ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ୩ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଟଙ୍କା ଜରିମାନା

ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ତିନି ବର୍ଷ ଜେଲଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ହୋଇଛି। ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଜଜ ସସ୍ମିତା ପରହୀ ଜିଲ୍ଲାର ବଣାଇ ତହସିଲ ଅଧୀନରେ କାର୍ଯ୍ୟ କରିଥିବା ନୃସିଂହ ଚରଣ ତ୍ରିପାଠୀ (୭୮)ଙ୍କ ବିରୋଧରେ ହୋଇଥିବା ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୁନ୍ଦରଗଡ଼/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୩୦ ତାରିଖ ବୁଧବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସସ୍ମିତା ପାରହି ବଣାଇ ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ନୃସିଂହଚରଣ ତ୍ରିପାଠୀ (୭୮)ଙ୍କୁ ୩ ବର୍ଷ ଜେଲ୍ ଓ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍ ଦଣ୍ଡ ଅଧିକ ୬ ମାସ ବୃଦ୍ଧି ହେବ ବୋଲି ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ଶ୍ରୀ ତ୍ରିପାଠୀଙ୍କ ନାମରେ ୨୦୦୪ର ଏକ ଲାଞ୍ଚ ମାମଲା ମଧ୍ୟ କୋର୍ଟରେ ବିଚରାଧୀନ ରହିଛି।
ଆୟବର୍ହିଭୂତ ମାମଲାରେ ତତ୍କାଳୀନ ରାଜସ୍ବ ନିରୀକ୍ଷକ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ଥିଲା ୧୯୯୫ ମସିହା ଡିସେମ୍ବର ୨୯ ତାରିଖର ଘଟଣା। ଶ୍ରୀ ତ୍ରିପାଠୀଙ୍କ ସମ୍ପତ୍ତି ସେହି ସମୟରେ ଆୟ ତୁଳନାରେ ଢେର ଅଧିକ ଥିଲା।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ୨୯.୧୨.୧୯୯୫ରେ ଏକ ମାମଲା ରୁଜୁ କରିଥିଲା। ଆୟଠାରୁ ତାଙ୍କ ପାଖରେ ୩ ଲକ୍ଷ ୫୮ ହଜାର ୩୦ ଟଙ୍କା ଅର୍ଥାତ ୯୭.୬୪ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ରାଉରକେଲା ଭିଜିଲାନ୍ସ ନିରୀକ୍ଷକ ବିଷ୍ଣୁଚରଣ ଦାଶ ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ମାମଲାର ଶୁଣାଣି ଚାଲିଥିବା ବେଳେ ବୁଧବାର କୋର୍ଟ ଦଣ୍ଡାଦେଶ କରିଛନ୍ତି। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।