ଶ୍ରୀମନ୍ଦିରରେ ମୋବାଇଲ ବାରଣ ନେଇ ଲାଗିଲା ସୂଚନା ଫଳକ
1 min read

ଶ୍ରୀମନ୍ଦିରରେ ମୋବାଇଲ ବାରଣ ନେଇ ଲାଗିଲା ସୂଚନା ଫଳକ

ଚାରିଦ୍ବାରରେ ଜଗିବେ ୪ ସ୍ବତନ୍ତ୍ର ଟିମ୍‌

ପୁରୀ/ଭୁବନେଶ୍ୱର ୨୨-୦୧-୨୦୨୫ (ପିପିଏସ) : ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ୍‌ ଘଟଣା ପରେ ଶ୍ରୀମନ୍ଦିରରେ ମୋବାଇଲ୍‌ କଟକଣା ଉପରେ ସଚେତନତା ସୃଷ୍ଟି କରାଯାଇଛି। ଚାରିଦ୍ବାରରେ ସୂଚନା ଫଳକ ଓ ପୋଷ୍ଟର୍‌ ଲଗାଯାଇଛି। ମୋବାଇଲ୍‌ ଜଗିବାକୁ ଚାରିଦ୍ବାରରେ ୪ଟି ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହୋଇଛନ୍ତି। ଅପରପକ୍ଷେ ଗତକାଲି ପଶ୍ଚିମଦ୍ବାରରେ ଡ୍ରୋନ୍‌ ଉଡ଼ାଇ ପୁରୀର ଜଣେ ଯୁବକ ଧରାପଡ଼ିଛନ୍ତି ଓ ତାଙ୍କୁ ଥାନାରେ ଅଟକ ରଖାଯାଇଛି। ଡ୍ରୋନ୍‌ ମାଲିକ ପେଣ୍ଠକଟା ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁଇଦିନ ତଳେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍‌ ହୋଇଥିଲା। ଶ୍ରୀମନ୍ଦିର ଜଣେ ଜଣାଶୁଣା ସେବକ ବାହାର ରାଜ୍ୟର ଭକ୍ତଙ୍କୁ ନେଇ ଏହି ଭିଡିଓ ଉତ୍ତୋଳନ କରାଇଥିଲେ। ଏହି ଭିଡିଓ ବାଙ୍କେ ବିହାରୀ ନାଥ ନାମକ ବ୍ୟକ୍ତିଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଛଡ଼ାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ପୁରୀ ପୁଲିସ ଭକ୍ତଙ୍କ ସୂଚନା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର, ଉତ୍ତରଦ୍ବାର, ପଶ୍ଚିମ ଦ୍ବାର ଓ ଦକ୍ଷିଣଦ୍ବାରରେ ପ୍ରବେଶ ପଥରେ ‘ଶ୍ରୀମନ୍ଦିରରେ ମୋବାଇଲ୍‌ ନିଷେଧାଦେଶ’ ସମ୍ପର୍କରେ ସୂଚନା ଲଗାଇଛି। ଚାରିଦ୍ବାରରେ ଭକ୍ତଙ୍କ ଧାଡ଼ି ପାଖରେ ସାଇନ୍‌ଏଜ୍‌ ଲଗାଇଛି। ଏସ୍‌ପି ବିନୀତ ଅଗ୍ରୱାଲ୍ କହିଛନ୍ତି, ଭକ୍ତ ଓ ଅନ୍ୟମାନଙ୍କୁ ଅନୁରୋଧ କରୁଛୁ, ମୋବାଇଲ୍‌ ନେଇ କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତୁ ନାହିଁ। ଯେ କେହି ଏହାର ଉଲ୍ଲଂଘନ କରିବେ, ତାଙ୍କ ବିରୋଧରେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ। ସଚେତନତା ଉଦ୍ଦେଶ୍ୟରେ ଆମେ ଚାରିଦ୍ବାରରେ ସୂଚନା ଫଳକ ମାରିଛୁ। ପୁଲିସର ସୁପର୍‌ଭାଇଜିଂ ଅଫିସରଙ୍କୁ ଛାଡ଼ି ଅନ୍ୟ କେହି ମୋବାଇଲ୍‌ ନ ନେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଡ୍ରୋନ୍‌ ସମ୍ପର୍କରେ ଶ୍ରୀ ଅଗ୍ରୱାଲ୍ କହିଛନ୍ତି, ଗର୍ଭଗୃହ ଭିଡିଓ ଭାଇରାଲ୍‌ ଘଟଣାରେ ପୁଲିସ ସିଂହଦ୍ବାର ଥାନାରେ ନିଜ ଆଡ଼ୁ ମାମଲା ରୁଜୁ କରିଛି। ଭିଡିଓ ଉତ୍ତୋଳନ ଓ ଭାଇରାଲ୍‌ ଘଟଣାରେ ଯିଏ ସଂପୃକ୍ତ ଅଛନ୍ତି, ତାଙ୍କୁ ଧରିବାକୁ ବିଭିନ୍ନ ଟିମ୍‌ ଲାଗିଛନ୍ତି। ଗତକାଲି ଶ୍ରୀମନ୍ଦିର ପାଖରେ ଏକ ଡ୍ରୋନ୍‌ ଉଡ଼ୁଥିଲା। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଓ ଡ୍ରୋନ୍‌ ଜବତ କରାଯାଇଛି। ଯୁବକ ଓ ଡ୍ରୋନ୍‌ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ମୋବାଇଲ୍‌ ଜଗିବାକୁ ପୂର୍ବ ବ୍ୟବସ୍ଥା ଜାରି ରହିଛି। ଏଥିସହ ଚାରିଦ୍ବାରରେ ୪ଟି ଟିମ୍‌ ନିୟମିତ ଯାଞ୍ଚ ପାଇଁ ରହିବେ।

Leave a Reply

Your email address will not be published. Required fields are marked *