ଅଳ୍ପଦିନପରେ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ

ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ


କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଡିସେମ୍ବର ୧ ରୁ ୫ କୋଣାର୍କ ଉତ୍ସବ ୨୦୨୪ ଆରମ୍ଭ ହେବ। ଏହି ଉତ୍ସବ ଅବସରରେ ୫ଦିନ ଧରି ଚନ୍ଦ୍ରଭାଗା ବେଳାଭୂମିରେ ଆରମ୍ଭ ହେବ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ। ଦେଶବିଦେଶରୁ ସୁନାମଧନ୍ୟ ବାଲୁକାଶିଳ୍ପୀ ମାନେ ଆସି ଏଇ ବେଳାଭୂମିର ବାଲୁକାରାଶି ଉପରେ ନିଜ ହାତ ସ୍ପର୍ଶରେ ଗଢିବେ ଅନନ୍ୟ କଳାକୃତି। ସେହିପରି ମାଘ ମାସରେ ଅନୁଷ୍ଠିତ ହେବ ପୁରୀ ଜିଲ୍ଲାର ଦିତୀୟ ବଡ଼ ଗଣପର୍ବ ମାଘ ବୁଡ଼। ପୁରାଣ ବର୍ଣ୍ଣିତ ଏହି ଚନ୍ଦ୍ରଭାଗା ବେଳଭୂମିରେ ସମବେତ ହେବେ ଲକ୍ଷ୍ ଲକ୍ଷ୍ ଶ୍ରଦ୍ଧାଳୁ। ତୀର୍ଥ ପୁଷ୍କରିଣୀ ସାନ୍ନ କରି ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ପୂଜାର୍ଚ୍ଚନା କରି ପ୍ରଭୁ କୃପା ଲାଭ କରିବେ। ହେଲେ ସରକାରଙ୍କ ଚନ୍ଦ୍ରଭାଗା ବେଳାଭୂମି ଉନ୍ନୟନ ମୂଳକ କାର୍ଯ୍ୟରେ ଲାଗିଛି ବ୍ରେକ। ସ୍ଵଳ୍ପ ସମୟ ମଧ୍ୟରେ ଦୁଇ ଦୁଇଟି ବଡ଼ କାର୍ଯ୍ୟକ୍ରମ ପାଖେଇ ଆସୁଥିବା ବେଳେ ପ୍ରଶାସନ ଗଭୀର ନିଦ୍ରାରେ ଥିବାରୁ ବୁଦ୍ଧିଜୀବୀ ମହଲରେ ଆଶଂକା ପ୍ରକାଶ ପାଇଛି।ଏଠାରେ ସୂଚନା ଥାଇପାରେକି ଚନ୍ଦ୍ରଭାଗା ପାରିପାର୍ଶ୍ଵିକ ଉନ୍ନତି କଳ୍ପେ ସରକାରଙ୍କ ପକ୍ଷରୁ ପ୍ରାୟ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରାଯାଇ ଥିବା ବେଳେ, ଚନ୍ଦ୍ରଭାଗା ବଜାର, ମେଳା ପଡିଆର ଉନ୍ନତିକରଣ, ଆଲୋକିକରଣ, ଯାନବାହାନ ପାର୍କିଂ, ପାଦଚଲା ରାସ୍ତା ଆଦି ନିର୍ମାଣ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ଦ୍ବାରା ସମସ୍ତ ପକ୍ରିୟା ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ଜାଗା ମାନଙ୍କରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ହେଲେ ଅଳ୍ପ କିଛି ଦିନ କାର୍ଯ୍ୟ ପରେ କାର୍ଯ୍ୟ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି।ମେଳା ପଡିଆ ସମେତ ବାଲୁକା କଳା ହେଉଥିବା ସ୍ଥାନରୁ ବାଲି କଢ଼ା ଯାଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଅନ୍ୟପଟେ ମେଳା ପଡିଆରେ ବାଲି ଗଦା କରାଯାଇ କୂତ୍ରିମ ବନ୍ତ ସୃଷ୍ଠି କରାଯାଇଛି।ଫଳରେ ଆଗାମୀ ଉତ୍ସବରେ ସମସ୍ୟା ସୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।ଏହି ଦୁଇ ଉତ୍ସବ ଆଉ ସ୍ଵଳ୍ପ ସମୟ ଥିବା ବେଳେ ପାରିପାର୍ଶିକ କାର୍ଯ୍ୟ ଆଳରେ ଖାଲ ଖମଣା କରି ପକାଇ ରଖିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତ୍ରିବ ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି।

Leave A Reply

Your email address will not be published.