ଓଏଏସ୍‌ ରେଜଲ୍ଟ-୨୦୨୨ ପ୍ରକାଶିତ: ୬୮୩ ଜଣ କୃତକାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପରିଚାଳିତ ବହୁ ପ୍ରତିକ୍ଷୀତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା-୨୦୨୨ର ଫଳ ଶନିବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଶୀର୍ଷ ୧୦ ନମ୍ବରରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି। ରାଜ୍ୟର ଶୀର୍ଷସ୍ତରର ପରୀକ୍ଷାରେ ଶ୍ବେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ତାଲିକାର ଦ୍ବିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା ଥିବା ବେଳେ ତୃତୀୟ ସ୍ଥାନରେ ଦୀପ୍ତିରଂଜନ ପତି ଅଛନ୍ତି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ପ୍ରଜ୍ଞା ପାରଙ୍ଗମ ଓ ଆଜାଦ କୁମାର ସାହୁ ଅଛନ୍ତି। ଦୀପମ ରାଉତ, ଦେବବ୍ରତ ଗୌଡ଼ ଯଥାକ୍ରମେ ୬ଷ୍ଠ ଓ ୭ମ ସ୍ଥାନରେ ଥିବା ବେଳେ ଆଦିଦ୍ୟ ଦୀପଙ୍ଗର ଷଡ଼ଙ୍ଗୀ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ନବମରେ କପିଳ କୁମାର ମହାନ୍ତି ଥିବା ବେଳେ ଦଶମରେ ଅମ୍ରିତା ସାହୁ ସ୍ଥାନ ପାଇଛନ୍ତି। ଏହି ୧୦ ଜଣଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ସାମାଜିକ ଓ ଆଥିର୍କ ପଛୁଆ ବର୍ଗ (ଏସ୍‌ଇବିସି)ର ଅଛନ୍ତି। କିନ୍ତୁ ଏମାନେ ସମସ୍ତେ ଅଣସଂରକ୍ଷିତ ବର୍ଗରେ ଚୟନିତ ହୋଇଛନ୍ତି।

-ଶ୍ବେତାଶ୍ରୀ ମହାପାତ୍ର, ଓଏଏସ୍‌ ଟପ୍ପର

ସୂଚନାଯୋଗ୍ୟ, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ ପାଇଁ ୨୦୨୨ରେ ମୋଟ ୯୨,୯୧୪ ଜଣ ଆଶାୟୀ ଆବେଦନ କରିଥିଲେ। ପରୀକ୍ଷା ଦେଇଥିଲେ ୪୦୫୮୬ ଜଣ। ପ୍ରବେଶିକା ପରୀକ୍ଷାରେ ମୋଟ ୮୨୨୦ ଜଣ କୃତକାର୍ଯ୍ୟ ହୋଇଥିଲେ।  ମୁଖ୍ୟ ଲିଖିତ ପରୀକ୍ଷା ଗତ ଫେବ୍ରୁଆରି ୨୫, ୨୬, ୨୮, ମାର୍ଚ୍ଚ ୧ ଓ ୩ ତାରିଖ ହୋଇଥିଲା। ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ସାକ୍ଷାତକାର ଗତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଜାରି ଥିଲା। ସେମାନଙ୍କ ମଧ୍ୟରୁ ୧୩୬୬ ଜଣ ଦସ୍ତାବିଜ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୬୮୩ ଜଣ କୃତକାର୍ଯ୍ୟ ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି। ଅଣସଂରକ୍ଷିତ ବର୍ଗରେ ୩୮୭ ଜଣ, ପଛୁଆ ବର୍ଗରେ ୭୧ ଜଣ, ଅନୁସୂଚିତ ଜାତି ବର୍ଗରେ ୮୯ ଜଣ, ଅନୁସୂଚିତ ଜନଜାତି ବର୍ଗରେ ୧୩୬, ପୂର୍ବତନ ସାମରିକ  ସେବା କର୍ମଚାରୀ ବର୍ଗରେ  ୧୪, କ୍ରୀଡ଼ାବିତ ବର୍ଗରେ ଜଣେ ଓ ଶାରୀରିକ ଅକ୍ଷମ ବର୍ଗରେ ୨୩ ଜଣ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଆଜି ଓପିଏସି ନିଜର ୱେବ୍‌ସାଇଟ୍‌ http://opsc.gov.inରେ ରେଜଲ୍ଟ ଜାରି କରିଛି। ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଏହାରି ମାଧ୍ୟମରେ ଜାଣି ପାରିବେ। 

Leave A Reply

Your email address will not be published.