ବିଧବାଙ୍କୁ ଠକିଲେ ବ୍ୟାଙ୍କ ଅଧିକାରୀ: ଲୁଟିନେଲେ ୨ କୋଟି ୩୦ ଲକ୍ଷ
1 min read

ବିଧବାଙ୍କୁ ଠକିଲେ ବ୍ୟାଙ୍କ ଅଧିକାରୀ: ଲୁଟିନେଲେ ୨ କୋଟି ୩୦ ଲକ୍ଷ

କଟକ ବାଦାମବାଡ଼ିରେ ଜଣେ ବିଧବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟି ୩୦ ଲକ୍ଷ ଟଙ୍କା ହଡ଼ପ ହୋଇଛି। ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ମହିଳାଙ୍କ ଦସ୍ତଖତ ନେଇ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା ହଡ଼ପ କରିଛନ୍ତି।

କଟକ,୦୧-୧୨-୨୦୨୪ (ପିପିଏସ ) : କଟକ ବାଦାମବାଡ଼ିରେ ଜଣେ ବିଧବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟି ୩୦ ଲକ୍ଷ ଟଙ୍କା ହଡ଼ପ ହୋଇଛି। ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ମହିଳାଙ୍କ ଦସ୍ତଖତ ନେଇ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା ହଡ଼ପ କରିଛନ୍ତି। ଏ ନେଇ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ବକ୍ସିବଜାର ସାମନ୍ତସାହିର ଏକ୍ସିସ ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜର କ୍ଷୀରୋଦ କୁମାର ନାୟକ(୩୯)କୁ ଗିରଫ କରିଛି। କ୍ଷୀରୋଦର ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଥିବା ୨୦ ଲକ୍ଷ ଟଙ୍କାକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍‌ କରିଛି। ଏହା ସହିତ ତା ନିକଟରୁ ୩୨ଟି ଏଟିଏମ୍‌ କାର୍ଡ, ୫ଟି ପାସ୍‌ବୁକ, ୩୭ଟି ଚେକ୍‌ ବହି, ୨ଟି ମୋବାଇଲ୍ ଫୋନ, ସିମ୍‌କାର୍ଡ, ଲାପଟପ୍, ଦସ୍ତଖତ ହୋଇଥିବା ଚେକ୍ ବହି ଇତ୍ୟାଦି ଜବତ ହୋଇଛି।

ଲୁଟିନେଲେ ୨ କୋଟି ୩୦ ଲକ୍ଷ 
ଏକ୍ସିସ୍ ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜର ଗିରଫ
କ୍ରାଇମବ୍ରାଞ୍ଚରେ ମାମଲା, ୨୦ ଲକ୍ଷ ଟଙ୍କା ଜବତ

ସୂଚନା ଅନୁଯାୟୀ, କଟକ ସହରର ଜଣେ ବରିଷ୍ଠ ନାଗରିକ ମହିଳାଙ୍କ ବାଦାମବାଡ଼ି ଏକ୍ସିସ୍ ବ୍ୟାଙ୍କ ଶାଖାରେ ସଞ୍ଚୟ ଖାତା, କରେଣ୍ଟ ଆକାଉଣ୍ଟ ଏବଂ ଓଡି ଆକାଉଣ୍ଟ ରହିଛି। ସ୍ବାମୀଙ୍କ ଦେହାନ୍ତ ପରେ ତାଙ୍କ ପାଇଁ ବ୍ୟାଙ୍କର କର୍ମଚାରୀ କ୍ଷୀରୋଦ ନାୟକଙ୍କୁ ରିଲେସନ୍ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଥିଲା। ଏହି ମହିଳା ଜଣକ ବ୍ୟାଙ୍କରେ ଅର୍ଥ କାରବାର ସମ୍ପର୍କରେ ବେଶୀ କିଛି ଜାଣିନଥିଲେ। ତେଣୁ ସେ ବ୍ୟାଙ୍କରେ ଅର୍ଥ କାରବାର ପାଇଁ କ୍ଷୀରୋଦ ଉପରେ ନିର୍ଭର କରୁଥିଲେ। କ୍ଷୀରୋଦ ଏହି ମହିଳାଙ୍କ ଘରକୁ ନିୟମିତ ଆସୁଥିଲା। ଏହି ସମୟରେ ୩ ମାସିଆ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଜଣାଇବା ପାଇଁ ମହିଳାଙ୍କ ମୋବାଇଲ ନମ୍ବର ବ୍ୟବହାର କରୁଥିଲା। ଅଧିକ ସୁଧ ପାଇବା ପାଇଁ ଫିକ୍ସ ଡିପୋଜିଟ୍ ଆକାଉଣ୍ଟ ଖୋଲିବାକୁ ମହିଳାଙ୍କୁ କ୍ଷୀରୋଦ ବାରମ୍ବାର ପ୍ରବର୍ତ୍ତାଇଥିଲା। ମହିଳା ଜଣକ ରାଜି ହେବାରୁ ଏଥିପାଇଁ ଏକାଧିକ ଦସ୍ତଖତ କ୍ଷୀରୋଦ ମହିଳାଙ୍କ ନିକଟରୁ ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନାଁରେ ଏକ ଓଡି ଲୋନ୍ ହୋଇଥିବା ବେଳେ ଏହି ଟଙ୍କା ସୁମିତ୍ରା ଖୁଣ୍ଟିଆ ନାମକ ଜଣେ ମହିଳାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର୍ ହୋଇଥିବା ବାଦାମବାଡ଼ି ଏକ୍ସିସ ବ୍ୟାଙ୍କର ଋଣ ବିଭାଗରୁ ଖବର ପାଇଥିଲେ। ତାଙ୍କ ଏଫ୍‌ଡି ଆକାଉଣ୍ଟରୁ ୨ କୋଟି ୩୦ ଲକ୍ଷ ଟଙ୍କା ଉଠାଣ ପରେ ଏହି ଟଙ୍କା ସୁମିତ୍ରାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଥିଲା। ଏକାଧିକ ପର୍ଯ୍ୟାୟରେ ସୁମିତ୍ରାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥିଲା। ଅଧିକ ଖୋଳତାଡ଼ ପରେ ମହିଳାଙ୍କ ମୋବାଇଲ୍ ନମ୍ବର ଏକ୍ସିସ୍ ବ୍ୟାଙ୍କ ଶାଖାରେ ବଦଳା ଯାଇଥିବା ଜଣାପଡ଼ିଥିଲା। ତେଣୁ ସୁମିତ୍ରାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ସମୟର ମେସେଜ୍ ସେ ପାଇନଥିଲେ। ଏ ସଂକ୍ରାନ୍ତରେ ମହିଳା ଜଣକ ୨୫ ତାରିଖରେ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଅଭିଯୋଗ କରିଥିଲେ। ସାଇବର୍ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। 

ଅଭିଯୁକ୍ତ କ୍ଷୀରୋଦ ୨୦ ବର୍ଷ ହେବ ବ୍ୟାଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଛି। ତେବେ ଏକ୍ସିସ୍ ବ୍ୟାଙ୍କରେ ସେ ଗଲା ୬ ବର୍ଷ ହେବ କାର୍ଯ୍ୟ କରୁଥିଲା। ସେ ବ୍ୟାଙ୍କରେ ଜମାକାରୀଙ୍କ ସହିତ ବିଶ୍ବାସ ଜନ୍ମାଇ ଟଙ୍କା ହଡ଼ପ ଉଦ୍ଦେଶ୍ୟରେ ଏକାଧିକ ସଞ୍ଚୟ ଖାତା ଖୋଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜଣାପଡ଼ିଥିଲା। ତେବେ ବାଦାମବାଡ଼ିରେ ଏହି ବିଧବା ମହିଳା ଜଣକ ଏକୁଟିଆ ରହୁଥିବାର ସୁଯୋଗ ନେଇ ତାଙ୍କ ନାଁରେ ଥିବା ୨ କୋଟି ୫୦ ଲକ୍ଷ ଟଙ୍କାର ଏଫ୍‌ଡିରୁ ୨ କୋଟି ୩୦ ଲକ୍ଷ ଉଠାଇ ନେଇଥିଲା। ମହିଳାଙ୍କ ଅଗୋଚରରେ ତାଙ୍କ ମୋବାଇଲ ନମ୍ବର ବଦଳାଇବା ପରେ ପୂରା ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲା। ସୁମିତ୍ରାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବା ପରେ କ୍ଷୀରୋଦ ନିଜ ନାଁରେ ଥିବା ଏକାଧିକ ଆକାଉଣ୍ଟକୁ ଏହି ଟଙ୍କା ପଠାଇଥିଲା। କ୍ଷୀରୋଦ ପାଖାପାଖି ୧ କୋଟି ଟଙ୍କାର ବୀମା କରିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *