ବେଆଇନ୍ କାରବାର ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନେଉଛି।
ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ଆଜି ୧୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଏଥିରେ ୫ ଜଣ ପୂର୍ବତନ ସରପଞ୍ଚ ମଧ୍ୟ ସାମିଲ ଅଛନ୍ତି।
ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ବେଆଇନ୍ କାରବାର ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନେଉଛି। ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ଆଜି ୧୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିରେ ୫ ଜଣ ପୂର୍ବତନ ସରପଞ୍ଚ ମଧ୍ୟ ସାମିଲ ଅଛନ୍ତି। ୨୦୦୫ରେ ମୟୂରଭଂଜ ଜିଲ୍ଲା ଉଦଳାରେ ଲାଇଟ୍ ସଂଯୋଗ ନାଁରେ ବ୍ୟାପକ ଅନିୟମିତତା ମାମଲାରେ ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ୫ ଜଣ ପୂର୍ବତନ ସରପଞ୍ଚ ଓ ଜଣେ ବିଦ୍ୟୁତ ସାମଗ୍ରୀ ଯୋଗାଣକାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ଉଦଳାବ୍ଲକ ଅଧୀନ ଖଳାଡ଼ି ପଞ୍ଚାୟତର ସୀତା ବାସକେ, ସିଦମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ମହାଦେବ ଟୁଡୁ, ରାଧୋ ପଞ୍ଚାୟତର ବାସେନ ମରାଣ୍ଡି, ବଡ଼ସିଙ୍ଗଡ଼ା ପଞ୍ଚାୟତର ଜିତେନ୍ଦ୍ର ସିଂହ, କୁଣ୍ଡାବାଇ ପଞ୍ଚାୟତର ବୁଦ୍ଧିରାମ ସିଂହ ଓ ବାରିପଦାର ଜଣେ ଘରୋଇ ବିଦ୍ୟୁତ ଯୋଗାଣକାରୀ ସଂଜୟ କୁମାର ଦାସ। ଏମାନେ ସମସ୍ତେ ବିଦ୍ୟୁତ ସାରଞ୍ଜମ କିଣାକିଣିରେ ଦୁର୍ନୀତି ମାମଲାରେ ସଂପୃକ୍ତ ଥିଲେ। ବାଲେଶ୍ବର ଭିଜିଲାନ୍ସ ଡିଭିଜନର ପୂର୍ବତନ ଡିଏସ୍ପି ଏମ ସ୍ବାଇଁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ ସରକାରୀ ଓକିଲ ଶାନ୍ତନୁ ଦାସ ମାମଲାର ପରିଚାଳନା କରୁଥିଲେ।ଆୟବର୍ହିଭୂତ ହେଉ ବା ଲାଞ୍ଚ କାରବାର ହେଉ, ରାଜ୍ୟରେ ଅନେକ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି କାମରେ ଲିପ୍ତ ରହୁଛନ୍ତି। ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡ଼ିବା ପରେ ମଧ୍ୟ ଏଥିରୁ ଅନ୍ୟମାନେ ଶିକ୍ଷା ଗ୍ରହଣ କରୁନାହାନ୍ତି। ଓଡ଼ିଶା ଭିଜିଲାନ୍ସ କୋର୍ଟ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ (ଅବସରପ୍ରାପ୍ତ ) ଶିବାନନ୍ଦ ପଟ୍ଟନାୟକ, ପୂର୍ବତନ କନିଷ୍ଠ ଯନ୍ତ୍ରୀ ଶକ୍ତିରଂଜନ ସିଂହସାମନ୍ତ ଓ ଚତୁର୍ଭୁଜ ବେହେରାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୪ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ କରିଥିଲେ ପୂର୍ବତନ ଭିଜିଲାନ୍ସ ଇନ୍ସପେକ୍ଟର ଡି ନାଏକ। ସରକାରୀ ଓକିଲ ଶାନ୍ତନୁ ଦାସ ମାମଲାର ପରିଚାଳନା କରୁଥିଲେ। କଟକ ଭିଜିଲାନ୍ସ କୋର୍ଟ ଦୁର୍ନୀତି ମାମଲାରେ କଟକ ମହାନଗର ନିଗମର ପୂର୍ବତନ (ସେବାନିବୃତ୍ତ) ଟାକ୍ସ କଲେକ୍ଟର ଏସ୍କେ ଉସମାନ ଖାନଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। କଟକ ଭିଜିଲାନ୍ସ କୋର୍ଟ ସିଟି ଲେଭେଲ ଟେକ୍ନିକାଲ ସେଲ୍ର ଶ୍ରୀକାନ୍ତ ମହାପାତ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସମ୍ବଲପୁର ଭିଜିଲାନ୍ସ କୋର୍ଟ ସୁନ୍ଦରଗଡ଼ ଡିଏଫ୍ଓ କାର୍ଯ୍ୟାଳୟର ପୂର୍ବତନ ହିସାବରକ୍ଷକ ହେମନ୍ତ କୁମାର ମିଶ୍ରଙ୍କୁ ୩ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି। ପୂର୍ବତନ ଇନ୍ସପେକ୍ଟର ସିଦ୍ଧେଶ୍ବର ସାହୁ ଏହି ମାମଲାର ତଦନ୍ତ କରୁଥିବା ବେଳେ ଶ୍ୟାମସୁନ୍ଦର ମିଶ୍ର ମାମଲାର ପରିଚାଳନା କରୁଥିଲେ। ଗଂଜାମ ଜିଲ୍ଲା ଜଗନ୍ନାଥପୁର ମାର୍କଫେଡର ପୂର୍ବତନ ପ୍ରବନ୍ଧକ ଭୁବନ ମୋହନ ଦାଶ ଓ ପୂର୍ବତନ ପ୍ରଭାରୀ ଏସ୍କେ ଅବଦୁଲଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।