ବାତ୍ୟା ପରେ ବାତ୍ୟା ଯାଉଛି: ସୁଲୋଚନାଙ୍କ ମୁଣ୍ଡ ଉପରୁ ହଟୁନି ଜରିପାଲ

ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ବାତ୍ୟା ପରେ ବାତ୍ୟା ଯାଉଛି। ମାତ୍ର ବୃଦ୍ଧା ସୁଲୋଚନାଙ୍କ ମୁଣ୍ଡ ଉପରୁ ଜରିପାଲ ଯିବା ନାଁ ଧରୁନି। ବାତ୍ୟା ଆସିବା ବେଳେ ତାଙ୍କୁ ପ୍ରଶାସନ ନେଇ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍‌ କୋଠା କିମ୍ବା କ୍ଲବ୍‌ ଘରକୁ ନେଇ ଆଶ୍ରୟ ଦେଉଛି। ଦିନେ ଦି ଦିନ ଶୁଖିଲା ଓ ରନ୍ଧା ଖାଦ୍ୟ ଦେଇ ପୁଣି ଜରିପାଲ ତଳକୁ ଫେରାଇ ଦେଉଛି। ଘରକୁ ଫେରାଇବା ବେଳେ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ମାତ୍ର ପୁଣି ଏକ ବାତ୍ୟା ଆସୁଛି ସିନା ତାଙ୍କ ଆବାସ ଘରର ସ୍ବପ୍ନ ପୂରଣ ହୋଇପାରୁନି। ଆବାସ ଯୋଜନାରେ ଘର ପାଇବାକୁ ସୁଲୋଚନା ଯୋଗ୍ୟ ବୋଲି ସମସ୍ତେ କହୁଛନ୍ତି, ମାତ୍ର କୋଉଠି କ’ଣ ଦାଓପେଞ୍ଚ ରହୁଛି ଯେ ବୃଦ୍ଧ ସୁଲୋଚନାଙ୍କ ଆବେଦନ ଗ୍ରହଣ ହୋଇପାରୁନି।   ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ପଟୁପଡ଼ା ଗ୍ରାମରେ ରହୁଛନ୍ତି ବୃଦ୍ଧା ସୁଲୋଚନା ବେଦାନ୍ତ(୭୮)। ପରିବାର କହିଲେ ତାଙ୍କ ବିଧବା ବୋହୂ ଶାନ୍ତିଲତା ବେଦାନ୍ତ(୪୩), ନାତି ଅନୀଲ(୨୦) ଓ ନାତୁଣୀ ଯାଜ୍ଞସେନୀ(୧୭)। ବହୁ ପୂର୍ବରୁ ସ୍ବାମୀଙ୍କୁ ହରାଇଥିବା ସୁଲୋଚନାଙ୍କ ପରିବାରର ବୋଝ ସମ୍ଭାଳିଥିଲେ ଏକମାତ୍ର ପୁଅ ଅଲେଖ। ଚାଷ ପାଇଁ ଜମିବାଡ଼ି ନଥିଲେ ବି ଅଲେଖ ମୂଲପାତି ଲାଗି ପରିବାର ମୁହଁରେ ହସ ଖେଳାଇ ପାରୁଥିଲେ। ମାତ୍ର ବିଧିର ବିଧାନ ଥିଲା ବଡ଼ ଦୟନୀୟ। ୪୮ ବର୍ଷ ବୟସରେ ଅଲେଖଙ୍କ ମୃତ୍ୟୁ ହେଲା ଏବଂ ପରିବାର ଉପରେ ପଡ଼ିଲା ଚଡ଼କ। ଅଲେଖଙ୍କ ମୃତ୍ୟୁ ପରଠୁ ୪ପ୍ରାଣୀଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା କାଠିକର ପାଠ ହୋଇଗଲା। ଘରୁ ଗୋଡ଼ କାଢ଼ିଲେ ବୋହୂ ଶାନ୍ତିଲତା। ପରଘରେ କାମଧନ୍ଦା କରି ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି। ରାସନ ଚାଉଳ ସହିତ ସୁଲୋଚନା ଓ ବୋହୂଙ୍କୁ ମିଳୁଥିବା ଭତ୍ତା କିଛିଟା ସହଯୋଗ କରିଦେଉଛି।

ଦୈନଦିନର ଗୁଜରାଣ ମେଣ୍ଟାଇବା ଯେଉଁଠି ଏଭଳି ସ୍ଥିତିରେ, ସେଠାରେ ଘର ସଜାଡ଼ିବା କଥା କିଏ ବା ଚିନ୍ତା କରୁଛି। ଡିହ ଚାଖଣ୍ଡେରେ ଥିବା ଘରଟି ଭାଙ୍ଗିରୁଜି ଯିବା ପରେ ମରାମତି କରିପାରିଲେନି ସୁଲୋଚନା। ତେଣୁ ଚାଳଛପର ନଷ୍ଟ ହୋଇଗଲା। ବହୁ ଦିନ ହେଲା ଜରିପାଲ ପାଲଟିଛି ଭରସା। ଯେଉଁଠି ଚୁଲି, ସେଇଠି ବିଞ୍ଛଣା। ଜରିପାଲ ତଳେ ଥିବା ବଖୁରିକିଆ ଘରେ ୪ପ୍ରାଣୀଙ୍କ ଜୀବନ ବିତୁଛି। ବର୍ଷା ହେଲେ କଥା ସରିଲା। ଘରେ ପାଣି ପଶିଯାଉଥିବାରୁ ପାଖ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେବାକୁ ପଡ଼ୁଛି। ତେଣୁ ଆବାସ ଘର ପାଇଁ ବୃଦ୍ଧା ସୁଲୋଚନା ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ୍‌ ପର୍ଯ୍ୟନ୍ତ ଧାଇଁସାରିଲେଣି। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବି ଗୁହାରି କରିଛନ୍ତି। ମାତ୍ର ମୁଣ୍ଡ ଉପରୁ ଜରିପାଲ ଉଠିପାରୁନାହିଁ। ସରପଞ୍ଚ ରଶ୍ମିତା ସାହୁଙ୍କ କହିବା କଥା ବୃଦ୍ଧା ସୁଲୋଚନା ଆବାସ ଯୋଜନାରେ ଘର ପାଇବାକୁ ହକ୍‌ଦାର। କିନ୍ତୁ ସେ ନିର୍ବାଚିତ ହେବା ପରଠୁ ନୂଆ ଆବାସ ଘର ସ୍କିମ୍‌ ଆସିନାହିଁ।

Leave A Reply

Your email address will not be published.