ଉଦ୍ଘାଟନ ହେବ କୋଣାର୍କ ଇକୋ ରିଟ୍ରିଟ
ବେଳାଭୂମିରେ ପଞ୍ଚତାରକା ହୋଟେଲ ଓ ବାରର ମଜା ନେବେ ପର୍ଯ୍ୟଟକ
କୋଣାର୍କ/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ଡିସେମ୍ବର ୧୩ରୁ ଆରମ୍ଭ ହେବ କୋଣାର୍କ ଇକୋ ରିଟ୍ରିଟ। ଏବେଠୁ ରାମଚଣ୍ଡୀ ମୁହାଣ ଇକୋ ରିଟ୍ରିଟ ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସମୁଦ୍ର ବେଳାଭୂମି ଚଳଚଞ୍ଚଳ ହୋଇଉଠିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଆଉ ଦିନ କେଇଟା ପରେ କୋଣାର୍କ ଇକୋ ରିଟ୍ରିଟ ଷଷ୍ଠ ସଂସ୍କରଣ ଆରମ୍ଭ ହେବ। ଏଥି ନିମନ୍ତେ ବେଳାଭୂମିରେ ବଡ଼ ତୋରଣ, ସେଲ୍ଫି ପଏଣ୍ଟ,କନଫରେନ୍ସ ଓ ରିସେପସନ ପାଇଁ ଦୁଇଟି ବଡ଼ ହଲ ନିର୍ମାଣ, ପାନୀୟ ଜଳ ବ୍ୟବସ୍ତା, ବିଦ୍ୟୁତ ସଂଯୋଗ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ବେଳାଭୂମିରେ ୭୦ ତମ୍ବୁଘର ଓ ଦୁଇଟି ଓପନ ବାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପର୍ଯ୍ୟଟକ ମାନଙ୍କ ପାଇଁ ତମ୍ବୁ ଘରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିବ। ଏହା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ। ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା,ବାନାନା ବୋଟ, ପାରାସେଲିଙ୍ଗ,ସାଇକେଲ ଚାଳନା, ସଂଗୀତ ଓ ଯୋଗ ଭିତିକ କାର୍ଯ୍ୟକ୍ରମ ରହିଛି। କୋଣାର୍କ ଇକୋ ରିଟ୍ରିଟର ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି, ଆସନ୍ତା ୧୩ରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହେବ ବୋଲି କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା ଦେଇଛନ୍ତି।