ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି

ରାଜ୍ୟର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟ ଏହି ମହୋତ୍ସବରେ ଯୋଗ ଦେବା ପାଇଁ ସାଂସଦ ଶ୍ରୀ ମହତାବ ଅନୁରୋଧ କରିଛନ୍ତି
- ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ
- ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
- ଯୋଗ ଦେବେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି
- ଯୁବ ସାମ୍ମୁଖ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଭୁବନେଶ୍ୱରଠାରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଆସନ୍ତା ଜାନୁଆରୀ ୨ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି ଅବସରରେ ପ୍ରତିବର୍ଷ ଜାନୁଆରୀ ୨ରେ ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ସର୍ବଭାରତୀୟ ମହୋତ୍ସବର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ଦାୟାଦ ଯୋଗ ଦେଇଥାନ୍ତି । ଚଳିତବର୍ଷ ଦିଲ୍ଲୀ, କର୍ଣ୍ଣାଟକ, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ଉତ୍ତରଦାୟାଦମାନେ ଯୋଗ ଦେବେ । ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି ।
ରାଜ୍ୟ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ମହୋତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭାବେ ଦାୟତ୍ୱ ନିର୍ବାହ କରୁଛନ୍ତି । ସେହିଦିନ ସକାଳ ସାଢ଼େ ୮ଟାରେ ଜାତୀୟ ପତାକା ଉତ୍ତୋଳନ ଓ ୯ଟାରେ ସର୍ବଧର୍ମ ପ୍ରାର୍ଥନା ସଭା କରାଯିବ । ପୂର୍ବାହ୍ନ ସାଢ଼େ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୨ଟାରେ ରାଜ୍ୟ ଯୁବ ସାମ୍ମୁଖ୍ୟର ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଜାନୁଆରୀ ୨ ମହୋତ୍ସବ ଲାଗି ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଅନୁଷ୍ଠିତ ହୋଇଛି । ସ୍ୱାଧୀନତା ସଂଗ୍ରାମର ଯୁବ ସାମ୍ମୁଖ୍ୟର ଜାତୀୟ ସଭାପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଦିବସବ୍ୟାପୀ କାର୍ଯ୍ୟକ୍ରମ ସମ୍ପର୍କୀତ ପ୍ରସ୍ତାବ ଚୂଡ଼ାନ୍ତ କରାଯାଇଛି। ସେହିଦିନ ଅପରାହ୍ଣରେ ଯୁବ ସାମ୍ମୁଖ୍ୟ ସମ୍ମିଳନୀ ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ କରାଯିବ ।
ରାଜ୍ୟର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟ ଏହି ମହୋତ୍ସବରେ ଯୋଗ ଦେବା ପାଇଁ ସାଂସଦ ଶ୍ରୀ ମହତାବ ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂୂରଜ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଅପରାହ୍ଣର ଯୁବ ସାମ୍ମୁଖ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଲାଗି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିମନ୍ତ୍ରଣ କରାଯାଇଥିବା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଜଣାପଡ଼ିଛି ।