ନ୍ୟାୟ ପାଇଁ ଥାନାରେ ଧାରଣା 

ସନ୍ଦେହ ଘେରରେ ପିସିଆର ଡ୍ରାଇଭର ମୃତ୍ୟୁ ଘଟଣା !

ପାରାଦୀପ,୧୬-୧୨-୨୦୨୪ (ପିପିଏସ) : ପାରାଦୀପ ଆଦର୍ଶ ଥାନାରେ ପିସିଆର୍ ଡ୍ରାଇଭର ଭାବେ କାର୍ଯ୍ୟ କରିଥିବା ସୁକେଶ ମଣ୍ଡଳଙ୍କ ମୃତ୍ୟୁକୁ ୫ ମାସ ପୁରି ଥିବା ଏବଂ ଏହା ଏକ ସୁପର କଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ଏହି ଘଟଣାରେ ସଠିକ ତଦନ୍ତ ଓ ସଂପୃକ୍ତ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ପାରିନି । ଏହି ଘଟଣାର ପର୍ଦାଫାଶ କରିବା ସହ ସଂପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବୀରେ ରବିବାର ଦିନ ସୁକେଶ ରହୁଥିବା ମଧୁବନ ଜଗନ୍ନାଥ କଲୋନୀ ର ବସ୍ତି ବାସିନ୍ଦାମାନେ ଏକ ଶୋଭାଯାତ୍ରାରେ ଆସି ପାରାଦୀପ ଆଦର୍ଶ ଥାନା ଆଗରେ ଧାରଣ ଦେଇଥିଲେ । ମଧୁବନରେ ଥିବା ଗାନ୍ଧୀ ମୂର୍ତ୍ତିରେ ଫୁଲହାର ଦେଇ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ନେତା ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ମୃତ ସୁକେଶ ମଣ୍ଡଳଙ୍କ ବାପା ସୁନିଲ ମଣ୍ଡଳଙ୍କ ସମେତ ଜଗନ୍ନାଥ କଲୋନୀ ବସ୍ତି ବାସିନ୍ଦାମାନେ ପାରାଦୀପ ଥାନା ଆଗରେ ପହଞ୍ଚିଥିଲେ । ପାରାଦୀପ ଆଦର୍ଶ ଥାନାର ନୂତନ ଅଧିକାରୀ ଛୁଟିରେ ଥିବା ଏବଂ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଆସିଥିବା ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଂଜନ କର ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ସୁକେଶଙ୍କ ମୃତ୍ୟୁକୁ ଦୀର୍ଘ ମାସ ବିତିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ କାହିଁକି ପୋଲିସ ପଚାରାଉଚରା କରୁନି ବୋଲି ପ୍ରଶ୍ନ କରିଥିଲେ । ମୃତ ସୁକେଶଙ୍କ ବାପା ସୁନୀଲ ମଣ୍ଡଳ ଅଭିଯୋଗ କରିଥିଲେ ଯେ, ପୋଲିସ ପିସିଆର୍ ଡ୍ରାଇଭର ମୃତ୍ୟୁ ଘଟଣାରେ ଯଦି ନ୍ୟାୟ ମିଳୁନାହିଁ ତେବେ ସାଧାରଣ ଲୋକଙ୍କୁ ପୋଲିସ କି ନ୍ୟାୟ ଦେବ । ଏହି ଘଟଣାର ଫୋରେନସିକ୍ ରିପୋର୍ଟ ଆସି ନଥିବା କହିଥିଲେ ଡିଏସପି ସନ୍ତୋଷ ଜେନା । ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ କାର୍ଯ୍ୟରେ ଯୋଗ ଦେବା ପରେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଡକାଇ ଜେରା କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କର ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା । ଯଦି ୫ ରୁ ୬ ଦିନ ମଧ୍ୟରେ କୌଣସି ସୁଫଳ ନମିଳେ ତେବେ ପୁର୍ନବାର ଆନ୍ଦୋଳନ ହେବ ବୋଲି କଂଗ୍ରେସ ନେତା ନିରଞ୍ଜନ ନାୟକ, ନଗର କଂଗ୍ରେସ୍ ସଭାପତି କେଦାର ନାଥ ବିଶ୍ୱାଳ, ଜଗନ୍ନାଥ କଲୋନୀ ବସ୍ତି କମିଟି ସଭାପତି ଶୁବଳ ଦାସ୍ କହିଛନ୍ତି ।

Leave A Reply

Your email address will not be published.