ସ୍ପା ଓ ମହିଳା କର୍ମଚାରୀଙ୍କ ତଥ୍ୟ ରଖିବ ପୁଲିସ
1 min read

ସ୍ପା ଓ ମହିଳା କର୍ମଚାରୀଙ୍କ ତଥ୍ୟ ରଖିବ ପୁଲିସ

ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ବଡ଼ଗଡ଼ ଥାନା ରବି ଟକିଜ୍‌ ଛକ ଅଞ୍ଚଳର ଡାଇମଣ୍ଡ୍‌ ସେଲୁନ ଆଣ୍ଡ ସ୍ପା ମାମଲାକୁ ନେଇ ଖୋଳତାଡ଼ ଜାରି ରହିଛି। ଜଣେ ନାବାଳିକାଙ୍କୁ ଏଠାରେ ଅର୍ଥ ଲୋଭ ଦେଖାଇ ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି ପ୍ରମାଣ ମିଳିବା ପରେ ସ୍ପା ପରିଚାଳନା କରୁଥିବା ଜଣେ ଯୁବତୀ ପ୍ରତିଭା ରାଣୀ ରାଉତ ଓରଫ ଖୁସି ଓ ତାଙ୍କ ପୁରୁଷବନ୍ଧୁ ରାଜ୍‌ ପଟ୍ଟନାୟକ ଓରଫ୍ ଦୀପୁକୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ସ୍ପା’ର ମାଲିକଙ୍କୁ ପୁଲିସ ନୋଟିସ୍ କରିଛି। ତାଙ୍କୁ ପଚରାଉଚରା କରିବାକୁ ବଡ଼ଗଡ଼ ଥାନା ପୁଲିସ ଥାନାକୁ ଡାକିଛି। ମାତ୍ର ଘଟଣାର ୨୪ ଘଣ୍ଟା ବିତିବା ପରେ ବି ସେ ଥାନାକୁ ଆସିନାହାନ୍ତି। ତେଣୁ ସ୍ପାରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ସବୁ ତାଙ୍କ ଜାଣତରେ କି ଅଜାଣତରେ ହେଉଥିଲା, ତାହା ସ୍ପଷ୍ଟ ହୋଇନାହିଁ। ରାଜ୍‌ ଓ ଖୁସିକୁ ଢାଲ କରି ପରଦା ଆଢ଼ୁଆଳରେ ମାଲିକ ଏଠାରେ ଦେହ ବେପାର ଭଳି କଳା କାରବାର କରୁଥିଲେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। 

ସମ୍ପ୍ରତି ରାଜଧାନୀରେ ଯେତେ ସବୁ ସ୍ପା ରହିଛି, ସେସବୁର ଡାଟାବେସ୍‌ ରଖିବାକୁ ଡିସିପି ଶ୍ରୀ ମିଶ୍ର ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। କମିସନରେଟ୍‌ ପୁଲିସର ସମସ୍ତ ଥାନା ନିଜ ନିଜ ଅଞ୍ଚଳରେ ବେପାର କରୁଥିବା ସ୍ପାଗୁଡ଼ିକର ତଥ୍ୟ ରଖିବେ। ସେଠାରେ କାମ କରୁଥବା ମହିଳା ଓ ପୁରୁଷ କର୍ମଚାରୀମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ପୁଲିସ ରେକର୍ଡରେ ରହିବ। ଫଳରେ ଏହା ଉଭୟ ସ୍ପା ମାଲିକ ଓ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ଭଲ ହେବ। କେବଳ ସ୍ପା ନୁହେଁ, ପାର୍ଲରଗୁଡ଼ିକ ମଧ୍ୟ ପୁଲିସର ଏହି ନିର୍ଦ୍ଦେଶ ମାନିବାକୁ ବାଧ୍ୟ। ସମ୍ପ୍ରତି ରାଜଧାନୀର କଳେବର ବଢ଼ୁଛି ଏବଂ ଛତୁ ଫୁଟିବା ଭଳି ସ୍ପା ତଥା ମାସାଜ୍‌ ସେଣ୍ଟର ଗଢ଼ିଉଠୁଛି। ଗଳିକନ୍ଦିରେ ସ୍ପା ଖୋଲି ଯୁବତୀଙ୍କୁ ଅନୈତିକ କାମରେ ନି‌ୟୋଜିତ କରାଯାଉଛି। ଅଭିଯୋଗ ଆସିବା ପରେ ହିଁ କିଛିର ଖୁଲାସା ହେଉଛି ସିନା ବହୁତ ମାମଲା ରଫାଦଫା ହୋଇଯାଉଛି। ଆଖିରେ ଆଙ୍ଗୁଠି ଗେଞ୍ଜି ଏଭଳି ଅନୈତିକ କାରବାର ଚାଲିଛି। ଏଥିରେ ଅଙ୍କୁଶ ଲାଗିବା ଜରୁରି। ତେଣୁ ଡିସିପି ଶ୍ରୀ ମିଶ୍ର ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ଜରିଆରେ ରାଜଧାନୀର ସମସ୍ତ ସ୍ପା ଓ ପାର୍ଲର୍‌ଗୁଡ଼ିକୁ ସ୍କାନର୍‌ରେ ରଖିବାକୁ ଯୋଜନା କରିଛନ୍ତି। ଆଜି ଡିସିପିଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି। ଅନେକ ଲୋକ ଏହାକୁ ସ୍ବାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *