ରାଜଧାନୀରେ  ଅସ୍ତବ୍ୟସ୍ତ କଲେଣି ମଶା: ସାନ୍ଦ୍ରତା ୭୦ ଛୁଇଁଲା
1 min read

ରାଜଧାନୀରେ ଅସ୍ତବ୍ୟସ୍ତ କଲେଣି ମଶା: ସାନ୍ଦ୍ରତା ୭୦ ଛୁଇଁଲା

ଭୁବନେଶ୍ୱର ୨୮-୧୧-୨୦୨୪ (ପିପିଏସ) : ରାଜଧାନୀରେ ମଶା ଅସ୍ତବ୍ୟସ୍ତ କଲେଣି। ଦିନ ହେଉ ବା ରାତି ଘରେ ରହି ହେଉନି। କାନ ପାଖରେ ଭଣ ଭଣ ହେଉଛନ୍ତି। ଦେହ ହାତ କାମୁଡ଼ି ଫୁଲାଇ ଦେଉଛନ୍ତି। ସ୍ଥିତି ଏମିତି ଯେ ମଶା ଧୂଆଁ(ରିପେଲାଣ୍ଟ)କୁ ବି ମାନୁ ନାହାନ୍ତି। ମଶାମରା ରୢାକେଟ୍ ବିନା ଘରେ ବସିବା ଅସମ୍ଭବ ହେଲାଣି। ଭୁବନେଶ୍ବରରେ ମଶା ସାନ୍ଦ୍ରତା ଧାର୍ଯ୍ୟ ସ୍ତରଠାରୁ ଯଥେଷ୍ଟ ଉଚ୍ଚ(ହାଇ ଡେନ୍‌ସିଟି)କୁ ପହଞ୍ଚି ଯାଇଥିବା ଯାଞ୍ଚରୁ ଜଣାପଡ଼ିଛି। ଆଗକୁ ଭୁବନେଶ୍ବରରେ ଏକାଧିକ ଜାତୀୟ ସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ। ତେଣୁ ଏବେଠାରୁ ମଶା ନିୟନ୍ତ୍ରଣ କରା ନ ଗଲେ ଆସନ୍ତା ୨ମାସ ସ୍ଥିତି ବିଗିଡ଼ିଯିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। ନଭେମ୍ବର ମାସ ବେଳକୁ ପ୍ରାୟତଃ ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍‌ ମଶାର ଆତଙ୍କ କମି ଆସିଥାଏ। ହେଲେ ହେଲେ ଅନ୍ୟ ମଶା(କ୍ୟୁଲେକ୍ସ)ଙ୍କ ଉତ୍ପାତ ଆରମ୍ଭ ହୋଇଯାଏ। ଯଦିଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗ ସୃଷ୍ଟି କରନ୍ତି ନାହିଁ, ତଥାପି ମଣିଷଠାରୁ ରକ୍ତ ଶୋଷିବାରେ ଏମାନେ ପାରଙ୍ଗମ। ମଶାଙ୍କ ସାନ୍ଦ୍ରତା ଯଦି ୫୦ ତଳେ ରୁହେ, ତେବେ ମଶା ନିୟନ୍ତ୍ରଣରେ ରହିଥିବା କୁହାଯାଏ। ଚଳିତ ସପ୍ତାହରେ ରାଜଧାନୀର ସତ୍ୟ ନଗର, ପୁରୁଣା ଭୁବନେଶ୍ବର, ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ(ୟୁନିଟ୍‌-୩) ଅଞ୍ଚଳରେ ମଶା ସାନ୍ଦ୍ରତା ମପା ଯାଇଥିଲା। ତାହା ୭୦ ରହିଥିବା ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ଜଣାପଡ଼ିଛି। ମଶା ନିୟନ୍ତ୍ରଣ ନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗତମାସରେ ଭୁବନେଶ୍ବର ସମେତ ୫ ମ୍ୟୁନିସିପାଲ କମିସନରଙ୍କୁ ପତ୍ର ଜାରି ହୋଇଥିଲା। ଏଥିପାଇଁ ଆବଶ୍ୟକ ଆକ୍ସନ ପ୍ଲାନ ପ୍ରସ୍ତୁତ ସହ ସମ୍ବେଦନଶୀଳ ଅଞ୍ଚଳର ମ୍ୟାପିଂ କରିବା ଲାଗି କୁହାଯାଇଥିଲା। ଏହା ଉପରେ କ’ଣ ପଦକ୍ଷେପ ନିଆଯାଇଛି ତାହା ସଂପର୍କରେ କିଛି ସୂଚନା ନାହିଁ। ଆଉ ଦିନକ ପରେ ଭୁବନେଶ୍ବର ଡିଜି ସମ୍ମିଳନୀ ଆୟୋଜିତ ହେବ। ଆସନ୍ତାବର୍ଷ ଜାନୁଆରି ଦ୍ବିତୀୟ ସପ୍ତାହରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେବ। ଏଥିରେ ଦେଶ ତଥା ଦେଶ ବାହାରୁ ଅନେକ ଲୋକଙ୍କ ସମାଗମ ହେବ। ଏବେଠାରୁ ଭୁବନେଶ୍ବରରେ ମଶା ସାନ୍ଦ୍ରତା ଢେର ଉଚ୍ଚରେ ରହିବା ବିଏମ୍‌ସି ସହ ରାଜ୍ୟ ସରକାରଙ୍କୁ ବଦନାମ କରିପାରେ। 

ଆଗକୁ ରାଜଧାନୀରେ ଏକାଧିକ ସମ୍ମିଳନୀ, ବଦନାମ କରିବ ମଶା କାମୁଡ଼ା

ଆଉଥରେ ମଶା ସାନ୍ଦ୍ରତା ଯାଞ୍ଚ ପାଇଁ କୁହାଯାଇଛି: ବିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ

ବିଶେଷଜ୍ଞଙ୍କ ମତରେ ସହରାଞ୍ଚଳ ଡ୍ରେନ୍ ଓ ନାଳରେ ହିଁ କ୍ୟୁଲେକ୍ସ ମଶା ଜନ୍ମ ନେଇଥାନ୍ତି। ତେଣୁ ପାଣିରେ ଅଣ୍ଡା ଦେଇଥିବା ସମୟରେ ମଶାକୁ ମାରିଦେବା ଉଚିତ୍। ମଶା ଉଡ଼ିଲା ପରେ ଫଗିଂର ଆବଶ୍ୟକତା ପଡ଼ିଥାଏ। ଏବେ ସହରର ଅଧିକାଂଶ ‌ଡ୍ରେନ୍‌ରେ ଢାଙ୍କୁଣି ପଡ଼ିଛି। ଏଥିରେ ମଶା ତେଲ ପକାଇବା କଷ୍ଟକର ହୋଇପଡ଼ୁଛି। ଅଣ୍ଡାଦେବା ଅବସ୍ଥାରେ ମଶା ମରୁ ନ ଥିବାରୁ ଲୋକଙ୍କୁ କାମୁଡ଼ି ଅସ୍ତବ୍ୟସ୍ତ କରି ପକାଉଛନ୍ତି। ସହର ଭିତରେ ଯେଉଁ ପ୍ରାକୃତିକ ନାଳ ରହିଛି ତାହାକୁ ନିୟମିତ ସଫା କରାଯାଉନାହିଁ। ବର୍ଷା ହେଉ ନ ଥିବାରୁ ନାଳରେ ପାଣି ସ୍ଥିର ହୋଇ ରହୁଛି। ଏହା ମଶା ଅଣ୍ଡା ଦେବା ପାଇଁ ସୁଯୋଗ ସୃଷ୍ଟି କରୁଛି। ମଶା ବଞ୍ଚିବା ଲାଗି ରକ୍ତ ଉପରେ ନିର୍ଭରଶୀଳ। ଯେହେତୁ ସହର ଭିତରେ ଗୃହ ପାଳିତ ପଶୁଙ୍କ ସଂଖ୍ୟା ନାମକୁ ମାତ୍ର ରହିଥିବାରୁ ମଶା ବାଧ୍ୟହୋଇ ମଣିଷକୁ କମାଡ଼ୁଛନ୍ତି। ଫେବ୍ରୁଆରି ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିପାରେ। 

ଭୁବନେଶ୍ବର ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡା.ଦୀପକ ‌ବିଶୋୟୀ କହିଛନ୍ତି, ଏବେ ଯେଉଁ ସର୍ଭେ ହୋଇଥିଲା ତାହାକୁ ପୁନର୍ବାର କରିବା ଲାଗି କୁହାଯାଇଛି। ଏବେ ‌କେବଳ ପୂର୍ବ ଜୋନ୍‌ରେ ମଶା ସାନ୍ଦ୍ରତା ମପାଯାଇଛି। ତେଣୁ ଭୁବନେଶ୍ବରର ଅନ୍ୟ ୩ଟି ଜୋନ୍‌ ସମେତ ଇନ୍‌ଡୋର ଓ ଆଉଟ୍‌ଡୋରରେ ମଶା ସାନ୍ଦ୍ରତା ମାପିବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। ଆଜିଠାରୁ ଏହି କାର୍ଯ୍ୟ ଆରମ୍ଭ ହେଲେ, ଆସନ୍ତା ୨-୩ଦିନ ଭିତରେ ପ୍ରକୃତରେ ରାଜଧାନୀରେ ମଶା ସାନ୍ଦ୍ରତା କେତେ ରହିଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ଡା.ବିଶୋୟୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *