡ଼ିଥିଲ। ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ପ୍ରମୁଖ ହସ୍ପିଟାଲ୍‌ରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଚିକିତ୍ସା କଥା ବୁଝିଥିଲେ। 

ଏହି ଅଘଟଣକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରାଶାସନିକ ତ୍ରୁଟି ଓ ଅବହେଳାକୁ ଅନେକ ଦାୟୀ କରିଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ୍‌ ରାଣା କହିଛନ୍ତି ଯେ ଘଟଣା ପଛର କାରଣ ସଂପର୍କରେ ତଦନ୍ତ କରାଯିବ। ଆହତ ସେବାୟତଙ୍କ ଚିକିତ୍ସା ଓ ମନ୍ଦିରର ନୀତିକାନ୍ତି ବ୍ୟବସ୍ଥାରେ ଯେମିତି କୌଣସି ତ୍ରୁଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ସୂଚନାଯୋଗ୍ୟ, ଅଘଟଣ ପରେ ମହାଦୀପ ଉଠିଥିଲା ଏବଂ ପରେ ମନ୍ଦିରରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ରକ୍ତ ଛିଟା ପଡ଼ିଥିବାରୁ ବିଧି ଅନୁସାରେ ଶୋଧନ ନୀତି କରାଯାଇଥିଲା।

Leave a Reply

Your email address will not be published. Required fields are marked *