ବନ୍ଦ ପଡ଼ିଛି ଗ୍ରାମୀଣ ଶିଳ୍ପ ଉଦ୍ୟାନ, ଖତଖାଉଛି ଯନ୍ତ୍ରପାତି
1 min read

ବନ୍ଦ ପଡ଼ିଛି ଗ୍ରାମୀଣ ଶିଳ୍ପ ଉଦ୍ୟାନ, ଖତଖାଉଛି ଯନ୍ତ୍ରପାତି

ରାଉରକେଲା/ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ସ୍ଥାନୀୟ ଅଞ୍ଚଳର ଚାଷୀ ଓ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ କୁଆରମୁଣ୍ଡାରେ ପ୍ରତିଷ୍ଠା ହୋଇଛି ଗ୍ରାମୀଣ ଶିଳ୍ପ ଉଦ୍ୟାନ। ଏଥିରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ୨ କୋଟି ୭୦ ଲକ୍ଷ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ ଅନ୍ୟାନ୍ୟ ପାଣ୍ଠିରୁ ଅନ୍ୟ କାମ ପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ୨୦୨୨ରୁ ଶେଷ ହୋଇଥିବା ପ୍ରକଳ୍ପ ଏଯାଏଁ କାର୍ଯ୍ୟକ୍ଷମ ହେଉନି। ଚାଷୀ ଓ ମହିଳାଙ୍କ ଦାବି ପରେ କୁଆରମୁଣ୍ଡା ବିଡିଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରାଇଛନ୍ତି। ଏହାପରେ ଶିଳ୍ପ ଉଦ୍ୟାନ ଖୋଲିବାକୁ ଜିଲ୍ଲାପାଳ ପାନପୋଷ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେବେ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଖୋଲିବ କାହାରି ପାଖରେ ଉତ୍ତର ନାହିଁ। ଫଳରେ ବନ୍ଦ ପଡ଼ିଥିବା ଗ୍ରାମୀଣ ଶିଳ୍ପ ଉଦ୍ୟାନ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳ ପାଲଟିଛି। ଦୁଇବର୍ଷ ଧରି ଗ୍ରାମୀଣ ଶିଳ୍ପ ଉଦ୍ୟାନ ବନ୍ଦ ପଡ଼ିଥିବାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଉଚ୍ଚ ଅଧିକାରୀ ହସ୍ତକ୍ଷେପ ନ କଲେ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଚରାଭୂଇଁ ପାଲଟିଯିବାର ସମ୍ଭାବନା ରହିଛି।

ସ୍ଥାନୀୟ ଚାଷୀ ସେମାନଙ୍କ ଉତ୍ପାଦିତ ପନିବରିବା ଓ ଅନ୍ୟାନ୍ୟ ଜିନିଷ ବିକିବାକୁ ସୁବିଧା କରିବା ସମେତ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଗତ ସରକାର ସମୟରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୨ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚକରି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯାଇଥିଲା। ପ୍ରକଳ୍ପ କାମ ଗତ ୨୦୨୨ ସୁଦ୍ଧା ଶେଷ ‌ହୋଇଥିଲା।

 ସ୍ଥାନୀୟ ଚାଷୀ ସେମାନଙ୍କ ଉତ୍ପାଦିତ ପନିବରିବା ଓ ଅନ୍ୟାନ୍ୟ ଜିନିଷ ବିକିବାକୁ ସୁବିଧା କରିବା ସମେତ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଗତ ସରକାର ସମୟରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୨ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚକରି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯାଇଥିଲା। ପ୍ରକଳ୍ପ କାମ ଗତ ୨୦୨୨ ସୁଦ୍ଧା ଶେଷ ‌ହୋଇଥିଲା। ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିସରରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକିବାକୁ ପିଣ୍ଡି ନିର୍ମାଣ କରାଯାଇଛି। ଏହାଛଡ଼ା ଦୁଇଟି ବୃ୍ହତ ଗୋଦାମଘର ନିର୍ମାଣ ହୋଇଛି। ଗୋଟିଏ ଗୋଦାମଗୃହକୁ କୁଆରମୁଣ୍ଡା ଲ୍ୟାମ୍ପସ୍‌କୁ ଧାନ ରଖିବାକୁ ଦିଆଯାଇଛି। ଅନ୍ୟ ଗୋଦାମକୁ ଭାଗଭାଗ କରି ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ବାଣ୍ଟି ଦିଆଯାଇଛି। ସେଠାରେ ମହିଳାମାନେ ଅଗରବତି, ଜୋତା କାରଖାନା ସହ ଅନ୍ୟାନ୍ୟ ୟୁନିଟ୍‌ ବସାଇଛନ୍ତି। ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ କିଣାହୋଇ ପଡ଼ିଛି। କିନ୍ତୁ ବିଜୁଳି ସଂଯୋଗ ହୋଇ ନଥିବାରୁ ତାହା ଚାଲିପାରୁନି ଓ ଯନ୍ତ୍ରପାତି ଖତଖାଉଛି। ଗ୍ରାମୀଣ ଶିଳ୍ପ ଉଦ୍ୟାନ କାର୍ଯ୍ୟକ୍ଷମ ହୋଇପାରୁନି। ଶିଳ୍ପ ଉଦ୍ୟାନ ଜଗିବା ପାଇଁ ସୁରକ୍ଷାଗୃହ ନିର୍ମାଣ ହୋଇଛି। କିନ୍ତୁ ଜଣେ ହେଲେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦିଆଯାଇନି। ଅନ୍ଧାର ଥିବାରୁ ଶିଳ୍ପ ଉଦ୍ୟାନ ସମ୍ପୂର୍ଣ୍ଣ ଅନ୍ଧାର ରହିଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତାରୁ ଏହି ଗ୍ରାମୀଣ ଶିଳ୍ପ ଉଦ୍ୟାନ ନା’ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କାମରେ ଆସୁଛି ନା ସ୍ଥାନୀୟ ଚାଷୀ ଉପକୃତ ହେଉଛନ୍ତି। ସେପଟେ ଆସନ୍ତା ଡିସେମ୍ବର ୨୦ରୁ କୁଆରମୁଣ୍ଡା ଲ୍ୟାମ୍ପସରେ ଧାନକିଣା ହେବାକୁ ଯାଉଥିବାରୁ ଗୋଦାମଗୃହର ସୁରକ୍ଷାକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।

 ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ କହିଛନ୍ତି, ଟ୍ରାନ୍ସଫର୍ମର ବସାଇବାକୁ ବିଦ୍ୟୁତ୍‌ ବିଭାଗକୁ କହାଯାଇଥିଲା। ବିଭାଗ ୧୨ ଲକ୍ଷରୁ ଅଧିକ ଟଙ୍କାର ବଜେଟ୍‌ ଦେଇଥିବାରୁ ସମସ୍ୟା ଉପୁଜିଛି। ତଥାପି ଆସନ୍ତା ସପ୍ତାହେ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ କରି ଗ୍ରାମୀଣ ଶିଳ୍ପ ଉଦ୍ୟାନକୁ ଚାଲୁ କରାଯିବ ବୋଲି ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *