ଜୈବିକ ପ୍ରଣାଳୀରେ ଧାନଚାଷ ତାଲିମ ଶିବିର
ଢେଙ୍କାନାଳ,9/8: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ବ୍ଲକ କେରୋଜୋଳି ଗ୍ରାମ ପାଲା ମଣ୍ଡପ ଠାରେ, ଶୁକ୍ରବାର ଦିନ ପାଞ୍ଚଟି ଗ୍ରାମ ପଞ୍ଚାୟତର ପ୍ରାୟ ୫୦ ଜଣ ଚାଷୀଙ୍କୁ ନେଇ ଜୈବିକ ପ୍ରଣାଳୀରେ ଧାନଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି l ବ୍ଲକର ବାଟଗାଁ, କାନ୍ତୋଲ, କଙ୍କଡ଼ାହାଡ଼, କେରୋଜୋଳି ଓ କରଗୋଳାର ପଞ୍ଚାୟତରୁ ମହିଳା ପୁରୁଷ ଚାଷୀ ମାନେ ଏହି ତାଲିମ ଶିବିରରେ ଭାଗ ନେଇଥିଲେ l କେମିକାଲଯୁକ୍ତ ସାର ବ୍ୟବହାର ନକରି ନିଜେ ଜୈବିକ ପ୍ରଣାଳୀରେ ଜୈବିକ ସାର ତିଆରି କରି ଧାନ ଚାଷରେ ବ୍ୟବହାର କଲେ ଅମଳ ଅଧିକ ହେବ ସହିତ, ଜମିର ମାଟି ହୃଷ୍ଟପୃଷ୍ଟ, ନରମ ଏବଂ ଉର୍ବର ରହିଥାଏ l
ଜାତୀୟ ଧାନଚାଷ ଗବେଷଣା କେନ୍ଦ୍ର ଓ ଆଇ.ସି.ଆଈ ସଂଗଠନ ଢେଙ୍କାନାଳ ଓ କୋଠବାଡ କୃଷକ ଉତ୍ପାଦକ କମ୍ପାନୀଙ୍କ ମିଳିତ ସହଯୋଗରେ ଉକ୍ତ ତାଲିମ ଶିବିରର ଆୟୋଜନ କରାଯାଇଥିଲା l ଏହି ଶିବିରରେ ମୂଖ୍ୟ ତାଲିମଦାତା ରୂପେ ପ୍ରଫେସର ଡଃ. ଅରୁପ କୁମାର ମୂଖାର୍ଜୀ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କୋଠବାଡ କୃଷକ ଉତ୍ପାଦକ କମ୍ପାନୀର କୃଷକ ସଂଯୋଜକ ବିଦ୍ୟାଧର ମହାନ୍ତ ଯୋଗଦେଇଥିଲେ କାର୍ଯ୍ୟକ୍ରମକୁ ଆଇ.ସି.ଆଇ ସଂଗଠନ ର ଜିଲ୍ଲା ସଂଯୋଜକ ଆଶୁତୋଷ ପଣ୍ଡା ପରିଚାଳନା କରିଥିଲେ l ଆଗାମୀ ଦିନରେ କେମିକାଲ ଯୁକ୍ତ ସାର ଠାରୁ ଦୂରେଇ ରହି, ଜୈବିକ ସାରକୁ କୃଷିରେ ବ୍ୟବହାର ପାଇଁ ସଂଯୋଜକ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ।