ଦେଶର ଅଖଣ୍ଡତା ବଜାୟ ରଖିବା ସହ ସୁଶାସନ ଯୋଗାଇବା ଆମର ପରମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

କଟକ,୨୭-୦୧-୨୦୨୫-(ପିପିଏସ) : ୭୬ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି । ପ୍ରତ୍ଯେକ ଓଡିଶାବାସୀ, ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତ୍ଯେକ ଭାରତୀୟଙ୍କୁ ଆଜିର ଦିନର ଅନେକ ଅନେକ ଶୁଭେଚ୍ଛା। ଆମେ ଜାଣୁ ଆଧୁନିକ ଭାରତ ଇତିହାସରେ ଦୁଇଗୋଟି ଦିନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ, ୧୫ ଅଗଷ୍ଟ ୧୯୪୭, ଯେଉଁଦିନ ଆମ ଦେଶ ଭାରତ ଏକ ସ୍ଵାଧୀନ ରାଷ୍ଟ୍ର ଭାବେ ଜନ୍ମ ନେଲା ଏବଂ ୨୬ ଜାନୁଆରୀ ୧୯୫୦, ଯେଉଁଦିନ ଦେଶ ଏକ ଗଣତାନ୍ତ୍ରିକ ସାର୍ବଭୌମ୍ୟ ରାଷ୍ଟ୍ରରେ ପରିଣତ ହେଲା।
ପ୍ରତ୍ଯେକ ଭାରତବାସୀଙ୍କ ପାଇଁ ଏହି ଦୁଇଟି ଯାକ ଦିନ ସବୁଠାରୁ ବଡ ପର୍ବ। ଆମର ସ୍ଵାଧୀନତା ସଂଗ୍ରାମ ଏକ ସଙ୍ଘର୍ଷମୟ କାହାଣୀ, ବଳିଦାନର କାହାଣୀ ଓ ତ୍ୟାଗର ଗାଥା। ଏହି ସଂଘର୍ଷରେ ଲକ୍ଷ ଲକ୍ଷ ଦେଶବାସୀ ନିଜକୁ ଉତ୍ସର୍ଗ କରିଦେଇଥିଲେ। ସେମାନେ ତାଙ୍କର କୈଶୋର ଏବଂ ଯୌବନ ଦେଶ ଉଦ୍ଦେଶ୍ୟରେ ସମର୍ପି ଦେଇଥିଲେ, କାରଣ ଆମେ ଏକ ସ୍ଵାଧୀନ ଦେଶରେ ନିଶ୍ଵାସ-ପ୍ରଶ୍ବାସ ନେଇ ପାରିବା।ଆଜି ମୋର ପରମ ସୌଭାଗ୍ୟ ଯେ, ଆଜି ଏହି ମଞ୍ଚରୁ ମୁଁ ଦେଶର ସେଇ ସବୁ ମହାନ ଜନନାୟକ ଏବଂ ମନିଷୀ ମାନଙ୍କୁ ପ୍ରଣାମ କରିବାର ସୁଯୋଗ ପାଇଛି। ଆଜିର ଏହି ପବିତ୍ର ଦିନରେ ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଅବୁଲ କାଲାମ ଆଜାଦ, ବୀର୍ ସବରକର୍, ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର, ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ, ଲାଲା ଲାଜପତ ରାୟ, ବିପିନ ଚନ୍ଦ୍ର ପାଲ, ବାଲ ଗଙ୍ଗାଧର ତିଲକ, ସରୋଜିନୀ ନାଇଡୁ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପରି ମହାମନୀଷୀ ମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଆମ ରାଜ୍ୟ ଓଡିଶାରେ ମଧ୍ୟ ସ୍ଵାଧୀନତା ସଂଗ୍ରାମ ତଥା ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନରେ ଅନେକ ବୀର ସୁପୁତ୍ର ନିଜର ତ୍ୟାଗ ଓ ବଳିଦାନ ଦେଇଛନ୍ତି। ବୀର ସୁରେନ୍ଦ୍ର ସାଏ, ଶହୀଦ୍ ମାଧୋ ସିଂ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ୍ ଲକ୍ଷ୍ମଣ ନାୟକ, ଡକ୍ଟର ହରେକୃଷ୍ଣ ମହତାବ, ମା’ ରମାଦେବୀ, ଶହୀଦ୍ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରିଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏଥି ସହିତ ସାରା ଦେଶର ଲକ୍ଷ ଲକ୍ଷ ସ୍ଵାଧୀନତା ସଂଗ୍ରାମୀ ବୀର ଏବଂ ବିରଙ୍ଗନା ମାନଙ୍କୁ ମୋର ପ୍ରଣିପାତ। ଦେଶ ସ୍ଵାଧୀନ ହେବା ପରେ ସବୁଠାରୁ ବଡ ଆହ୍ଵାନ ଥିଲା ଏହାର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବା ସହିତ ଲୋକଙ୍କ ସ୍ଵପ୍ନର ଭାରତ ଗଠନ ପାଇଁ ଏକ ସୁଶାସନ ପ୍ରଦାନ କରିବା। ଏହି ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ତିନି ବର୍ଷର ବିଚାର ବିମର୍ଶ ପରେ ଦେଶକୁ ଭାରତୀୟ ସମ୍ବିଧାନର ଉପହାର ଦେଇଥିଲେ।ଡକ୍ଟର ବାବା ସାହେବ ଭୀମରାଓ ଅମ୍ବେଦକରଙ୍କ ଅଧ୍ଯକ୍ଷତାରେ ରଚିତ ବିଶ୍ଵର ଦୀର୍ଘତମ ଲିଖିତ ସମ୍ବିଧାନକୁ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଗୃହିତ କରାଯାଇ ୧୯୫୦ ମସିହା ଆଜିର ଦିନରେ କାର୍ଯ୍ୟକାରୀ କରଯାଇଥିଲା।
ସମ୍ବିଧାନକୁ ନିଜର ପ୍ରଥମ ଧର୍ମଗ୍ରନ୍ଥ ମାନୁଥିବା ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ପାଳନ କରିବା ପାଇଁ ୨୦୧୫ ମସିହାରେ ଘୋଷଣା କରିଥିଲେ, ଯାହା ଆମେ ଉତ୍ସାହ ସହକାରେ ପ୍ରତିବର୍ଷ ପାଳନ କରୁଛୁ। ଆଜିକୁ ୭୫ ବର୍ଷ ପୂର୍ବେ ଆନୁଷ୍ଠାନିକ ଭାବେ ଦେଶରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସ୍ଥାପିତ ହୋଇଥିଲା । ଏହାପରେ ନିରବଚ୍ଛିନ୍ନ ଭାବେ ଆମ ଦେଶ ସାମ୍ବିଧାନିକ ବିଧି ବ୍ୟବସ୍ଥା କୁ ପାଥେୟକରି ଆଗେଇ ଚାଲିଛି। ଭାରତର ସମସାମୟିକ ରାଷ୍ଟ୍ର ଯେଉଁମାନେ ବିଭିନ୍ନ ଔପନିବେଶିକ ବାଦରୁ ସ୍ଵାଧୀନତା ପ୍ରାପ୍ତ କରିଥିଲେ, ସେମାନଙ୍କ ମଧ୍ୟରୁ କୌଣସି ରାଷ୍ଟ୍ରରେ ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ର ରହିନାହିଁ। ସେହି ସବୁ ରାଷ୍ଟ୍ର କିଛି ସମୟ ପାଇଁ ଏକଛତ୍ରବାଦରେ ପରିଣତ ହୋଇଛି, କିମ୍ବା ଆଜି ମଧ୍ୟ ସେଠାରେ ଏକଛତ୍ରବାଦ ଶାସନ ଚାଲିଛି। ଭାରତରେ ଗଣତନ୍ତ୍ର ବଜାୟ ରଖିବାରେ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି, ଏ ଦେଶର କୋଟି କୋଟି ଜନତା। କୁହାଯାଏ, ଗଣତାନ୍ତ୍ରିକ ଶାସନରେ ‘ଲୋକଙ୍କ ସ୍ଵର ହିଁ ହେଉଛି ଭଗବାନଙ୍କ ସ୍ଵର’। ସାଧାରଣ ଜନତା ହେଉଛନ୍ତି ଗଣତନ୍ତ୍ରରେ ଅସଲ ଶାସକ।
ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଅତୁଟ ବିଶ୍ବାସ ରଖୁଥିବା ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପ୍ରେରଣାଦାୟୀ ନେତୃତ୍ଵରେ ଆଜି ଭାରତ ଗତ ଦଶ ବର୍ଷ ମଧ୍ୟରେ ଏକ ଶକ୍ତିଶାଳୀ ଦେଶ ଭାବେ ପ୍ରତିଷ୍ଠା ହାସଲ କରିଛି। ଭାରତ ଆଜି ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଥିବା ବେଳେ, ଖୁବ ଶୀଘ୍ର ତୃତୀୟ ଶ୍ରେଷ୍ଠ ଅର୍ଥନୀତି ଭାବେ ପ୍ରତିଷ୍ଠା ହାସଲ କରିବାକୁ ଯାଉଛି । ବିଶ୍ଵର ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଅଭୂତପୂର୍ବ ସମ୍ମାନ ପ୍ରଦାନ କରାଯାଉଛି। ଗତ ଦଶନ୍ଧିରେ ସାମାଜିକ, ଅର୍ଥନୈତିକର ପ୍ରତ୍ଯେକ ମାନକ ଏବଂ ସୂଚକାଙ୍କରେ ଉନ୍ନତି ପରିଲକ୍ଷିତ ହୋଇଛି, ଯାହାଦ୍ୱାରା ୧୪୦ କୋଟି ଭାରତବାସୀଙ୍କ ସାମର୍ଥ୍ୟ ଏବଂ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି।
ସ୍ୱାଧୀନତା ସଂଗ୍ରାମୀମାନେ ଆମର ଚିର ନମସ୍ୟ । ସେମାନଙ୍କ ସଂଗ୍ରାମ, ତ୍ୟାଗ ଓ ଦେଶ ପ୍ରତି ଥିବା ଅବଦାନକୁ ସମ୍ମାନ ଦେଇ ରାଜ୍ୟ ସରକାର ସେମାନଙ୍କ ପେନସନ୍ ପରିମାଣକୁ ବୃଦ୍ଧି କରିଛନ୍ତି । ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁମାନେ ସଂଗ୍ରାମ କରି ଦେଶରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଥିଲେ, ସେମାନଙ୍କ ବଳିଦାନକୁ ସ୍ୱୀକାର କରି ରାଜ୍ୟ ସରକାର ମିସା ଆଇନରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ମାସକୁ ୨୦ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା କରିଛନ୍ତି । ଆଜି ଭଳି ଏକ ପବିତ୍ର ଦିନରେ ସେମାନଙ୍କ ପ୍ରତି ଆମ ସରକାରଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି।
ଓଡିଶାର ଜନସାଧାରଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି । ମୋଦୀଜୀଙ୍କ ପରିକଳ୍ପିତ ପୂର୍ବୋଦୟ ଯୋଜନାରେ ଓଡିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।ଆଜି ଓଡିଶାରେ ଲାଇଟ ହାଉସ ଟୁରିଜିମ ଫେସ୍ଟିଭାଲ, ନ୍ୟାଭି ଡେ, ଡିଜି କନଫରେନସ୍, ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଓ ପ୍ରବାସୀ ଭାରତୀୟ ଦିବସ ପରି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଖୁବ୍ ସଫଳତାର ସହ ଅନୁଷ୍ଠିତ ହୋଇଛି । ପ୍ରବାସୀ ଭାରତୀୟ ଓ ପ୍ରବାସୀ ଓଡିଆ ମାନେ ଏବେ ଓଡିଶାର ବିକାଶ ଯାତ୍ରାରେ ସହଭାଗୀ ହେବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି।ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସ କେବଳ ଉତ୍ସବର ବେଳ ନୁହେଁ, ଏହି ପବିତ୍ର ଦିବସଟି ଆମ ସମସ୍ତଙ୍କୁ ଚେତାଇ ଦେଇଥାଏ ଯେ ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ଦାୟୀତ୍ଵ ଆମ ସମସ୍ତଙ୍କର ଉପରେ ନ୍ୟସ୍ତ। ଏହା ଆମକୁ ମନେ ପକାଇ ଦେଇଥାଏ, କିପରି ଆମେ ଗଣତନ୍ତ୍ରର ସଜାଗ ପ୍ରହରୀ ହୋଇ ଜରୁରୀକାଳୀନ ପରିସ୍ଥିତି ପରି ସ୍ଵେଚ୍ଛାଚାରି ଏବଂ ଅଗଣତାନ୍ତ୍ରିକ କାର୍ଯ୍ୟକୁ କିପରି ଭାବେ ପ୍ରତିହତ କରିବା।
ଆଜି ଆମ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିତ୍ବ ହେଉଛନ୍ତି ଭାରତରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକର, ଯିଏ ଆମ୍ଭମାନଙ୍କୁ ଆମ ଅମୂଲ୍ୟ ସମ୍ବିଧାନ ପ୍ରଦାନ କରିଛନ୍ତି। ତାଙ୍କର ଏହି ଅବଦାନକୁ ଆମେ ସମସ୍ତେ ପ୍ରତି ମୁହୂର୍ତ୍ତରେ ମନେ ପକାଇବା ଉଚିତ, କାରଣ ଏହି ସମ୍ବିଧାନ ଯୋଗୁଁ ଆମ ଦେଶ ଭାରତ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି।ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ମୋଦୀ ଜୀ ଆମକୁ ଶିକ୍ଷା ଦେଇଛନ୍ତି, ସମ୍ବିଧାନକୁ ମଥାରେ ଲଗାଇ ଜନସେବା କରିବା ପାଇଁ ।
ଆଜିର ଏହି ପବିତ୍ର ଦିବସରେ ମୁଁ ସମସ୍ତଙ୍କୁ ଆହ୍ଵାନ କରୁଛି, ଆସନ୍ତୁ, ବାବା ସାହେବଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଆମ ରାଜ୍ୟ ଓଡ଼ିଶାକୁ ୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ଏବଂ ୨୦୪୭ ମସିହା ସୁଦ୍ଧା ଆମ ଦେଶ ଭାରତକୁ ବିକଶିତ ଦେଶ ଭାବେ ଗଢିବା ପାଇଁ ନିଜ ନିଜର ଯୋଗଦାନ ଦେବା।
ଆସନ୍ତୁ ଆମ ଓଡ଼ିଶା, ଓଡ଼ିଆପଣ ତଥା ଭାରତୀୟତାକୁ ସଦା ଜାଗ୍ରତ ରଖିବା ପାଇଁ ଏକ ସମୃଦ୍ଧ ଗଣତନ୍ତ୍ରର ଉତ୍ତର ଦାୟାଦ ରୂପେ ଆମେ ସାଥି ହୋଇ ବିକାଶକୁ ବିଶ୍ୱାସ ବନେଇବା। ଝଡ଼ ଆସିବ, ଝଞ୍ଜା ଆସିବ, ଆହ୍ବାନର ପାହାଡ଼ ଆସି ଠିଆ ହେବ, କିନ୍ତୁ ବିଡ଼ାଏ କାଠି ଭଳି ଆମେ ଏକାଠି ହୋଇ ଏହାକୁ ସାମ୍ନା କରିବା। ଅନ୍ୟାୟ ବିରୁଦ୍ଧରେ ନ୍ୟାୟର ଏବଂ ଅହଙ୍କାର ବିରୁଦ୍ଧରେ ଅସ୍ମିତାର ବିଜୟ ପାଇଁ ନିଜକୁ ସମର୍ପଣ କରୁଥିବା।ପୁଣିଥରେ ଆପଣମାନଙ୍କୁ ୭୬ତମ ସାଧାରଣତନ୍ତ୍ର ଦିବସର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା। ଜୟ ହିନ୍ଦ ବନ୍ଦେ ଉତ୍କଳ ଜନନୀ ଭାରତ ମାତା କି ଜୟ

Leave A Reply

Your email address will not be published.