ଖଦୀ ମହୋତ୍ସବ ଉଦଘାଟିତ
କଟକ ୨୯-୦୧-୨୦୨୫(ପିପିଏସ ) : ଗ୍ରାମୀଣ ଭାରତର ଅଭିବୃଦ୍ଧି ଦ୍ୱାରା ହିଁ ଦେଶର ଅଭିବୃଦ୍ଧି ସମ୍ଭବ । ଦେଶର କୋଟି କୋଟି ଗ୍ରାମୀଣ ଜନସାଧାରଣଙ୍କ ଜୀବନକୁ ଉନ୍ନତ କରିବା ତଥା ରୋଜଗାର ବୃଦ୍ଧି କରିବା ଦ୍ୱାରା ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରାଯାଇପାରିବ । କେନ୍ଦ୍ର ସରକାରଙ୍କ କ୍ଷୁଦ୍ର, ଲଘୁ ଓ ମଧ୍ୟମ ମନ୍ତ୍ରଣାଳୟ ଅଧିନସ୍ଥ ଖଦୀ ଓ ଗ୍ରାମଦ୍ୟୋଗ ଆୟୋଗ ଆନୁକୂଲ୍ୟରେ ଆଜି କଟକ ଖ୍ରୀଷ୍ଟିଆନ ପଡିଆଠାରେ ଉଦଘାଟିତ ରାଜ୍ୟସ୍ତରୀୟ ଖଦୀ ମହୋତ୍ସବର ଉଦଘାଟନୀ ଅବସରରେ ବିଶିଷ୍ଟ ବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତିି । ମାନ୍ୟବର ସାଂସଦ ଭର୍ତୃହରି ମହତାବ, ଖଦୀ ଓ ଗ୍ରାମଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର, ଆୟୋଗର ପୂର୍ବାଞ୍ଚଳ ଜୋନ୍ ସଦସ୍ୟ ମନୋଜ କୁମାର ସିଂହ, ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ନିର୍ଦ୍ଦେଶକ କେଭିଆଇସିର ସୁବାସ ଛେତ୍ରୀ, ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡର ସଚିବ ସଞ୍ଜୟ କୁମାର ମିଶ୍ର, ପୂର୍ବାଞ୍ଚଳ ଜୋନର ଡେପୁଟି ଚିଫ ଏକଜ୍ୟୁକିଟିଭ ଅଫିସର ଆଇ. ଜବାହାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହୋତ୍ସବରେ ବିଭିନ୍ନ ରାଜ୍ୟର ପ୍ରାୟ ୧୦୦ରୁ ଅଧିକ ଷ୍ଟଲ ସ୍ଥାନ ପାଇଛି ଓ ଖଦୀ, ଗ୍ରାମଦ୍ୟୋଗ ଏବଂ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେଉଛି । ଏହି ପ୍ରଦର୍ଶନୀ ୧୦ ଦିନ ଧରି ଚାଲିବ ।
ଏହି ଅବସରରେ ଆଜି ପୂର୍ବାହ୍ନରେ ଗ୍ରାମଦ୍ୟୋଗ ବିକାଶ ଯୋଜନା ଅଧିନରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମଠାରେ ୬୦୦ରୁ ଅଧିକ କାରିଗରଙ୍କୁ ବୈଦ୍ୟୁତିକ କୁମ୍ଭାର ଚକ, ମହୁ ସଂଗ୍ରହ ଉପକରଣ, ତୈଳବୀଜରୁ ତେଲ ପ୍ରସ୍ତୁତି ମେସିନ୍, କାଗଜ ପ୍ଲେଟ ଓ ଦନା ତିଆରି ମେସିନ୍, ସବାଇ ଘାସରୁ ଦଉଡି ତିଆରି ମେସିନ୍, ମସଲା ପ୍ରସ୍ତୁତି ମେସିନ ଆଦି ବଂଟନ କରାଯାଇଥିଲା ।