ଶିବମୟ ଦୈତ୍ୟନଗରୀ
1 min read

ଶିବମୟ ଦୈତ୍ୟନଗରୀ

ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ପବନରେ ଭାସି ଆସୁଥିଲା ମହାମୃତ୍ୟୁଞ୍ଜୟ ମନ୍ତ୍ରର ଧ୍ବନି। ଶିବ ପଞ୍ଚାକ୍ଷରରେ ପ୍ରକମ୍ପିତ ହେଉଥିଲା ଶିବାଳୟ। ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ରାତିଯାଏ ରାଜଧାନୀର ସମସ୍ତ ଶୈବପୀଠରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ବ୍ରତଧାରୀ ଦିନ ସାରା ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଉପବାସ ରହି ନିଜର ତଥା ପରିବାରର ମଙ୍ଗଳ ମନାସିଥିଲେ। ବିଳମ୍ବିତ ରାତି ଯାଏ ଲକ୍ଷ ଲକ୍ଷ ଦୀପଶିଖାରେ ଝଲସି ଉଠିଥିଲା ଶୈବପୀଠ। ‘ଓମ୍‌ ନମଃ ଶିବାୟ’ ମନ୍ତ୍ରର ଗୁଞ୍ଜରଣ ଏବଂ ହରିବୋଲ, ହୁଳହୁଳିରେ ରାତି ୧୦ଟା ୪୦ରେ  ମନ୍ଦିର ଚୂଡ଼ାକୁ ଉଠିଥିଲା ମହାଦୀପ।

ଏକାମ୍ର କ୍ଷେତ୍ର
ଚଳିତ ବର୍ଷ ଭକ୍ତଙ୍କ ଭିଡ଼ ଅଧିକ ଥିଲା। ଏକାମ୍ର କ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରକୁ ଗତକାଲି ରାତିଠାରୁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଥିଲା। ରାତି ପ୍ରାୟ ୧ଟାରୁ ବହୁ ଶ୍ରଦ୍ଧାଳୁ ଧାଡ଼ିରେ ଆସି ଠିଆ ହୋଇଥିଲେ। ଭୋର୍‌ ୩ଟା ବେଳକୁ ଭକ୍ତମାନେ ମନ୍ଦିର ବେଢ଼ାକୁ ପ୍ରବେଶ କରିଥିଲେ। ପ୍ରଶାସନ ପକ୍ଷରୁ ନିର୍ମିତ ବ୍ୟାରିକେଡ୍‌ ମଧ୍ୟରେ ଧାଡ଼ି ଲଗାଇଥିଲେ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଭୋର୍‌ ୪ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ଧାଡ଼ିରେ ଆସି ଦର୍ଶନ କରିବା ସହ ଭୋଗଲାଗି କରିଥିଲେ। ସକାଳୁ ନୂଆ ଲିଙ୍ଗରାଜ ମାର୍କେଟ ଆଡ଼କୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଧାଡ଼ି ଲମ୍ୱିଯାଇଥିଲା। ଦିନ ୧୧ଟାରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ନୀତି ପୂଜା କରାଯାଉଥିବା ବେଳେ ଦର୍ଶନ ଚାଲୁ ରହିଥିଲା। ତେବେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଖରାରେ ବହୁ ସମୟ ଧରି ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ। ମନ୍ଦିରରେ ପହୁଡ଼ ପଡ଼ି ନୀତି କାର୍ଯ୍ୟ କରାଯାଉଥିବାରୁ ମଧ୍ୟାହ୍ନରେ ଗହଳି ସାମାନ୍ୟ  କମିଯାଇଥିଲା। ଅପରାହ୍ଣରେ ସାହାଣମେଲା ହେବା ପରେ ହଜାର ହଜାର ଦର୍ଶନାର୍ଥୀ ପୁଣି ଧାଡ଼ି ବାନ୍ଧି ଆଡ଼କାଠରୁ ଦର୍ଶନ କରିଥିଲେ। ଅନେକ ଭକ୍ତ ମେଘନାଦ ପାଚେରି, ମନ୍ଦିର ସମ୍ମୁଖ ଖାଲିସ୍ଥାନ, ଦେବୀପାଦହରା ପୁଷ୍କରିଣୀ ନିକଟ, ଶୁକଶାରି ମନ୍ଦିର ପରିସର, ନୂଆ ଲିଙ୍ଗରାଜ ମାର୍କେଟ, ଲିଙ୍ଗରାଜ ହାଟ, ବ୍ୟବସାୟ ପ୍ରତିଷ୍ଠାନ ଓ ବିଭିନ୍ନ ଘରର ଛାତ ଉପରେ ମହାଦୀପ ଉଠିବାକୁ ଅପେକ୍ଷା କରି ରହିଥିଲେ।

ମନ୍ଦିରରେ ଅରାଜକତା

NEWS BY BIJAY KUMAR PANDA

ପୂର୍ବ ପ୍ରସ୍ତୁତି ବୈଠକରେ ହାତ ଗଣିତ ‌ସ୍ବେଚ୍ଛାସେବୀମାନଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାର ଶତାଧିକ ଯୁବକ ମନ୍ଦିର ପରିସରରେ ସେବା ନାମରେ ପଶିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଯୁବକମାନେ ଭକ୍ତଙ୍କୁ ହଇରାଣ କରୁଥିବା ମହିଳାମାନେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଚୁପ୍‌ ରହିଥିଲା। କାହା ସ୍ବାର୍ଥରେ ଗୋଟିଏ ସଂସ୍ଥାର ୧୦୦ଜଣ ଯୁବକ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ସେ ନେଇ ସେବାୟତମାନେ ପ୍ରଶ୍ନ କରିଥିଲେ। ସେବାୟତ ଗୋପାଳ ମକଦ୍ଦମଙ୍କ କହିବା ଅନୁଯାୟୀ ଯେଉଁ ସଂସ୍ଥାର ମୁଖ୍ୟ ମହିଳାଙ୍କୁ ଦୁର୍ବ୍ୟବହାର କରି ମନ୍ଦିରରୁ ତଡ଼ା ଖାଇଥିଲେ ସେହି ସଂସ୍ଥାର ଏତେ ଯୁବକ ଭକ୍ତଙ୍କୁ ହଇରାଣ କରୁଥିଲେ। ସେହିପରି ବହୁ ଯୁବକ ପାରମ୍ପରିକ ବେଶ ପୋଷାକରେ ସେବାୟତ ପରିଚୟ ଦେଇ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ପୁଲିସ ସେମାନଙ୍କୁ ଭିତରକୁ ଛାଡ଼ିବାରୁ ଭିଡ଼ ଅଧିକ ହୋଇଥିଲ। ସେହିପରି ଭକ୍ତମାନ ଫେରିବା ବାଟରେ ଭକ୍ତଙ୍କୁ ଭିତରକୁ ଛଡ଼ା ଯିବା ସହ ଅନ୍ୟ ଦୁଇଟି ବାଟ କରାଯିବାରୁ ସାଧାରଣ ଲୋକ ଅବାଧ ପ୍ରବେଶ କରିଥିଲେ। ଫଳରେ ସେଠାରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା।

ଟ୍ରାଫିକ୍ ବ୍ୟବସ୍ଥା ଫେଲ୍‌
ମହାଶିବରାତ୍ରି ପାଇଁ ପୁଲିସ ଟ୍ରାଫିକ୍‌ ବ୍ୟବସ୍ଥା ଫେଲ୍‌ ମାରିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଗାଡ଼ିକୁ ଅଟକାଯାଉଥିବା ବେଳେ ମାଳ ମାଳ ଭିଆଇପି ଗାଡ଼ି ଓ ପୁଲିସ ଗାଡ଼ିରେ ଦର୍ଶନ କରିବାକୁ ଯାଉଥିବା ଲୋକଙ୍କ ଗାଡ଼ି ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ଆସୁଥିଲା। ଡାକବଙ୍ଗଳା ଛକ ନିକଟରେ ଚାରିଚକିଆ ଯାନ ବନ୍ଦ କରାନଯିବାରୁ ଶତାଧିକ ୪ଚକିଆ ଗାଡ଼ି ମନ୍ଦିର ଆଡ଼କୁ ଆସିଥିଲା। ଫଳରେ ସକାଳେ ଓ ସନ୍ଧ୍ୟାରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସେଲ୍‌ଫି ମାନିଆ
ମନ୍ଦିର ନିକଟ ବିଭିନ୍ନ ସାଜସଜା ଓ ସୌନ୍ଦର୍ଯ୍ୟୀକରଣକୁ ନିଜ ମୋବାଇଲ୍‌ରେ କଏଦ କରି କିଛି ଯୁବକ ଯୁବତୀ ରିଲ୍ସ ଓ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। 

ପ୍ରସାଦ ପାଇଁ ଭିଡ଼
ଭୀମଟାଙ୍ଗିସ୍ଥିତ ମହାପ୍ରଭୁ ଶ୍ରୀଭୀମେଶ୍ବର ମନ୍ଦିର ପରିସରରେ ମହାଶିବରାତ୍ରି ସନ୍ଧ୍ୟାରେ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ବସି ରହି ଜାଗର ଜାଳିବା ସହ ମହାଦୀପ ଦର୍ଶନ କରିଥିଲେ। ପୂର୍ବାହ୍ନରେ ମଙ୍ଗଳ ଆଳତି ଓ ଅବକାଶ ପରେ ଅନ୍ୟ ନୀତି କରାଯାଇ ଚତୁର୍ଦ୍ଦଶୀ ନୀତି ଆରମ୍ଭ ହେବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ଯାଇଥିଲା। ରାତି ୧୦ଟାରେ ମହାଦୀପ ଉଠିଥିଲା। ମନ୍ଦିର ପରିଚାଳନା ସମିତିର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, କର୍ପୋରଟେର ଶିବନାରାୟଣ ରାୟ ଓ ସଭ୍ୟମାନଙ୍କ ଉପସ୍ଥିତିରେ ୫ହଜାର ଭକ୍ତଙ୍କୁ ଭୋଗ ପ୍ରଦାନ କରାଯାଇଥିଲା। 

ଅବଢ଼ାରେ ମନ
ଲିଙ୍ଗରାଜ ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିରରେ ଅବଢ଼ା ପାଇଁ ଲାଗିଥିଲା ଭିଡ଼। ଉପବାସ କରିଥିବା ଶ୍ରଦ୍ଧାଳୁ ମହାଦୀପ ଦର୍ଶନ ପରେ ଅବଢ଼ା ଖାଇଥିଲେ। ମହାଦେବଙ୍କ ଅବଢ଼ା ଟିକିଏ ପାଟିରେ ବାଜିଲେ ଆଜି ଦିନର ଉପବାସ ସାର୍ଥକ ହୁଏ ବୋଲି ବିଶ୍ବାସ ରହିଛି।

ଲିଙ୍ଗରାଜଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

hjnb

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପରିବାର ସହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏକାମ୍ର ସାଂସ୍କୃତିକ ମଞ୍ଚ ପକ୍ଷରୁ ଆୟୋଜିତ ଭଜନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ଏଏସ୍‌ଆଇ ଠାରୁ ଅନୁମତି ମିଳିଲା ପରେ ସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟରେ ଅର୍ଥ ବାଧକ ହେବ ନାହିଁ। ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ଏକାମ୍ର ସାଂସ୍କୃତିକ ମଞ୍ଚର ସଭାପତି ସୁରେଶ ରାଉତରାୟ, ଉପସଭାପତି ସମୀର ମହାନ୍ତି, ସମ୍ପାଦକ ସନତ ମିଶ୍ର, ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *