ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ

ଭଦ୍ରକ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ବଡ଼ବଡ଼ ଗ୍ରାମ ଓ ପଡ଼ାକୁ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମସଡକ ସହିତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଓ ଅନ୍ୟାନ୍ୟ ଯୋଜନାରେ ନୂତନ ରାସ୍ତା ନିର୍ମାଣ ହେଉଥିବା ବେଳେ ଅନେକ ରାସ୍ତାର ପୁନଃରୁଦ୍ଧାର ମଧ୍ୟ ହେଉଛି । ଏହାସତ୍ୱେ ପ୍ରଶାସନିକ ଅପାରଗତା ହେଉ କିମ୍ବା ଆଂଚଳିକ ସ୍ତରରେ ରାଜନୈତିକ ନେତୃବୃନ୍ଦଙ୍କ ପରସ୍ପର ବିରୋଧାଭାସ ଯୋଗୁ ଆଜି ବି ସୁଦ୍ଧା ଅନେକ ଗାଁକୁ ଭଲ ରାସ୍ତାଟିଏ ନାହିଁ । ଏମିତିକି ପୁରୁଣା ରାସ୍ତାରେ ୨୦ବର୍ଷ ହେବ ମୋରମ ଗଣ୍ଡିଏ ପଡିପାରୁନାହିଁ । ଯେଉଁଥିପାଇଁ ଗ୍ରାମବାସୀ ମାନେ ଗମନାଗମନ ସୁବିଧାରୁ ବଂଚିତ ହେଉଛନ୍ତି । ଏମିତି ଏକ ରାସ୍ତାର ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଗାଁ ଠାରେ । ତିନିଗୋଟି ୱାର୍ଡକୁ ନେଇ ପଂଚାୟତର ସର୍ବବୃହତ ଗ୍ରାମ ଭାବେ ପରିଚିତ ଉକ୍ତ ଗ୍ରାମର ଲୋକସଂଖ୍ୟା ପ୍ରାୟ ଦୁଇହଜାରରୁ ଅଧିକ ହେବ । ଗାଁର ରାଢୋ ଛକ ପୂର୍ତ ବିଭାଗ ରାସ୍ତା ଠାରୁ ରାଉତସାହି ଯାଏଁ ସଂଯୋଗ ହୋଇଥିବା ପ୍ରମୁଖ ଗ୍ରାମ୍ୟ ରାସ୍ତାଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଏହି ରାସ୍ତା ସହିତ ତିନିଗୋଟି ସାହିର ଅନ୍ୟ ରାସ୍ତା ମଧ୍ୟ ସଂଯୋଗ ହୋଇଛି । ତେଣୁ ରାତିପାହିଲେ ଗ୍ରାମବାସୀ ମାନେ ସାହି ରାସ୍ତାଦେଇ ପ୍ରମୁଖ ଗ୍ରାମ୍ୟ ରାସ୍ତାକୁ ଆସି ପୂର୍ତ ରାସ୍ତା ଦେଇ ବିଭିନ୍ନ ଆଡକୁ ଯାଇଥାନ୍ତି । ଏହି ଗ୍ରାମ୍ୟ ରାସ୍ତାଟି ଗମନାଗମନର ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ଏହାର ନବୀକରଣ କାର୍ଯ୍ୟ ନହେବା ପରିତାପର ବିଷୟ ପାଲଟିଛି । ପ୍ରାୟ ୧୫/୨୦ବର୍ଷ ପୂର୍ବରୁ ପଡ଼ିଥିବା ମୋରମ ଓ ମେଂଟାଲ ଧୀରେ ଧୀରେ ଉଠିଯିବା ସହିତ ଆଉକିଛି ମାଟିରେ ପୋତି ହୋଇଗଲାଣି । ଏବେ ରାସ୍ତା ତମାମ ଖାଲଖମାରେ ଭର୍ତି ହୋଇଯାଇଥିବା ବେଳେ ସାଇକେଲ ମୋଟର ସାଇକେଲ ତ ଦୂରର କଥା ଚାଲିଚାଲି ଯିବା ଗ୍ରାମବାସୀଙ୍କ ପାଇଁ କଷ୍ଟକର ହୋଇପଡୁଛି । ରାସ୍ତାର ଶଙ୍ଖୁଆ ସାହି ନିକଟ ନୟନଯୋରୀ ଉପରେ ଥିବା କର୍ଲଭର୍ଟଟି ପ୍ରାୟ ୭୦ ଭାଗ ଭାଙ୍ଗି ଗଲାଣି । ପଡ଼ିଥିବା ହୋମ ପାଇପ ମଧ୍ୟ ନଷ୍ଟ ହୋଇଯାଇଛି । ରାସ୍ତା ପାର୍ଶ୍ୱକୁ ଲାଗି ସ୍କୁଲ, ଶନିମନ୍ଦିର, ଇଲେକ୍ଟ୍ରି ସବ ଷ୍ଟେସନ ରହିଥିବା ବେଳେ ସକାଳୁ ରାତିଯାଏଁ ରାସ୍ତା ଉପରେ ଗ୍ରାମବାସୀ ମାନେ ଗମନାଗମନ କରିଥାନ୍ତି । ଗତ ଦାନା ବାତ୍ୟା ସମୟରେ ମାତ୍ରାଧିକ ବର୍ଷା ହେବାରୁ ରାସ୍ତାଟିର ଅର୍ଦ୍ଧାଧିକ ଭାଗ ବୁଡ଼ିଯାଇଥିଲା । ଫଳରେ ଗ୍ରାମବାସୀ ମାନେ ପ୍ରାୟ ୨୪ଘଂଟା ଧରି ଜଳବନ୍ଦୀ ହୋଇ ରହିଥିଲେ । ପାଣି କମିବା ପରେ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇଯାଇଛି । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ଗ୍ରାମ୍ୟ ରାସ୍ତାଟିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ପୂର୍ବରୁ ବାରମ୍ବାର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ବୈଠକରେ ଦାବି କରାଯାଇଥିଲେ ସୁଦ୍ଧା ତାହା ବିଫଳ ହୋଇଛି । ଏପଟେ ବ୍ଲକ ପ୍ରଶାସନ ହାତରେ ରହିଥିବା ରାସ୍ତାଟିର ଭାଗ୍ୟ ଆଜି ବି ସୁଦ୍ଧା ଅନ୍ଧାର ମଧ୍ୟରେ ପଡିଛି । ଗାଁ ଲୋକ ପୁଣି ୨୦ବର୍ଷ ପୂର୍ବ ଅବସ୍ଥାକୁ ଫେରିଯାଇ ଅସରାଏ ବର୍ଷା ହେଲେ ପାଣି କାଦୁଅରେ ଗମନାଗମନ କରୁଛନ୍ତି । ଯାହାକି ଶାସନ ବ୍ୟବସ୍ଥାକୁ ଅଟହାସ୍ୟ କରୁଛି । ତେଣୁ ଆଗାମୀ ଦିନରେ ଗ୍ରାମ୍ୟ ରାସ୍ତାଟିର ନବୀକରଣ କାର୍ଯ୍ୟ କରାନଗଲେ ବାଧ୍ୟହୋଇ ଗ୍ରାମବାସୀ ମାନେ ମୁଖ୍ୟ ରାସ୍ତାକୁ ଆସି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସୂଚନା ଦେଇଥିବା ବେଳେ ତୁରନ୍ତ ଏହା ଉପରେ ସାଂସଦ, ବିଧାୟକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ମଧ୍ୟ କରିଛନ୍ତି ।

Leave A Reply

Your email address will not be published.