ପୋଡ଼ି ପାଉଁଶ ହୋଇଗଲା ପାର୍ବଣର ସ୍ବପ୍ନ
ରାତିଅଧରେ ନିଆଁ ଲାଗିଲା। ପାର୍ବଣ ଋତୁ ଚାଲିଥିବାରୁ ବ୍ୟବସାୟୀମାନେ ନିଜ ଦୋକାନରେ ଉଛୁଳିବା ଭଳି ପରିମାଣର ସାମଗ୍ରୀ ରଖିଥିଲେ।
ଗୋଟିଏ ସ୍ଥାନରୁ ନିଆଁ ଆରମ୍ଭ ହୋଇ ଚାରିଆଡ଼କୁ ବ୍ୟାପିଗଲା। ଜାଣିବାବେଳକୁ ସାରା ଅଞ୍ଚଳ ନିଆଁରେ ଜଳୁଥିଲା।
ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ରାତିଅଧରେ ନିଆଁ ଲାଗିଲା। ପାର୍ବଣ ଋତୁ ଚାଲିଥିବାରୁ ବ୍ୟବସାୟୀମାନେ ନିଜ ଦୋକାନରେ ଉଛୁଳିବା ଭଳି ପରିମାଣର ସାମଗ୍ରୀ ରଖିଥିଲେ। ଗୋଟିଏ ସ୍ଥାନରୁ ନିଆଁ ଆରମ୍ଭ ହୋଇ ଚାରିଆଡ଼କୁ ବ୍ୟାପିଗଲା। ଜାଣିବାବେଳକୁ ସାରା ଅଞ୍ଚଳ ନିଆଁରେ ଜଳୁଥିଲା। ବ୍ୟବସାୟୀଙ୍କ ଭିତରୁ କେହି କେହି ସେଠାରେ ଥିଲେ, ଅନେକ ଦୋକାନ ବନ୍ଦକରି ଘରକୁ ଯାଇ ସାରିଥିଲେ। ଦୀପାବଳି ପାଇଁ କେହି କେହି ବି ଦୋକାନ ଖୋଲି ନଥିଲେ। ଯେଉଁମାନେ ଥିଲେ, ସେମାନେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାରି ନଥିଲେ। ନିଆଁରେ ପାଖାପାଖି ଥିବା ଛଅଟି ଦୋକାନ ନିମିଷକ ଭିତରେ ପୋଡ଼ି ପାଉଁଶ ହୋଇଗଲା। ତା’ ସହିତ ପୋଡ଼ିଗଲା ବର୍ଷ ବର୍ଷ ଧରି ପରିଶ୍ରମ କରି ଗଢ଼ିଥିବା ବ୍ୟବସାୟ। ଆଜି ସକାଳର ଦୃଶ୍ୟ ଥିଲା ଆହୁରି ଦୁଃଖଦ। କେହି ନିଜ ଦୋକାନ ଆଗରେ ମୁଣ୍ଡରେ ହାତ ଦେଇ ବସିଥିଲା ତ କେହି ନିଆଁରୁ ବଞ୍ଚିଥିବା ସାମଗ୍ରୀକୁ କାଢ଼ିବାକୁ ଚେଷ୍ଟା କରୁଥିଲା। ଆଉ କିଛି ବଞ୍ଜାରା ତଥା ଗରିବ ଲୋକ ବାହାରେ ଫିଙ୍ଗା ଯାଇଥିବା ଦରପୋଡ଼ା ଶାଢ଼ୀ ଗୋଟାଇ ନେଉଥିଲେ। ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିବା ଜାଣି ମଧ୍ୟ କିଛି ମହିଳା ଦୋକାନୀ ନିଜ ଦୋକାନ ପାଖରେ ମୁହଁ ଶୁଖାଇ ବସିରହିଥିଲେ। ଯିବାକୁ କହିଲେ ବି ଯାଉନଥିଲେ, ପଚାରୁଥିଲେ, ‘‘କେମିତି ଦୋକାନ ଛାଡ଼ିକି ଯିବି…!’’ ଏ ଦୃଶ୍ୟଥିଲା ପ୍ରତିଦିନ ସୁନ୍ଦର ଆଲୋକମାଳାରେ ଓ ମହିଳାମାନଙ୍କ ଭିଡ଼ରେ ଭରି ଉଠୁଥିବା ୟୁନିଟ-୨ ଭୂତଳ ମାର୍କେଟର। ଆଜି ସେ ଭିତରଟା ଅନ୍ଧାର ଓ ନିଃଶବ୍ଦ ହୋଇ ପଡ଼ିଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ କିଛି ଲୋକଙ୍କ କହିବା ଅନୁଯାୟୀ ବଜାରର ଗୋଟିଏ ଦୋକାନର ସର୍ଟସର୍କିଟରୁ ଏଭଳି ଘଟଣା ଘଟିଛି। ତେବେ ଆଉ କିଛି ଲୋକଙ୍କ କହିବା ଅନୁଯାୟୀ, କେହି ଧୂପ ବା ଦୀପ ଲଗାଇ ଦୋକାନ ବନ୍ଦ କରି ଯାଇଥିବାରୁ ଏପରି ଅଘଟଣ ଘଟିଛି।
ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ଅଗ୍ନିକାଣ୍ଡର ସୂଚନା ପାଇବା ପରେ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ନିଆଁକୁ ଆୟତ୍ତ କରିବାଲାଗି ସାଢ଼େ ୫ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା। ଅଘଟଣରେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜାଣିବାଲାଗି ପୁଲିସ ପହଞ୍ଚି ସେଠାକାର ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି। ନିଆଁରେ ଲକ୍ଷଲକ୍ଷ ଟଙ୍କାର ଶାଢ଼ୀ ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ଭୂତଳ ବଜାର ହେତୁ ନିଆଁ ଲିଭାରେ ବିଳମ୍ବ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପାର୍ବଣ ସମୟ ଏବଂ ଆଗକୁ ବିବାହ ଉତ୍ସବକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ବହୁ ଲୁଗାପଟା ଆଣି ରଖିଥିଲେ। ଏହି ସମୟରେ ପ୍ରତି ବର୍ଷ ଏଠାରେ ବିଭିନ୍ନ ଡିଜାଇନ୍ର ବ୍ଲାଉଜ, କୁର୍ତ୍ତି, ଗହଣା ଆଦିର ଗଦାଗଦା ସମ୍ଭାର ଦେଖିବାକୁ ମିଳେ। ଶସ୍ତାରେ ଜିନିଷ ମିଳି ଯାଉଥିବାରୁ ଶହଶହ ଲୋକ ଏଠାକୁ ଆସନ୍ତି। ତେବେ ବର୍ତ୍ତମାନ ଗୋଟିଏ ପଟେ ସାମଗ୍ରୀ ନଷ୍ଟ ଓ ଅନ୍ୟପଟେ ପୁଣି ଥରେ ଦୋକାନ ଖୋଲିବା ପାଇଁ ୧୫ ଦିନରୁ ଅଧିକ ସମୟ ଲାଗିବ। ସେଥିରେ ବ୍ୟବସାୟୀମାନେ ସୁଧହାରରେ ବୁଡ଼ିଯିବେ ଏବଂ ଦୋକାନରେ କାମ କରୁଥିବା ବହୁ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ କଷ୍ଟକର ହୋଇଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଏଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା କାରଣରୁ ଅଗ୍ନିକାଣ୍ଡକୁ ତୁରନ୍ତ ନିୟନ୍ତ୍ରଣ କରାଯାଇ ପାରିନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ବ୍ୟବସାୟୀମାନେ ୨୦୦୪-୨୦୦୫ରେ ୫ ଲକ୍ଷ ଟଙ୍କା ଦେଇ ଏହି ଦୋକାନଗୁଡ଼ିକୁ ଲିଜ୍ରେ ନେଇଥିଲେ। ୨୦୦୮-୨୦୦୯ରେ ସେମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ମିଳିଥିଲା। ପ୍ରତିମାସ ସେମାନେ ସାଧାରଣ ପ୍ରଶାସନ ବିଭାଗକୁ ୧,୦୦୦ ଟଙ୍କା ଭଡ଼ା ମଧ୍ୟ ଦେଉଛନ୍ତି। ତଥାପି ଏହି ବଜାର ଶ୍ରୀହୀନ ଅବସ୍ଥାରେ ପଡ଼ିଛି। ବଜାରର ଛାତର ବିଭିନ୍ନ ସ୍ଥାନରୁ ସିଲିଂ ଖସିଯାଇଥିବା ବେଳେ ଅଧିକାଂଶ ଏସି କାମ କରୁନଥିଲା। ଏପରିକି ପାନୀୟ ଜଳ ଓ ଶୌଚାଳୟ ଭଳି ମୌଳିକ ସୁବିଧା ମଧ୍ୟ ଏଠାରେ ନଥିଲା।