ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
1 min read

ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ /ରାମଚଣ୍ଡୀ/ଭୁବନେଶ୍ୱର ୦୪-୦୨-୨୦୨୫(ପିପିଏସ) : ମଙ୍ଗଳବାର ପବିତ୍ର ମାଘମାସ ମାଘସପ୍ତମୀ ତିଥିରେ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪.୩୭ ମିନିଟରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବୁଡ଼ ପକାଇବା ଲାଗି ଗତକାଲିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ମାଘମାସ ସପ୍ତମୀ ତିଥିରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ବୁଡ଼ ପକାଇ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଏ ନେଇ ଆଜି ସୋମବାର ଷଷ୍ଠୀ ତିଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଦିନ ଓ ରାତିତମାମ ଚନ୍ଦ୍ରଭାଗା ମେଳାପଡ଼ିଆରେ ଆସି ପାରମ୍ପରିକ ରୀତି ଅନୁଯାୟୀ ଶ୍ରଦ୍ଧାଳୁମାନେ ବାଉଁଶ କଣି ଓ ବରଡ଼ାପତ୍ର କୁଡ଼ିଆ ତିଆରି କରି ସେଥିରେ ରହି ମାଟି ହାଣ୍ଡିରେ ଶୁଖୁଆ ଡାଲମା ରୋଷେଇ କରି ଖାଇଛନ୍ତି। ତେବେ ଅନେକ ସୋମବାର ହେତୁ ନିରାମିଷ ରାନ୍ଧି ଖାଇ ମାଟି ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି କୁଡ଼ିଆରେ ଶ୍ରଦ୍ଧାଳୁମାନେ ଵିଶ୍ରାମ ନେଇ ବୁଡ଼ ପକାଇବା ପାଇଁ ମାଘସପ୍ତମୀର ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ।

ନୀତି ଅନୁଯାୟୀ ମାଘମେଳାର ତିନି ଆରାଧ୍ୟଠାକୁର ମାଧିପୁରର ବାବା ଶ୍ରୀଶ୍ରୀଶ୍ରୀ ତ୍ରିବେଣୀଶ୍ବର , ସନ୍ଥପୁରର ବାବା ଐଶାନେଶ୍ବର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଥମେ ତୀର୍ଥପୁଷ୍କରିଣୀରେ ନୀତି ନିର୍ଘଣ୍ଟ ଅନୁଯାୟୀ ୪.୩୭ ମିନିଟରେ ସ୍ନାନ କରିବା ପରେ ସାଧୁସନ୍ଥମାନେ ସ୍ନାନ କରିବେ ତାପରେ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି।

ଶାନ୍ତିଶୃଙ୍ଖଳାରେ ବୁଡ଼ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଏସପିଙ୍କ ନେତୃତ୍ୱରେ ୬ ଜଣ ଅତିରିକ୍ତ ଏସପିଙ୍କ ଦାୟିତ୍ୱରେ ୧୩ ଜଣ ଡିଏସପି, ୩୯ ଜଣ ଆଇଆଇସିସି, ହାବିଲଦାର ୨୮ ଜଣ,  ୧୨୩ ଜଣ କନେଷ୍ଟବଳ , ୧୧୬ ଜଣ ଏଏସଆଇଓ ଏସଆଇଙ୍କ ସହିତ ୩୩ ପ୍ଲାଟୁନ ଫୋର୍ସ  ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି। 

xc

ବିଶେଷ ଭାବେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସହାୟତା ପାଇଁ ୩୫୦ ଜଣ ସ୍ବେଛାସେବୀ ମଧ୍ୟ ପ୍ରଶାସନ ସହିତ ମିଶି ଦିନ ରାତି କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି।  ବିଭିନ୍ନ ସଂଗଠନ ପକ୍ଷରୁ ସେବା କାର୍ଯ୍ୟକ୍ରମ ଚାଲିଥିବାବେଳେ  ବିଶେଷ ଭାବେ  ପୁରୀ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ସେବା ଶିବିର ଆୟୋଜନ ହୋଇଛି।

Leave a Reply

Your email address will not be published. Required fields are marked *