ବଦଳି ନିର୍ଦ୍ଦେଶ ମାନୁନାହାନ୍ତି ଓଏଏସ୍‌ ଅଧିକାରୀ: ୧୦ ସୁଦ୍ଧା ଯୋଗ ନଦେଲେ ୧୧ରେ ନିଲମ୍ବନ

ରାଜ୍ୟ ସରକାର ଗତ ‌ଅଗଷ୍ଟ ୧୭ରେ ୨୯ଜଣ ଓଏଏସ୍‌ ଅଧିକାରୀ ଏବଂ ଅକ୍ଟୋବର ୧୭ତାରିଖରେ ୧୧୮ଜଣ ଓଏଏସ୍‌ ଅଧିକାରୀଙ୍କର ବଦଳି କରିଥିଲେ। ହେଲେ ଏଥିରୁ ଅଧିକାଂଶ ଓଏଏସ୍‌ ଅଧିକାରୀ ଏବେ ସୁଦ୍ଧା ନୂଆ ଦାୟିତ୍ବ ସମ୍ଭାଳୁନାହାନ୍ତି।

ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ରାଜ୍ୟ ସରକାର ଗତ ‌ଅଗଷ୍ଟ ୧୭ରେ ୨୯ଜଣ ଓଏଏସ୍‌ ଅଧିକାରୀ ଏବଂ ଅକ୍ଟୋବର ୧୭ତାରିଖରେ ୧୧୮ଜଣ ଓଏଏସ୍‌ ଅଧିକାରୀଙ୍କର ବଦଳି କରିଥିଲେ। ହେଲେ ଏଥିରୁ ଅଧିକାଂଶ ଓଏଏସ୍‌ ଅଧିକାରୀ ଏବେ ସୁଦ୍ଧା ନୂଆ ଦାୟିତ୍ବ ସମ୍ଭାଳୁନାହାନ୍ତି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ବେ ଅଧିକାରୀମାନେ ପୁରୁଣା ଅଫିସ୍‌ରୁ ହଟୁନାହାନ୍ତି। ଏପରିକି ଦରମା ବନ୍ଦ କରାଯିବ ବୋଲି ଧମକ ଦିଆଯିବା ସତ୍ତ୍ବେ ନ ଯିବାରୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କୁହାଯାଇଛି ଯେ ଯେଉଁ ଅଧିକାରୀମାନେ ଡିସେମ୍ବର ୧୦ତାରିଖ ସୁଦ୍ଧା ବଦଳି ହୋଇଥିବା କାର୍ଯ୍ୟାଳୟରେ ଯୋଗ ନଦେବେ, ଡିସେମ୍ବର ୧୧ତାରିଖରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଗଲା ବୋଲି ଧରିନିଆଯିବ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅମୀୟ କୁମାର ସାହୁ ଶନିବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯେ ରାଜସ୍ବ ବିଭାଗ ପକ୍ଷରୁ ଅଗଷ୍ଟ ୧୭ ଓ ଅକ୍ଟୋବର ୧୭ରେ ଯେଉଁ ଓଏଏସ୍‌ ଅଧିକାରୀମାନଙ୍କର ବଦଳି ହୋଇଥିଲା ସେମାନଙ୍କୁ ନଭେମ୍ବର ୨୬ରେ ବିଭାଗ ପକ୍ଷରୁ ଏକସ‌ଙ୍ଗେ ରିଲିଭ୍ କରାଯାଇଥିଲା। ଏହାସତ୍ତ୍ବେ କେତେକ ଅଧିକାରୀ ନୂଆ କାର୍ଯ୍ୟାଳୟରେ ଯୋଗନଦେବାରୁ ଯେଉଁ ଅଧିକାରୀମାନେ ଡିସେମ୍ବର ୩ତାରିଖ ସୁଦ୍ଧା ନୂଆ କାର୍ଯ୍ୟାଳୟରେ ଯୋଗଦେଇ ନଥିବେ ସେମାନଙ୍କ ଦରମା ବନ୍ଦ କରିବାକୁ କୁହାଯାଇଥିଲା। ବାରମ୍ବାର ତାଗିଦ୍, ଆଦେଶକୁ ଅବମାନନା କରି କେତେକ ଅଧିକାରୀ ପୁରୁଣା କାର୍ଯ୍ୟାଳୟରେ କାମ କରୁଛନ୍ତି। ପଦ ଛାଡ଼ୁନଥିବାରୁ ନୂଆ ଅଧିକାରୀ ଯୋଗ ଦେଇପାରୁନାହାନ୍ତି। ଏହା ବ୍ୟାପକ ଅବମାନନା ବୋଲି ବିଚାର କରାଯିବ। ତେଣୁ ଡିସେମ୍ବର ୧୦ତାରିଖ ସୁଦ୍ଧା ସେମାନେ ଯଦି ନୂଆ କାର୍ଯ୍ୟାଳୟରେ ଯୋଗ ନ ଦିଅନ୍ତି, ତେବେ ଡିସେମ୍ବର ୧୧ରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଗଲା ବୋଲି ବିଚାର କରାଯିବ। ଯେଉଁମାନେ ଏବେ ତାଲିମ ନେଉଛନ୍ତି ସେମାନଙ୍କୁ ତାଲିମ ଶେଷ ହେବା ପରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି। 

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୭ରେ ଯେଉଁ ବଦଳି ନିର୍ଦ୍ଦେଶନାମା ବାହାରିଥିଲା ସେଥିରେ ଡେପୁଟି କମିସନର, ଅନୁସଚିବ, ତହସିଲଦାର, ବିଡିଓ, ପୌରସଂସ୍ଥାର ନିର୍ବାହୀ ଅଧିକାରୀ, ଡେପୁଟି କଲେକ୍ଟର, ସବ୍‌ରେଜିଷ୍ଟ୍ରାର ସ୍ତରର ଅଧିକାରୀ ଥିଲେ। ହେଲେ ଅକ୍ଟୋବର ୧୭ରେ ଯେଉଁ ବଦଳି ନିର୍ଦ୍ଦେଶନାମା ବାହାରିଥିଲା ସେଥିରେ ଅଧିକାଂଶ ତହସିଲଦାର ଥିଲେ। ଏହା ବାଦ୍ କେତେକ ବିଡିଓ, ଡେପୁଟି କଲେକ୍ଟର, ଅତିରିକ୍ତ ଭୂମି ଅଧିଗ୍ରହଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କର ବି ବଦଳି ହୋଇଥିଲା।

Leave A Reply

Your email address will not be published.