ଅନ୍‌ଲାଇନ୍‌ ଗେମ୍‌ର ଭୟଙ୍କର ପରିଣତି: ଜୀବନ ହାରିଦେଲେ ଯୁବକ

ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) : ସମ୍ପ୍ରତି ଅନ୍‌ଲାଇନ୍‌ ଗେମ୍‌ ସମଗ୍ର ଦେଶର ଯୁବପିଢ଼ିଙ୍କ ଏକ ବଡ଼ ବିପଦ ସାଜିଛି। ଅନ୍‌ଲାଇନ୍ ଗେମ୍‌ରେ ଫସି ବହୁ ଯୁବକ ପ୍ରାଣ ହାରିଦେଉଛନ୍ତି। ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ୍‌ରେ ଏଭଳି ଗେମ୍‌ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଜଣେ ୨୨ ବର୍ଷୀୟ ଯୁବକ ପ୍ରାଣ ହାରିଦେଇଛନ୍ତି। ସେ ହେଲେ ବଢ଼େଇବାଙ୍କ ଛକରେ ରହୁଥିବା ଶଶାଙ୍କ ଶେଖର ଶତପଥୀ। ଗତକାଲି ବିଳମ୍ବିତ ରାତିରେ ଶଶାଙ୍କ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଛନ୍ତି। ପରିବାର ଲୋକେ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ ହେଁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ଲିଙ୍ଗରାଜ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କ ସୂଚନାନୁସାରେ ଶଶାଙ୍କ ଅନ୍‌ଲାଇନ୍‌ ଗେମ୍‌ ଖେଳି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ବୋଲି ସେ କହିଛନ୍ତି। ଶଶାଙ୍କ ଅନ୍‌ଲାଇନ୍‌ ଗେମ୍‌ ଖେଳି ଲକ୍ଷାଧିକ ଟଙ୍କା ହରାଇଥିଲେ। ଏଥିପାଇଁ ସେ କିଛି ଟଙ୍କା ଧାରଉଧାର କରିଥିଲେ। ଗେମ୍‌ରୁ ଲାଭ କରି ସେ କରଜ ଶୁଝିବାକୁ ଚେଷ୍ଟା କରୁଥିଲେ। ମାତ୍ର ସେ ଥରକୁ ଥର କ୍ଷତିଗ୍ରସ୍ତ ହେଉଥିଲେ। କରଜଦାତାଙ୍କ ଚାପ ପାଇଁ ତାଙ୍କ ମାନସିକସ୍ଥିତି ଭଲ ନଥିଲା। ବଡ଼ କଥା ହେଉଛି ସେ ଏନେଇ ପରିବାର ଲୋକଙ୍କୁ ଜଣାଇନଥିଲେ। ଶେଷରେ କରଜ ଶୁଝିବା ଭଳି ସ୍ଥିତି ନ ଆସିବାରୁ ଶଶାଙ୍କ ଜୀବନ ହାରିବା ଭଳି ଭୟଙ୍କର ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.