ମଣ୍ଡିରେ ପଶି ନିଜର ଖରାପ ଧାନକୁ ପାର କରିବାକୁ ଦଲାଲଙ୍କ ଉଦ୍ୟମ
1 min read

ମଣ୍ଡିରେ ପଶି ନିଜର ଖରାପ ଧାନକୁ ପାର କରିବାକୁ ଦଲାଲଙ୍କ ଉଦ୍ୟମ

ମାଲକାନଗିରି/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଜିଲ୍ଲାରେ ଏବେ ମଣ୍ଡି ଜୋରସୋରରେ ଚାଲୁ ରହିଥିବା ବେଳେ ଏଫଏକ୍ୟୁ ଧାନକୁ ନେଇ ଟଣାଓଟରା ମଧ୍ୟ ଚାଲିଛି। ଜିଲ୍ଲାରେ ଏବେ ଦଲାଲ ମାତିଛନ୍ତି। ଜିଲ୍ଲାରେ ୧୪ଟି ଲ୍ୟାମ୍ପସ ଏବଂ ଏସଏଚଜି ଅଧିନରେ ୬୫ଟି ମଣ୍ଡି ଚାଲୁଥିବା ବେଳେ ମଣ୍ଡି ଆରମ୍ଭ ହୋଇ ୧୫ ଦିନ ବିତିଗଲାଣି। ଆଜି ସୁଦ୍ଧା ୩ ଲକ୍ଷ ୩୫ ହଜାର କ୍ବିଣ୍ଟାଲ ଧାନ ଖରିଦ ହୋଇସାରିଲାଣି। ଜିଲ୍ଲାକୁ ମିଳିଛି ୯ ଲକ୍ଷ ୨୩ ହଜାର ୮୫୦ କିଲୋ ଧାନ ଖରିଦ କରିବାରୁ ଲକ୍ଷ୍ୟ।

ତେବେ ଆସନ୍ତା ୧୫ ଦିନ ମଧ୍ୟରେ ହୁଏତ ଏହି ଟାର୍ଗେଟ ପାର ହୋଇଯିବାର ଆଶଂକା ମଧ୍ୟ ରହିଛି। ଚାଷୀ ନିଜର ଧାନକୁ ସଫା କରି ଏଫଏକ୍ବ୍ୟୁ ଧାନ ଆଣୁଥିବା ବେଳେ ମିଲରମାନେ ସେହି ଧାନକୁ ସହଜରେ ଉଠାଉଥିବା ଦେଖିବାକୁ ମିଳିଛି। କିନ୍ତୁ ଦଲାଲମାନେ ଅତ୍ୟନ୍ତ ଖରାପ ଧାନ ମଣ୍ଡିକୁ ଆଣୁଥିବା ବେଳେ ମିଲରମାନେ ସେହି ଧାନକୁ ନେବାକୁ ସଫା ସଫା ମନା କରୁଥିବା ଦେଖିବାକୁ ମିଳିଛି। ଦଲାଲମାନେ ନିଜର ଖରାପ ଧାନକୁ ଜବରଦସ୍ତ ମଣ୍ଡିରେ ବିକ୍ରି କରିବା ପାଇଁ ବାଧ୍ୟ କରୁଥିବା ବେଳେ ସେମାନଙ୍କର ଧାନକୁ କିଣାଯାଉନଥିବାରୁ ସେମାନେ ଜିଲ୍ଲାସ୍ତରର ଅଧିକାରୀ ଏବଂ ରାଜନୈତିକ ଦଳର ନେତାମାନଙ୍କୁ ଅନ୍ତର୍ଭୁକ୍ତ କରି ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି।

ଅନ୍ୟଦିଗରେ ଯୋଗାଣ ବିଭାଗ ତରଫରୁ ବର୍ତ୍ତମାନ ସୁଦ୍ଧା ୯୦୦ ବେଲ ଅଖା ବସ୍ତା ଆସିଥିବା ବେଳେ ସମସ୍ତ ଅଖାବସ୍ତା ଜିଲ୍ଲାର ୨୭ଟି ମିଲରଙ୍କୁ ପ୍ରଦାନ କରାଯାଇଥିବା କୁହାଯାଇଛି। ପୁଣି ୩୦୦ ବେଲ ଅଖା ଆସୁଥିବା ବିଭାଗ କହିଛି। ବସ୍ତା ମିଲରମାନଙ୍କୁ ପ୍ରଦାନ କରାଗଲା ସତ କିନ୍ତୁ ସେମାନେ ଏହି ବସ୍ତାକୁ ରଖିବା ପାଇଁ ଜାଗା ନଥିବାରୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ସେହିପରି ଚାଷୀ ନିଜର ଜରି ବସ୍ତାରେ ଧାନ ଆଣୁଥିବା ବେଳେ ସେମାନଙ୍କୁ ଜରି ବସ୍ତା ପାଇଁ ୫ ଟଂକା ଲେଖାଏଁ ଦିଆଯିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ମଣ୍ଡିରୁ ଧାନ ଉଠାଇନଥିବା ବେଳେ ଏହା ପୂର୍ବରୁ ଅଖା ବସ୍ତା ପ୍ରଦାନ କରିବାରେ ଚଞ୍ଚକତା ଦେଖାଦେଇଛି। ଏତେଶୀଘ୍ର କିପରି ଅଖାବସ୍ତା ଖରିଦ କରାଯାଇ ବିଭାଗ ମିଲରଙ୍କୁ ବାଣ୍ଟିଛି ତାକୁ ନେଇ ମଧ୍ୟ ସଂଦେହ ସୃଷ୍ଟି ହୋଇଛି। ମଣ୍ଡିରେ ଦଲାଲ ମୁକ୍ତ କରିବା ପାଇଁ ଦାବି ଉଠିଛି। ପ୍ରକୃତ ଚାଷୀର ଧାନକୁ କ୍ରୟ କରାଯିବା ସହ ମଣ୍ଡିରେ ଆଣୁଥିବା ଦଲାଲଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *