ଡାକ୍ତରଙ୍କୁ ଚାହିଁଚାହିଁ ଫେରୁଛନ୍ତି ରୋଗୀ
1 min read

ଡାକ୍ତରଙ୍କୁ ଚାହିଁଚାହିଁ ଫେରୁଛନ୍ତି ରୋଗୀ

ବାସନ୍ତୀ କଲୋନିର ଭୁବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାର ଲୋକ ତାଙ୍କୁ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲରେ ଭର୍ତ୍ତି କଲେ। ଏମିତିକି ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ମଧ୍ୟ ପିନ୍ଧାଇ ଦିଆଗଲା।

ରାଉର‌କେଲା/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବାସନ୍ତୀ କଲୋନିର ଭୁବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାର ଲୋକ ତାଙ୍କୁ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲରେ ଭର୍ତ୍ତି କଲେ। ଏମିତିକି ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ମଧ୍ୟ ପିନ୍ଧାଇ ଦିଆଗଲା। ହେଲେ ୫/୬ ଘଣ୍ଟା କାଳ ବେଡ୍‌ରେ ଅପେକ୍ଷା କରିବା ପରେ ଅନ୍ୟ ଦିନ ଆସିବାକୁ କହି ଫେରାଇ ଦିଆଗଲା। ଡାକ୍ତରଙ୍କ କହିବା ଅନୁସାରେ ସେ ପୁଣି ମେଡିକାଲରେ ଭର୍ତ୍ତି ହେଲେ। ପୋଷାକ ପିନ୍ଧି ବେଡ୍‌‌ରେ ଶୋଇଥିଲେ, କିନ୍ତୁ ପୂର୍ବପରି ସେମିତି ଫେରାଇ ଦିଆଗଲା। କେବଳ ଭୁବନାନନ୍ଦ ନୁହନ୍ତି, ଛେଣ୍ଡ କଲୋନି ସମେତ ସୁନ୍ଦରଗଡ଼ର ବିଭିନ୍ନ ବ୍ଲକ୍‌ ଏବଂ ଅନ୍ୟ ଜିଲ୍ଲାରୁ ଆସୁଥିବା ଶ୍ରମିକ ଓ ତାଙ୍କ ପରିବାରକୁ ଏମିତି ଫେରାଇ ଦିଆଯାଉଛି। ମାସ ମାସ ଧରି ଶହ ଶହ ରୋଗୀଙ୍କୁ ଏଭଳି ଧୋକା ଦିଆଯାଉଛି। ପ୍ରତିବାଦରେ ଶ୍ରମିକନେତାମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ଏହାର କୌଣସି ପ୍ରତିକାର କରାଯାଉନା‌ହିଁ। 

ନିର୍ଭରଶୀଳ ପଶ୍ଚିମ ଓଡ଼ିଶାର ଅଢ଼େଇ ଲକ୍ଷ ଶ୍ରମିକ ପରିବାର
୧୫୦ ଶଯ୍ୟା ହସ୍ପିଟାଲର ସ୍ବପ୍ନ ଦେଖାଉଛନ୍ତି

ସୁନ୍ଦରଗଡ଼ ସହିତ ପଶ୍ଚିମ ଓଡ଼ିଶାର ପ୍ରାୟ ୨ ଲକ୍ଷ ୫୦ ହଜାର ବୀମାଭୁକ୍ତ ଶ୍ରମିକ ଓ ତାଙ୍କ ପରିବାରର ପ୍ରାୟ ୬୦%ରୁ ଅଧିକ ରୋଗୀ ସ୍ବାସ୍ଥ୍ୟସେବାରେ ପ୍ରତାରଣାର ଶିକାର ହେଉଛନ୍ତି। ବିଡ଼ମ୍ବନା ହେଉଛି, ୫୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ପଦ ବର୍ଷ ବର୍ଷ ଧରି ପୂରଣ ହେଉନାହିଁ। ୩୯ ଡାକ୍ତର ଆବଶ୍ୟକ ଥିଲାବେଳେ ଅଛନ୍ତି ମାତ୍ର ୨୨ ଡାକ୍ତର। ନିଶ୍ଚେତକ, ଶଲ୍ୟ ଓ ଭେଷଜ ବିଭାଗର ଡାକ୍ତର ଆଜି ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହାନ୍ତି। ଏକ୍ସ-ରେ ମେସିନ୍‌ ଏବେ ଆସିଲା। ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ମେସିନ୍ କେବେ ଆସିବ, କାହାରି ପାଖରେ ଉତ୍ତର ନାହିଁ। ଗତ ତିନି ଦିନ ତଳେ ଦିଲ୍ଲୀରେ ଇଏସ୍ଆଇ ସେଣ୍ଟ୍ରାଲ୍‌ ବୋର୍ଡର ବୈଠକ ବସିଥିଲା। ଦେଶର ଅନ୍ୟ ଇଏସ୍ଆଇ ମଡେଲ୍‌ ହସ୍ପିଟାଲ ପରି ରାଉରକେଲାକୁ ଗୁରୁତ୍ବ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ୫୦ ଶଯ୍ୟାକୁ ବୃଦ୍ଧି କରି ୧୫୦ ଶଯ୍ୟା କରାଯିବ ବୋଲି କୁହାଯାଉଛି। ୫୦ ଶଯ୍ୟା ହସ୍ପିଟାଲରେ ରୋଗୀମାନଙ୍କୁ ଚିକିତ୍ସା ତ ମିଳୁନି, ୧୫୦ ଶଯ୍ୟା ହସ୍ପିଟାଲ ସ୍ବପ୍ନ। ପ୍ରତିବର୍ଷ ୫ ଜଣ ଡାକ୍ତର ଦିଲ୍ଲୀରୁ ଏହି ହସ୍ପିଟାଲକୁ ହାଉସ୍‌ ସର୍ଜନ ପାଇଁ ଆସିଥାନ୍ତି। ଗୁରୁତର ରୋଗୀଙ୍କୁ ଏହି ହସ୍ପିଟାଲରୁ ଓଡ଼ିଶା ଡାକ୍ତରମାନେ ଲେଖିଥିବା ଔଷଧ ବିତରଣ କେନ୍ଦ୍ରରେ ମିଳୁନାହିଁ। ବିଭିନ୍ନ ରକ୍ତ ପରୀକ୍ଷାର ସମୟ ସକାଳ ସାଢ଼େ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ଦେଢ଼ଟା ପର୍ଯ୍ୟନ୍ତ ଚାଲିବା ନିୟମ ରହିଛି। ପରୀକ୍ଷା ରିପୋର୍ଟ ଅପରାହ୍ନ ସାଢ଼େ ୩ଟାରେ ଆସେ। ସେତେବେଳକୁ ଡାକ୍ତରମାନେ ଚାଲିଯାଇଥାନ୍ତି। ଯାହା ଫଳରେ ରୋଗୀମାନେ ପରାମର୍ଶ ବିନା ବା ତା’ ପରଦିନ ପରାମର୍ଶ ପାଇଁ ଅପେକ୍ଷା କରନ୍ତି।

ଡାକ୍ତର ଓ କର୍ମଚାରୀମାନେ ଠିକ୍‌ ସମୟରେ ହସ୍ପିଟାଲକୁ ଆସୁନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ସୁଷମ ଖାଦ୍ୟ ମିଳୁନି। ଏଭଳି ସମସ୍ୟାକୁ ମେଡିକାଲ ଅଧୀକ୍ଷକ ଯେତିକି ଗୁରୁତ୍ବ ଦେବା କଥା ସେତିକି ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି। ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ୍‌ ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ କହିଛନ୍ତି, ବହୁଦିନର ଦାବି ପରେ ଡାକ୍ତର ନିଯୁକ୍ତି ହୋଇଛନ୍ତି। ହେଲେ ଆବଶ୍ୟକ ଡାକ୍ତର ପଦ ପୂରଣ ଦିଗରେ ବିଭାଗୀୟ ଅଧିକାରୀ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି।

Leave a Reply

Your email address will not be published. Required fields are marked *