ରାଜ୍ୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌: ଦିବ୍ୟମ୍‌, ସ୍ବିଟିପ୍ରିୟାଙ୍କୁ ଦ୍ବିମୁକୁଟ
1 min read

ରାଜ୍ୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌: ଦିବ୍ୟମ୍‌, ସ୍ବିଟିପ୍ରିୟାଙ୍କୁ ଦ୍ବିମୁକୁଟ

ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ସ୍ଥାନୀୟ ‌ପୋଖରୀପୁଟସ୍ଥିତ ମଲ୍ଟିପର୍ପୋଜ୍‌ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ନିଖିଳ ଓଡ଼ିଶା କନିଷ୍ଠ (୧୯ ବର୍ଷରୁ କମ୍‌) ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀରର ଦିବ୍ୟମ କେଜ୍ରୀୱାଲ ଓ ସ୍ବିଟିପ୍ରିୟା ପ୍ରଧାନ ଦୁଇଟି ଲେଖାଏଁ ବର୍ଗରେ ବିଜେତା ହୋଇ ଦ୍ବିମୁକଟ ହାସଲ କରିଛନ୍ତି। ବାଳକ ବିଭାଗ ଏକକ ଫାଇନାଲ୍‌ରେ ଦିବ୍ୟମ ୨୧-୧୮, ୨୧-୮ରେ ବାଲେଶ୍ବରର ଜ୍ୟୋତିସୂର୍ଯ୍ୟ ପରମାଣିକଙ୍କୁ ପରାସ୍ତ କରିଥିଲେ। ଏହା ପରେ ଦିବ୍ୟମ ଯୁଗଳ ବର୍ଗ ଫାଇନାଲ୍‌ରେ ବାପୁନ ରାଉତଙ୍କୁ ସାଥି କରି ମୟୂ‌ରଭଞ୍ଜ ଯୋଡ଼ି ଶୁଭ୍ରକେତନ ମଲ୍ଲିକ ଓ ଶ୍ରୀୟାଂଶ ଜେନାଙ୍କୁ ୨୨-୨୪, ୨୧-୧୩, ୨୧-୧୪ରେ ପରାସ୍ତ କରିଥିଲେ। ବାଳିକା ଏକକ ଫାଇନାଲ୍‌ରେ ସୁନ୍ଦରଗଡ଼ର ଗୀତାଶ୍ରୀ ଖୋର୍ଦ୍ଧାର ଆଦ୍ୟା ପାଢ଼ୀଙ୍କୁ ୨୧-୭, ୨୧-୧୩ରେ ପରାସ୍ତ କରି ବିଜୟିନୀ ହୋଇଥିଲେ। ରାୟଗଡ଼ାର ସ୍ବିଟିପ୍ରିୟା ପ୍ରଧାନ ବାଳିକା ଯୁଗଳ ଓ ମିଶ୍ରିତ ଯୁଗଳରେ ଟ୍ରଫି ଜିତି ଦ୍ବିମୁକୁଟ ପାଇଥିଲେ। ଆଦ୍ୟା ପାଢ଼ୀଙ୍କୁ ସାଥି କରି ସ୍ବିଟିପ୍ରିୟା ସମ୍ବଲପୁର-ଖୋର୍ଦ୍ଧା ଯୋଡ଼ି ଅଶ୍ବିକା ମିଶ୍ର-ସିରିନ୍ ସିଦ୍ଦିକ୍‌ଙ୍କୁ ପରାସ୍ତ କରିଥିଲେ। ମିଶ୍ରିତ ଯୁଗଳରେ ଶୁଭ୍ରକେତନ ମଲ୍ଲିକ ଓ ସ୍ବିଟିପ୍ରିୟା ପ୍ରଧାନ ୨୧-୧୧, ୨୧-୧୬ରେ ସାଇ କେଶବ ମୋଦୀ (ମୟୂରଭଞ୍ଜ) ଓ ସିରିନ୍‌ ସିଦ୍ଦିକ୍ (‌ଖୋର୍ଦ୍ଧା)ଙ୍କୁ ପରାସ୍ତ କରିଥିଲେ।

ଏକକ ବିଜେତାଙ୍କୁ ୬,୦୦୦ ଟଙ୍କା ଏବଂ ଯୁଗଳ ବିଜେତା ଯୋଡ଼ିଙ୍କୁ ୭,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ମୋଟ ୧୦୩ ଖେଳାଳି ଅଂଶଗ୍ରହଣ କରିଥିବାବେଳେ ମୋଟ ୯୫,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଅକ୍ଟୋବର ୧୯ ତାରିଖରୁ ସମାନ ଷ୍ଟାଡିୟମ୍‌ରେ ରାଜ୍ୟ ମିନି (୧୧ ବ‌ର୍ଷରୁ କମ୍) ଏବଂ ଉପକନିଷ୍ଠ (୧୩ ବର୍ଷରୁ କମ୍‌) ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୋମବାର ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଯତିନ ମହାନ୍ତି, କ୍ରୀଡା ଓ ଯୁବସେବା ବିଭାଗର ଯୁଗ୍ମସଚିବ ଶୈଳେନ୍ଦ୍ର କୁମାର ଜେନା, ସ୍ୱରୂପ ନନ୍ଦନ ବେହେରା, ରାମଗୋବିନ୍ଦ ପରିଡ଼ା ଏବଂ ଧୀରାଜ ପଟ୍ଟନାୟକ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ବ୍ୟାଡମିଣ୍ଟନ୍ ସଂଘ ସଂପାଦକ ନିଲିନ କୁମାରଙ୍କ ତତ୍ୱାବଧାନରେ ଏହି ପ୍ରତିଯୋଗିତାକୁ ସାଂଗଠନିକ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ, ସଂଯୋଜକ ଅଜିତ ମହାନ୍ତି, ଅବଦୁଲ ହାକିମ୍‌, ସୌଭାଗ୍ୟ ଜଗଦେବ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *