ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା
1 min read

ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା

ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଗତ ୧୭ ତାରିଖ ଠାରୁ ୨୧ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ହୋଇଥିବା ବର୍ଷାକୁ ନେଇ ଚାଷୀକୁଳ ହଇରାଣ ହୋଇଥିବା ବେଳେ ପୁଣି ଥରେ ସେମାନେ ସମାନପ୍ରକାରର ପରସ୍ଥିତିର ସାମ୍ନା କରିବାକୁ ପଡ଼ିପାରନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି ବର୍ଷା ସହ ଘନ କୁହୁଡ଼ି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି। ଫଳରେ ଡିସେମ୍ବର ୨୪ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ହାଲୁକରୁ ମଧ୍ୟମଧରଣର ବର୍ଷା ଆକଳନ କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି  ଜିଲ୍ଲାରେ ମଧ୍ଯମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। 

ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ଷା ବ୍ୟତୀତ କୁହୁଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରବିବାର  ଏବଂ ସୋମବାର ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଅନୁଗୁଳ ଓ  କଳାହାଣ୍ଡି ଜିଲ୍ଲାରେ କୁହୁଡ଼ି ପଡ଼ିପାରେ। ଏସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୨୬ରୁ ୨୮ ତାରିଖ ଯାଏଁ ପାଗ ଶୁଖିଲା ରହିବ। ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢ଼ିବ।  ସୂଚନାଯୋଗ୍ୟ, ଗତ ୧୭ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା। ଡିସେମ୍ବର ୨୦ ଓ ୨୧ରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଥିଲା। କଟକ ଜିଲ୍ଲା କଣ୍ଟାପଡ଼ାରେ ସର୍ବାଧିକ ୪୫ମିମି ବର୍ଷା ରେକର୍ଡ ହୋଇଥିଲା। ଜଗତସିଂହପୁରରେ ୧୩.୬ ସର୍ବନିମ୍ନ ତାପମାତ୍ରା ଓ ପାହାଡିଆ ଅଂଚଳ କୋରାପୁଟ ଜିଲ୍ଲାର ସିମିଲିଗୁଡାରେ ୧୦.୬ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା। 

Leave a Reply

Your email address will not be published. Required fields are marked *