ଜବରଦଖଲରେ ଭରି ହୋଇଗଲାଣି ଭୁବନେଶ୍ବର

ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଜବରଦଖଲରେ ଭର୍ତ୍ତି ଭୁବନେଶ୍ବର। ସରକାରୀ ଜାଗାରେ ନିର୍ମାଣ ହୋଇଛି ବହୁତଳ ପ୍ରାସାଦ। ଯିଏ ଯେଉଁଠି ପାରୁଛି ଘର ତିଆରି କରୁଛି। ପ୍ରଥମେ ବାଡ଼ ଘେରାଇ ବାଉଁଶ ପଲା, ପରେ କଂକ୍ରିଟ୍‌ ନିର୍ମାଣ। ସହର ଛାତି ଉପରେ ମୂଲ୍ୟବାନ୍‌ ଜମି ହଡ଼ପ କରିବାରେ ଏହା ଏକ ସାଧାରଣ କଥା ପାଲଟିଛି। ଜବରଦଖଲ ରୋକିବା ପାଇଁ କୋଟି କୋଟି ବ୍ୟୟରେ ଯେଉଁ ବ୍ୟବସ୍ଥା ହୋଇଛି ତାହା ଯେ ଫେଲ୍‌ ମାରିଛି ତାହା ନୁହେଁ। ଯେଉଁ ଉଚ୍ଛେଦ ତାଲିକା ପ୍ରସ୍ତୁତ ହୋଇଛି ତାକୁ ଦେଖିଲେ ଲାଗିବ କି ଜବରଦଖଲ ହଟାଇବାରେ ବାବୁମାନେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। କିନ୍ତୁ ବାସ୍ତବରେ ଦାୟିତ୍ବରେ ଥିବା ଅଧିକାରୀମାନେ ବଡ଼ବଡ଼ିଆଙ୍କ ଜବରଦଖଲ ନହଟାଇବା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି। ଛୋଟମୋଟ ଜବରଦଖଲ ହଟାଇ ଉଚ୍ଛେଦ ତାଲିକାକୁ ଲମ୍ବା କରି ଦେଇଛନ୍ତି। ସରକାରୀ ହିସାବ ମୁତାବକ ଗତ ୫ ବର୍ଷରେ ୩୦୧ଟି ସରକାରୀ ଜମି ଜବରଦଖଲ ଉଚ୍ଛେଦ(ଓପିପି) ମାମଲା ରୁଜୁ ହୋଇଛି। ଏବେ ବି ୨୦୦ରୁ ଊର୍ଦ୍ଧ୍ବ ଉଚ୍ଛେଦ ଆଦେଶ ବିଡିଏର ସିଇଏମ୍‌ସି ଫାଇଲ୍‌ରେ ପଡ଼ିରହିଛି। ଯେଉଁଥିରେ ଅଧିକାଂଶ ବଡ଼ବଡ଼ିଆ ଅଛନ୍ତି। ଯାହାଙ୍କୁ ହାତ ମାରିବାକୁ ବାବୁମାନେ ଡରୁଛନ୍ତି।

ଓପିପି ମାମଲା ଗଡ଼ୁଛି
ଛୋଟ‌‌ମୋଟ ହଟାଇ ବାହାବା ନେଉଛନ୍ତି
ଜବରଦଖଲ ରୋକିବାକୁ କୋଟିକୋଟି ବ୍ୟୟ
ଶ୍ୟାମପୁର ଜମିରୁ ଉଚ୍ଛେଦ ଖୁବ୍‌ଶୀଘ୍ର

ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ଜମି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ) ବିଭାଗ ନାମରେ ରହିଛି। ଯେଉଁ ବିଭାଗର ଆବଶ୍ୟକ ହୁଏ ‘ଜିଏ’ ସେ ସବୁ ବିଭାଗକୁ ଜମି ପ୍ରଦାନ କରିଥାଏ। କିନ୍ତୁ ଏହି ସବୁ ସରକାରୀ ଜମି କ୍ରମଶଃ ଦଖଲ ହେବାରେ ଲାଗିଛି। ଯେଉଁ ଜମି ଜିଏ ଅଧୀନରେ ଅଛି ଓ ଯେଉଁ ସବୁ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଛି, ପ୍ରତ୍ୟେକ ଜମିର ସିଂହଭାଗ ନିୟମିତ ଦଖଲ ହେବା‌ରେ ଲାଗିଛି। ଜବରଦଖଲ ହେଲେ ଜାଣିବା ପାଇଁ ବା ଚିହ୍ନଟ ପାଇଁ ଜିଏ ବିଭାଗ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ବ୍ଲୁଇସ୍‌ (ଭୁବନେଶ୍ବର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ)ଆପ୍‌ ସାଟେଲାଇଟ୍‌ ମ୍ୟାପ୍‌ ଜରିଆରେ ଜବରଦଖଲ ଚିହ୍ନଟ କରୁଛି। ବିଡିଏରେ ଏହି ସେଲ୍‌ କାମ କରୁଥିବା ବେଳେ ମାସକୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ଜିଏ। ୨୦୨୩ ଅଗଷ୍ଟରୁ ଚଳିତ ଅଗଷ୍ଟ ସୁଦ୍ଧା(୧୨ ମାସରେ) ସେଟ୍‌ଲାଇଟ୍‌ (ଅଗଷ୍ଟ ସୁଦ୍ଧା) ୨୪୪ଟି ଜବରଦଖଲ ଚିହ୍ନଟ କରିଛି। ସାଧାରଣ ନାଗରିକ ୪୦ଟି ଚିହ୍ନଟ କରିଥିବା ବେଳେ ସରକାରୀ ଅଧିକାରୀଙ୍କ ଜରିଆରେ ୧୫୩ଟି ଚିହ୍ନଟ ହୋଇଛି। ଏଭଳି ମୋଟ୍‌ ୪୩୭ ଅଭିଯୋଗରୁ ୧୩୩ଟି ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅର୍ଥାତ୍‌ ୨ଶହରୁ ଊର୍ଦ୍ଧ୍ବ ମାମଲା ଗଡ଼ୁଛି। ଏଭଳି ବର୍ଷ ବର୍ଷ ଧରି ମାମଲା ଗଡ଼ୁଛି। 

ବିଡିଏ ଜମିରୁ ଉଚ୍ଛେଦ ହେବ
ଶ୍ୟାମପୁର ମୌଜା ପ୍ଲଟ୍‌ ନଂ. ୨୭୭ରେ ଥିବା ୬୮ ଏକର ଜମି ବିଡିଏକୁ ଜିଏ ବିଭାଗ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ପ୍ରଦାନ କରିଛି। କିନ୍ତୁ ଏହାକୁ ସୁରକ୍ଷା ଦେଇ ନ ପାରିବାରୁ ଜବରଦଖଲ ହୋଇଛି। ବିଡିଏ ପ୍ରଥମେ ନୋଟିସ୍‌ ଓ ପରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲା। ହେଲେ ମାମଲା ରୁଜୁ ହେଲା ନାହିଁ। ଏଣୁ ଜବରଦଖଲକାରୀ ଏବେ ବିଡିଏ ଜମି ସହ ପାଖରେ ଥିବା ଜିଏ ବିଭାଗର ଜମି ମଧ୍ୟ ଦଖଲ କରିସାରିଲେଣି। ପ୍ଲଟ୍‌କୁ ଭାଗ ଭାଗ କରି ମାଫିଆ ବିକି ‌ଦେଇଛନ୍ତି। ସେଠାରେ ଶହ ଶହ କୋଠା ନିର୍ମାଣ ହୋଇଛି। ତେବେ ଏହାକୁ ବିଡିଏ ଉଚ୍ଛେଦ କରିବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି।

ସେହିଭଳି ଜିଏ ବିଭାଗ ମଧ୍ୟ ଜବରଦଖଲ ରୋକିବା ପାଇଁ ଯୋଜନା କରିଛି। ଅଭିଯୋଗ ହେଲେ ଓପିପି ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କହୁଛି। ମାମଲାଗୁଡ଼ିକ ଇଷ୍ଟେଟ୍‌ କୋର୍ଟରେ ଦାଖଲ ହେବା ପରେ ଶୁଣାଣି ‌ହୋଇ ଉଚ୍ଛେଦ ଆଦେଶ ହୁଏ। ଅସନ୍ତୁଷ୍ଟ ହେଲେ ଇଷ୍ଟେଟ୍‌ ନିର୍ଦ୍ଦେଶକଙ୍କ କୋର୍ଟରେ ଅପିଲ କରିବାକୁ ହୁଏ। ନିର୍ଦ୍ଦେଶକଙ୍କ ଆଦେଶ ବିରୋଧରେ ଜବରଦଖଲକାରୀ ହାଇକୋର୍ଟ ଯାଏ। ଏଭଳି ଲମ୍ବା ପ୍ରକ୍ରିୟାର ଫାଇଦା କେବଳ ବଡ଼ବଡ଼ିଆ‌ ହିଁ ଉଠାଉଛନ୍ତି। ଫଳରେ ଭୁବନେଶ୍ବରରେ ମାମଲା ଗଡ଼ିବାରେ ଲାଗିଛି। ଜିଏ ବିଭାଗ ଗତ ୫ ବର୍ଷରେ ୩୦୧ଟି ଓପିପି ମାମଲା ରୁଜୁ କରିଛି। ୨୦୨୧ ମସିହାରୁ ଏଥିରୁ ୪୯ଟି ମାମଲା ଗଡ଼ୁଛି।

ଭୁବନେଶ୍ୱର: ଘର ଦେବେ କହି ଉଚ୍ଛେଦ କରିଦେଲେ। ହେଲେ ଘର ଦେଲେନି। ଏଣେ ଯିଏ ଯୁଆଡ଼େ ପାରୁଛି, ସରକାରୀ ଜାଗା ମାଡ଼ି ବସୁଛି ଦେଖି ସହିପାରି ନଥିଲେ। ଏଣୁ ଏକାଠି ୫୦ ପରିବାରର ୨ଶହ ଲୋକ ଯାଇ ଖାଲି ଜାଗା ଦେଖି ପ୍ରାୟ ୧ ଏକର ଜାଗା ମାଡ଼ି ବସିଥିଲେ। ବାଉଁଶ ପାଲରେ ସମାନ ମାପ ଓ ରଙ୍ଗର ଘର ତିଆରି କରିଥିଲେ। ୪ରୁ ୫ ଦିନ ରହିବା ପରେ ହଠାତ୍‌ ବସ୍ତି ଗଢ଼ି ଉଠିବା ଦେଖି ବିଏମ୍‌ସିରେ ଅଭିଯୋଗ ପହଞ୍ଚିଥିଲା। ଆଜି ବିଏମ୍‌ସି ଟିମ୍‌ ପହଞ୍ଚି ଡୁମୁଡୁମା କିଡ୍‌ସ୍‌ ହସ୍ପିଟାଲ ନିକଟରେ ଥିବା ଏହି ଖାଲି ଜାଗାକୁ ଜବରଦଖଲ ମୁକ୍ତ କରିଛି। କିନ୍ତୁ ଏହାକୁ ସଂରକ୍ଷିତ କରାଯାଇ ନଥିବାରୁ ପୁଣି ଥରେ ଜବରଦଖଲ ହେବାକୁ ଯାଉଛି। ଏହା ଉପରେ ଜମି ମାଫିଆଙ୍କ ନଜର ପଡ଼ିଛି। ଜବରଦଖଲକାରୀଙ୍କ କହିବା କଥା, ସେମାନେ ପୂର୍ବରୁ ରସୁଲଗଡ଼, ପଳାସୁଣି, ବରମୁଣ୍ଡା, ଗଣ୍ଡମୁଣ୍ଡା, ଡୁମୁଡ଼ୁମା ଅଞ୍ଚଳରେ ଥିବା ବିଭିନ୍ନ ବସ୍ତିରେ ରହୁଥିଲେ। ୨୦୨୨ ମସିହାରେ ସେମାନଙ୍କୁ ଉଚ୍ଛେଦ କରାଯାଇଥିଲା। ସେତେବେଳେ କୁହାଯାଇଥିଲା କି ସମସ୍ତଙ୍କୁ ଘର ଦିଆଯିବ କିମ୍ବା ଏଲ୍‌ଆରସି ପ୍ରଦାନ କରାଯିବ। କିନ୍ତୁ ୨ ବର୍ଷ ଧରି ବିଏମ୍‌ସି ଶୁଣୁ ନଥିଲା।

ଶ୍ରୀବୈକୁଣ୍ଠ ଧାମ, ଶ୍ୟାମପୁରରେ ବିଡିଏ ଜମି ଓ ଗଙ୍ଗନଗରରେ କୋଟିକୋଟି ଟଙ୍କାର ସମ୍ପତ୍ତି ବଡ଼ବଡ଼ିଆ ନେଇ ଯାଉଥିବା ଦେଖିବା ପରେ ଆମେ ବାଧ୍ୟ ହୋଇ ଏହି ସରକାରୀ ଜାଗା ଅକ୍ତିଆର କରିଥିଲୁ। ସେହିପରି ୱାର୍ଡ ନମ୍ବର-୪୦, ୫୬, ୫୭, ୫୮, ୧୨ ଓ ୧୭ରେ ଉଚ୍ଛେଦକାରୀ ଦଳ ପହଞ୍ଚି ଡ୍ରୋଜର୍‌ ସାହାଯ୍ୟରେ ଉଠାଦୋକାନ ଉଚ୍ଛେଦ କରୁଥିବା ବେଳେ ବିଭିନ୍ନ ଜାଗାରେ ଉତ୍ତେଜନା‌ ପ୍ରକାଶ ପାଇଥିଲା। ଉତ୍ତର ନିର୍ବାଚନମଣ୍ଡଳୀର ଆପୋଲୋ ହସ୍ପିଟାଲଠାରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂ ଜୋନର ଉପସଭାପତି ବିପିନ ଦାସ ପହଞ୍ଚି ବିଏମ୍‌ସି କମିସନର ଉଚ୍ଛେଦ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିବା ପରେ ସେମାନେ ଫେରି ଯାଇଥିଲେ। ସେହିପରି ଟଙ୍କପାଣି ରୋଡ୍‌ରେ ଉଚ୍ଛେଦକାରୀ ଦଳ ଉଠାଦୋକାନ ଭାଙ୍ଗିବା ବେଳେ ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ପହଞ୍ଚି ପ୍ରତିବାଦ କରିବାକୁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏହି ଉଚ୍ଛେଦ ପ୍ରତିବାଦରେ ମହାସଂଘ ଆସନ୍ତା ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ଚେତାବନୀ ଦେଇଛି।

Leave A Reply

Your email address will not be published.