କଂଗ୍ରେସ ସାରା ଦେଶବାସୀଙ୍କୁ କ୍ଷମା ମାଗୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ବାବା ସାହେବ ଆମ୍ବେଦକର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍ମିଟ୍ । କଂଗ୍ରେସ ସରକାରଙ୍କ ସମୟରେ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିବା କଥା କହିଲେ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ତୁମ୍ବି ତୋଫାନ ଲାଗି ରହିଛି । ଏବେ ଅମିତ ଶାହଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି । ତେବେ ଅମିତ ଶାହ ନୁହେଁ ବରଂ କଂଗ୍ରେସ ସାରା ଦେଶବାସୀଙ୍କୁ କ୍ଷମା ମାଗୁ ବୋଲି କହିଛନ୍ତି ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିଲେ । ସେହି ସମୟରେ ବାବା ସାହେବ ଆମ୍ବେଦକରଙ୍କୁ ଚକ୍ରାନ୍ତ କରି ପଦରୁ ହଟାଇ ଦିଆଯାଇଥିଲା ।
ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲା କଂଗ୍ରେସ । କଂଗ୍ରେସ ଏବେ ନାଟକବାଜି କରୁଛି । ଆମ ଦଳ ତାଙ୍କୁ ଯଥୋଚିତ ସମ୍ମାନ ଦେଇଛି । କଂଗ୍ରେସ ସବୁବେଳେ ଆମ୍ବେଦକରଙ୍କୁ ଅପମାନିତ କରିଛି । ତାଙ୍କ ପ୍ରତି ପାତରଅନ୍ତର କରୁଥିଲା । ସେ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଆଇନ ମନ୍ତ୍ରୀ ଦାୟିତ୍ୱରେ ଥିଲେ । ସଂସଦ ଭବନରେ କିଛି ଦିନ ପୂର୍ବରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତିକୁ ନେଇ କଂଗ୍ରେସ ଯେଉଁ ଅପପ୍ରଚାର କରିଛି ତାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମ୍ବିଧାନର ପ୍ରଣୟେତା ଆମ୍ବେଦକର, ତାଙ୍କୁ ଆମ ଦଳ ସମ୍ମାନ ଦେଉଛି । ଛୋଟ କଥା ଓ ବିବୃତିକୁ ନେଇ ବିକୃତ କରାଯାଉଛି ।
ସାମାଜିକ, ରାଜନୈତିକ କ୍ଷେତ୍ରରେ ଭାରତ ବର୍ଷର ଜ୍ଞାନୀ ଓ ଅବଦାନ ଥିବା ବ୍ୟକ୍ତିଙ୍କୁ କଂଗ୍ରେସ ପରିହାସ କରିଛି । ପଣ୍ଡିତ ନେହୁରୁ ଅପମାନ କରିଥିଲେ । ଅତୀତରେ କଂଗ୍ରେସ ବହୁତ ଅପମାନ କରିଛି ତେଣୁ କଂଗ୍ରେସ କ୍ଷମା ମାଗୁ । ପଣ୍ଡିତ ନେହେରୁଙ୍କ ସମୟରେ ବାବା ସାହେବ ଆମ୍ବେଦକରଙ୍କୁ ଉପଯୁକ୍ତ ବିଭାଗର ମନ୍ତ୍ରୀ ନକରି ଆଇନ ବିଭାଗର ମନ୍ତ୍ରୀ କରିଥିଲେ । ସଂରକ୍ଷଣ କଥା ଯେତେବେଳେ ଆସିଲା ସେତବେଳେ ମୁସଲମାନଙ୍କୁ ସଂରକ୍ଷଣ ଦିଆଯାଇଥିଲା । ଆଦିବାସୀଙ୍କୁ ଅବହେଳା କରାଯାଇଥିଲା ।”