ସାକାର ହେବ ଗ୍ରୀଡ଼ ନିର୍ମାଣ
ଟିଟିଲାଗଡ଼,୧୬-୧୦-୨୦୨୪(ପିପିଏସ) : ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ରେ ବିଦ୍ୟୁତ ଗୁଲ, ବିଦ୍ୟୁତ କାଟ ନେଇ ଅନେକ ଆନ୍ଦୋଳନସହ ମାମଲା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଛି l ହେଲେ ଏହାର ସମାଧାନ କେବେ ହୋଇପାରିନାହିଁ l ଦୀର୍ଘ ୨୪ ବର୍ଷ ଧରି ଶାସନ ଗାଦିରେ ରହିଥିବା ବିଜେଡ଼ି ସରକାର ଟିଟିଲାଗଡ଼ ଠାରେ ଏକ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ଼ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଦାବିକୁ ଅଣଶୁଣା କରିଥିବା ଅଭିଯୋଗ ହୋଇଛି l ତେବେ ରାଜ୍ୟରେ ନୂତନ ଭାବରେ ବିଜେପି ସରକାର ଗଠନ ପରେ ଶକ୍ତି ବିଭାଗ ଦାୟିତ୍ୱରେ ରହିଥିବା ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଖୁସିର ଖବର ଦେଇଥିବା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ସୂତ୍ରରୁ ଜଣାପଡିଛି l ଆଜି ରାଜଧାନୀସ୍ଥିତ ଲୋକସେବା ଭବନ ଠାରେ ଶକ୍ତି ବିଭାଗ ପକ୍ଷରୁ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଟିଟିଲାଗଡ ଠାରେ ୧୩୨/୩୩ ଗ୍ରିଡ ସବଷ୍ଟେସନ ନିର୍ମାଣ ପାଇଁ ଶକ୍ତି ମନ୍ତ୍ରୀ ବିଭାରୀୟ ଓପିଟିସିଏଲ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦେଶ ଦେଇଛନ୍ତି l ବୈଠକରେ ଗ୍ରିଡ ନିର୍ମାଣ ପାଇଁ ଜମି ଚୟନ ଏବଂ ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହ ଆଗାମୀ ୨ ବର୍ଷ ମଧ୍ୟରେ ଗ୍ରିଡ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତତଲାଗଡ଼ବାସିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ପଦେକ୍ଷପ ଗ୍ରହଣ କରିଥିବାରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହ ଦେଓଙ୍କ ଠାରେ ଅଞ୍ଚଳବାସୀଙ୍କ ତରଫରୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଟିଟିଲାଗଡ଼ ବିଧାୟକ ଶ୍ରୀ ଜୈନ କହିଛନ୍ତି l