ହାଇଆଲର୍ଟରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର

କଟକ/ରାଜନଗର/କେନ୍ଦ୍ରାପଡ଼ା/ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍‌ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ନିଆଳି, କଣ୍ଟାପଡ଼ା ତଥା  ବିଭିନ୍ନ ବ୍ଲକ୍‌ ପରିଦର୍ଶନ କରି ପ୍ରସ୍ତୁତି ବ୍ୟବସ୍ଥାର ତଦାରଖ କରିଛନ୍ତି। ତଥ୍ୟ ଅନୁଯାୟୀ ଜିଲ୍ଲାର ୫ଶହ ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବାର ଯୋଜନା ରଖାଯାଇଥିବାବେଳେ ଜିଲ୍ଲାରେ ମୋଟ ୩୩ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରେ ସର୍ବାଧିକ ୭୨ଶହ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିବା ବେଳେ ତା’ ପରକୁ କଟକ ପୌର ନିଗମ ଅଞ୍ଚଳରେ ୭ହଜାର ଲୋକଙ୍କୁ ସ୍ଥାନାନ୍ତର ଯୋଜନା କରାଯାଇଛି। କଟକ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଟି ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି। ଜିଲ୍ଲାରେ ୨୯ଟି ବାତ୍ୟା ଆଶ୍ରୟସ୍ଥଳ ଓ ୫୮୫ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ପ୍ରବଳ ବର୍ଷ‌ା ହେଲେ ଜଳମଗ୍ନ ସମସ୍ୟା ହେବାକୁ ଥିବା ୩୪୬ଟି ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଛି। 

କଟକ ଜିଲ୍ଲାରେ ୩୩ ହଜାର ଲୋକ, ୫ ଶହ ଗର୍ଭବତୀଙ୍କୁ ସ୍ଥାନାନ୍ତର ଯୋଜନା
ରାଜନଗରରେ ସ୍ଥାନାନ୍ତର ହେବେ ୨୨ ହଜାର ଲୋକ
ଜଗତସିଂହପୁର ଜିଲ୍ଲାରେ କୂଳକୁ ଫେରିଲେ ୧୦ ହଜାର ମତ୍ସ୍ୟଜୀବୀ

 ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳକୁ ସବୁଠୁ ସମ୍ବେଦନଶୀଳ ବିବେଚନା କରାଯାଉଛି। ବିଶେଷକରି ବାଘମାରୀ, ତାଳଚୁଆ, କେରୁଆଁପାଳ, ରଙ୍ଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ, ଈଶ୍ବରପୁର, ଘଡ଼ିଆମାଳ, ଗୁପ୍ତି, ସାତଭାୟା, ବ୍ରାହ୍ମଣସାହି ଭଳି ପଞ୍ଚାୟତ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଜି ସଂଧ୍ୟାରେ ବାଉଁଶଗଡ଼ ନଦୀ ସେପଟରେ ଥିବା ମଗରକନ୍ଦା ଗାଁର ୪୦ ପରିବାରଙ୍କୁ ଘାଟ ପାରକରି ଓକିଲପାଳ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଛି। ରାଜନଗରରେ ୯୫୪ ବୋଟ୍‌ ଆଜି ସୁଦ୍ଧା କୂଳକୁ ଫେରିଆସିଛି। ରାଜନଗର ବ୍ଲକରେ ୪୫ଟି ବାତ୍ୟା ଆଶ୍ରୟସ୍ଥଳ ଓ ୮୦ଟି ଅସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇ ପ୍ରାୟ ୨୨ ହଜାର ଲୋକଙ୍କୁ ସ୍ଥାନାନ୍ତର ଯୋଜନା ରହିଛି। ଆସନ୍ତାକାଲି ଅପରାହ୍ଣରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଏନ୍‌ଡିଆରଏଫ୍‌ର ୨ଟି ଟିମ୍‌ ଆଜି ଅପରାହ୍‌ଣରେ କେନ୍ଦ୍ରାପଡ଼ାରେ ପହଞ୍ଚି ସାରିଥିବା ବେଳେ ରାତି ସୁଦ୍ଧା ୬ଟି ଓଡ୍ରାଫ୍‌ ସବ୍‌ଟିମ୍‌ ପହଞ୍ଚିବେ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ରାପଡା ଜିଲ୍ଲାରେ ୨୯୧ପ୍ରସୂତିଙ୍କ ମଧୢରୁ ୧୨୪ପ୍ରସୂତି ମହିଳାଙ୍କୁ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଅନ୍ୟମାନଙ୍କ ସ୍ଥାନନ୍ତର ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାରେ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। 

Leave A Reply

Your email address will not be published.