ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି
କଟକ,୯/୮: ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି । ଶୁକ୍ରବାର ସନ୍ଧ୍ୟା ସମୟରେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍ରେ ଘଟିଛି । ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳରେ । ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପୁଲିସ୍ ଓ ଅଗ୍ନିଶମ ବିଭାଗ । ରାମଚନ୍ଦ୍ର ଅଞ୍ଚଳର ଶତ୍ରୁଘ୍ନ ଲେଙ୍କା ପେସାରେ ଜଣେ ଡ୍ରାଇଭର । କଟକରେ ରହି ପ୍ରାଇଭେଟ୍ କାର ଚଲାନ୍ତି । ଆଜି ସନ୍ଧ୍ୟା ବେଳେ ସେ ଓ ତାଙ୍କ ପତ୍ନୀ ତ୍ରିଶୁଳି ବ୍ରିଜ୍ ପାଖକୁ ଆସିଥିଲେ । ବ୍ରିଜ୍ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ଭରା କାଠଯୋଡି ନଦୀକୁ ଡେଇଁ ପଡ଼ିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ବର୍ଷା ସତ୍ତ୍ୱେ ବ୍ରିଜ୍ ଉପରେ ଲୋକଙ୍କ ଗହଳି ଲାଗି ରହିଛି । ବାରଙ୍ଗ ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ହେଲେ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଦ୍ଧାରକାଳୀ ଦଳ ନଦୀ ଭିତରକୁ ପ୍ରବେଶ କରିବାକୁ ସାହସ କରିପାରୁନି । ମିଳିଥିବା ସୂଚନା ଅନୁସାରେ ଶତ୍ରୁଘ୍ନ ଓ ତାଙ୍କ ପତ୍ନୀଙ୍କୁ ମିଶାଇ କାଠଯୋଡ଼ିକୁ ଗତ ୧୫ ଦିନରେ ୬ ଜଣ ଡେଇଁଲେଣି । ସେମାନଙ୍କ ଭିତରୁ କିଛି ଲୋକଙ୍କ ମୃତଦେହ ମିଳିଥିବା ବେଳେ ଆଉ କେତେକଙ୍କ ଆଜି ପର୍ଯ୍ୟନ୍ତ ଚିହ୍ନବର୍ଣ୍ଣ ମିଳିନାହିଁ । ଗତ ୪ ତାରିଖରେ ଯୋବ୍ରା ବ୍ୟାରେଜରୁ କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ କାମିନୀ ସ୍ୱାଇଁ । ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍ ରେ ଭର୍ତ୍ତି କରିଛନ୍ତି । ପୂର୍ବରୁ କଟକ ଓଡ଼ିଆ ବଜାରର ଶିକ୍ଷୟିତ୍ରୀ ମମତା ସାହୁ ବ୍ରିଜ୍ ଉପରେ ସ୍କୁଟି ରଖି କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ । ତା’ପୂର୍ବରୁ ଭୁବନେଶ୍ୱରର ବ୍ୟବସାୟୀ ତୁଷାର ଭଟ୍ଟ ତ୍ରିଶୁଳିଆ ବ୍ରିଜ୍ରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ । କୁହାଯାଉଛି ଅନ୍ଲାଇନ୍ ଗେମ୍ ରେ ହାରି ଋଣଗ୍ରସ୍ତ ହୋଇଯାଇଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟାର ରାସ୍ତା ବାଛିଥିଲେ । ତାଙ୍କର ମୃତଦେହ ଆଜି ପର୍ଯ୍ୟନ୍ତ ମିଳିନି । ଗତ ଶୁକ୍ରବାର ରାତିରେ ଖାନ୍ ନଗର ଅଞ୍ଚଳର ମନୋଜ ବେହେରା ମଧ୍ୟ କାଠଯୋଡି ନଦୀକୁ ଡେଇଁଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କର ତାଙ୍କର ପତ୍ତା ମିଳିନି ।