ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ।

ଭାପୁର,୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ ଦାନା ‘ କୁ ନେଇ ସାଧାରଣ ଜନତା ଯେତିକି ଆତଙ୍କିତ ହୋଇଥିଲେ ସେତିକି ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ଦେଖି ମଧ୍ୟବିତ୍ତ ପରିବାର ତଥା ଗରିବ ଶ୍ରେଣୀ ର ପରିବାର କଷ୍ଟରେ ଜୀବନଯାପନ କରୁଛନ୍ତି। ଅସାଧୁ ବ୍ୟବସାୟୀ ମାନେ ଆଳୁ, ପିଆଜ, ଖାଇବା ତେଲ, ସୁଜି, ଅଟା, ଚୁଡ଼ା, ମହମବତୀ ଆଦିର ଅହେତୁକ ଦର ବୃଦ୍ଧି କରିଦେବା ଫଳରେ ସାଧାରଣ ଜନତା ବାତ୍ୟାକୁ ନେଇ ସନ୍ତୁଳିତ ହେଉଛନ୍ତି। ବିଶେଷକରି, ଭାପୁର ବଜାର, ବାହାଡା ବଜାର ଏବଂ ଗ୍ରାମାଞ୍ଚଳ ଦୋକାନ ଗୁଡ଼ିକରେ ଆଳୁ, ପିଆଜ, ଟମାଟୋ ଆଦିର କଳାବଜାରୀ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ, ଶୁକ୍ରବାର ଦିନ ବ୍ଲକ ଖାଦ୍ୟ ଯୋଗାଣ ବିଭାଗ ତରଫରୁ ବାହାଡ଼ା ବଜାର, ଭାପୁର ବଜାର, ଗୋଳାପୋଖରୀ ବଜାର, ବିଜିପୁର ବଜାର ମାନଙ୍କର ବିଭିନ୍ନ ପରିବା ଓ ରେସନ ସାମଗ୍ରୀ ଦୋକାନରେ ଚଢ଼ାଉ କରିଥିଲେ । ଉକ୍ତ ଚଢ଼ାଉ ସମୟରେ ଭାପୁର ବ୍ଲକ ଯୋଗାଣ ବିଭାଗ ଅଧିକାରୀ ରାଧାକାନ୍ତ ସାହୁ, ସହକର୍ମୀ କୃଷ୍ଣଚନ୍ଦ୍ର ନାୟକ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଏ ନେଇ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ସାହୁ କହିଛନ୍ତି , ସରକାରୀ ଦରଦାମ୍ ଅନୁଯାୟୀ ପ୍ରତ୍ୟେକ ଦିନ ଖାଉଟି ସାମଗ୍ରୀ ବିକ୍ରୟ କରିବା ସହିତ ପରିବା ବ୍ୟବସାୟୀ ମାନେ ଆଳୁ, ପିଆଜ, ଟମାଟୋ ଆଦି ବିଭିନ୍ନ ପରିବା ଗୁଡିକର ମୂଲ୍ୟ ଏକ ତାଲିକା ମାଧ୍ୟମରେ ଦୋକାନ ସମ୍ମୁଖରେ ଓହଳେଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତତ୍ ସହିତ ,ଏଥିରେ କୌଣସି ତ୍ରୁଟି ହେଲେ ସରକାରଙ୍କ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରିଛନ୍ତି ।

Leave A Reply

Your email address will not be published.