ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା “ଦି ପ୍ରୋଟେକ୍ସନ ଅଫ ହୁମ୍ୟାନ ରାଇଟ୍ସ ଆକ୍ଟ-୧୯୯୩” ସଂକଳିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ “ଦି ପ୍ରୋଟେକ୍ସନ ଅଫ ହୁମ୍ୟାନ ରାଇଟ୍ସ ଆକ୍ଟ-୧୯୯୩” ସଂକଳିତ ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ଦ୍ୱାରା ସଂକଳିତ ଏହି ପୁସ୍ତକକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟରେ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ମାନବାଧିକାର ସୁରକ୍ଷା ଆଇନ, ଓଡ଼ିଶା ମାନବାଧିକାର ଆୟୋଗ ନିୟମାବଳୀ- ୨୦୦୩, ଓଡ଼ିଶା ମାନବାଧିକାର ଆୟୋଗ (ଅଧ୍ୟକ୍ଷ ଓ ସଭ୍ୟଙ୍କ ବେତନ, ଭତ୍ତା ଓ ସର୍ତ୍ତାବଳୀ) ନିୟମ- ୨୦୦୩, ଜାତୀୟ ମାନବାଧିକାର ଆୟୋଗ ନିୟମାବଳୀ- ୧୯୯୪, ଜାତୀୟ ମାନବାଧିକାର ଆୟୋଗ (ବାର୍ଷିକ ହିସାବ ବିବରଣୀ) ନିୟମାବଳୀ- ୧୯୯୬, ମିଳିତ ଜାତିସଂଘର ମାନବାଧିକାର ସଂଗଠନ ଓ ଢାଞ୍ଚାଗତ ବ୍ୟବସ୍ଥା, ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମା ଓ ପୋଲିସ ଅତ୍ୟାଚାର ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ସ୍ଥାନ ପାଇଛି ।ଉକ୍ତ ପୁସ୍ତକ ଆଇନଜୀବୀ,ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ସବୁ ବର୍ଗର ବ୍ୟକ୍ତିବିଶେଷ ମାନଙ୍କୁ ସହାୟକ ହେବା ସହ ମାନବାଧିକାର ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଆଡ଼ଭୋକେଟ ଜେନେରାଲ ଶ୍ରୀ ପୀତାମ୍ବର ଆଚାର୍ଯ୍ୟ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୁସ୍ତକର ପ୍ରକାଶକ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.