କଲବଲ କରିବ ଶୀତ
1 min read

କଲବଲ କରିବ ଶୀତ

ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ବିଗତ କିଛି ଦିନ ହେଲା ପୂରା ଦେଶରେ ଶୀତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିନାହିଁ। ସଂଜ ନଇଁଲେ ଶୀତ ବାଘ ଭଳି ମାଡ଼ିବସୁଛି। ବରିଷ୍ଠ ନାଗରିକ ଓ ପଶୁପକ୍ଷୀଙ୍କୁ ଶୀତ କଲବଲ କରୁଛି। ରାଜ୍ୟରେ ଶୀତଲହରୀ ଆହୁରି କିଛି ଦିନ ଯାଏଁ ଜାରି ରହିବ। କିନ୍ତୁ ଦୁଇ ଦିନ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ଆସନ୍ତା ୫ ତାରିଖ ପରଠାରୁ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। 

ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨ ଦିନ ପାଇଁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପର ଦିନଠାରୁ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଅନ୍ୟପଟରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ ଜାନୁଆରି ୪ ତାରିଖ ଠାରୁ ଉତ୍ତର-ପଶ୍ଚିମ ଭାରତରେ ପ୍ରଭାବ ପକେଇବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଦେଶର ମଧ୍ୟ ଭାଗରେ ସକ୍ରିୟ ଗୁରୁଚାପ ବଳୟର ସ୍ଥିତି ପରିବର୍ତ୍ତନ ହେବ। ଏହି କାରଣରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉତ୍ତର/ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଦୁର୍ବଳ ହେବା ସହ ଏକ ପୂର୍ବାଳୀ ନିମ୍ନଚାପ ରେଖା ପ୍ରଭାବରେ ୬ ତାରିଖଠାରୁ ରାଜ୍ୟ ମଧ୍ୟକୁ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହର ପ୍ରାଧାନ୍ୟ ବୃଦ୍ଧି ପାଇପାରେ। ଏହା ପ୍ରଭାବରେ ୫ ତାରିଖ ପରଠାରୁ ରାତ୍ରି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି।

publive-image

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଉରକେଲାରେ ରାଜ୍ୟରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି। ସେଠାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୮, କେନ୍ଦୁଝରରେ ୭.୮, ଫୁଲବାଣୀରେ ୭.୫, ଦାରିଙ୍ଗବାଡ଼ିରେ ୮.୫, ସୁନ୍ଦରଗଡ଼ର କିରେଇରେ ୯.୯, କୋରାପୁଟରେ ୧୧.୧ ବାଲେଶ୍ୱରରେ ୧୨, ସମ୍ବଲପୁରରେ ୧୨, ହୀରାକୁଦରେ ୧୨, କଟକରେ ୧୨.୪, ଜଗତସିଂହପୁରରେ ୧୩.୨, ଚାନ୍ଦବାଲିରେ ୧୩.୫ ଓ ଭୁବନେଶ୍ୱରରେ ତାପମାତ୍ରା ୧୪ ଡିଗ୍ରି ରେକର୍ଡ କରାଯାଇଛି। 

Leave a Reply

Your email address will not be published. Required fields are marked *