ଓଡ଼ିଶାର ଦାର୍ଜିଲିଂରେ ପାରା ୬.୬ ଡିଗ୍ରୀ
1 min read

ଓଡ଼ିଶାର ଦାର୍ଜିଲିଂରେ ପାରା ୬.୬ ଡିଗ୍ରୀ

ଘୁ.ଉଦୟଗିରି/ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) : ସ୍ଥାନୀୟ ଅଞ୍ଚଳ ସମେତ ଟିକାବାଲି, ରାଇକିଆ, ସାରଂଗଡ଼ ପ୍ରଭୁତି ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ଗତ ୪ ଦିନ ଭିତରେ ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁ.ଉଦୟଗିରିର ତାପମାତ୍ରା ୯ ଡିଗ୍ରିରୁ ଆଜି ୬.୬ ଡିଗ୍ରିକୁ ଖସି ଆସିଛି। ସହର ଅପେକ୍ଷା ଦୁର୍ଗମ ପାହାଡ଼ ପର୍ବତ ଜଙ୍ଗଲ ଘେରା ଅଞ୍ଚଳରେ ୬ଡିଗ୍ରି ତକକୁ ପାରଦ ଖସି ରହୁଥିବା ଜଣାପଡ଼ିଛି।  ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଲୋକମାନେ ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରସା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁ ଚାରିପାଖରେ ବସୁଥିବା ପରିଲକ୍ଷତ ହେଉଛି। ଗରିବ ଲୋକ ଥଣ୍ଡା ପାଇଁ ଡହଳବିକଳ ହେଲେଣି। ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ ସ୍ଥାନୀୟ ସହରରେ ବସଷ୍ଟାଣ୍ଡ ନଥିବା ଏବଂ ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମ ଗୃହ ନଥିବା ଯୋଗୁଁ ବସ ଯାତ୍ରୀମାନେ ରାତିସାରା ବସ୍‌କୁ ଅପେକ୍ଷା କରିବା ନିମନ୍ତେ କାହା ବାରଣ୍ଡାରେ ବସୁଥିବା ବେଳେ କିଛି ଲୋକେ ଛକଗୁଡ଼ିକରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।

Udayagiri

ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ସକାଳ ଭ୍ରମଣରେ ଯାଉଥିବା ବ୍ୟକ୍ତିମାନଙ୍କ ସଂଖ୍ୟା କମିଛି। ଥଣ୍ଡା ପାଇଁ ଅଧିକାଂଶ ଲେ‌ାକେ ଘରୁ ବାହାରୁ ନଥିବା ଜଣାପଡ଼ିଛ। ସକାଳୁ ଚାହା ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି। ସୂର୍ଯ୍ୟ କିରଣ ପଡ଼ିବା ସ୍ଥାନରେ ଲୋକଙ୍କ ଖଟି ଅଧିକ ଦେଖୁବାକୁ ମିଳୁଛି। ଭୋର ସକାଳୁ ପାଣିରେ ହାତ ଦେଇହଉନି। ପାଣି ଜାଡ଼ି କି ରହୁଛି। ଥଣ୍ଡା ପଡ଼ିବା ପରେ ଗରମ ପାଣି ଭରସାରେ ଲୋକ ଜୀବନ କାଟୁଛନ୍ତି। ଗ୍ରାମାଞ୍ଚଳ ଲୋକ ସନ୍ଧ୍ୟା ହୋଇଗଲେ ଘରେ ରହୁଛନ୍ତି।

ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି। ଯେଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲ ହୋଇଯାଉଛି।ସଞ୍ଜ ନଇଁଲେ ସହର ରାସ୍ତା ଖାଁ ଖାଁ ଲାଗୁଛି। ସଡ଼କ, ଦୋକାନ-ବଜାର ଖାଲିଖାଲି ଲାଗୁଛି। ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଜାଡ ବଢ଼ିପାରେ।

Leave a Reply

Your email address will not be published. Required fields are marked *