ରେକର୍ଡ କଲା ଓଡ଼ିଆ ଚଳଚିତ୍ର ‘କର୍ମ’
1 min read

ରେକର୍ଡ କଲା ଓଡ଼ିଆ ଚଳଚିତ୍ର ‘କର୍ମ’

ପ୍ରଥମ ଦିନରେ ୩୭ ଲକ୍ଷର ବ୍ୟବସାୟ

‘ଭିଲେନ୍‌’, ‘ଦୁର୍ଗା’, ‘ଖୋକାଭାଇ ତୁମ ପାଇଁ’ ‌ଦେଖିବାକୁ ଭିଡ଼
ଦ୍ବିତୀୟ ଥର ମୈଦାନକୁ ଆସିଥିବା ‘ଦମନ’ ବି ପଛରେ ନାହିଁ

ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ ପ୍ରଥମ ଦିନରୁ ହିଁ ଗୋଟିଏ ରେକର୍ଡ କରିଛି। ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ୩୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି, ଯାହା ଓଡ଼ିଆ ଫିଲ୍ମର ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ଅନ୍ୟ ଏକ ଖୁସିର କଥା ହେଲା, ଓଡ଼ିଶା ବାହାରେ ମଧ୍ୟ କର୍ମ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମଟି ଆସନ୍ତାକାଲି, ଅର୍ଥାତ୍‌ ଶୁକ୍ରବାରରେ ପୁନେ, ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇରେ ରିଲିଜ୍‌ ହେବବୋଲି ଖବର ମିଳିଛି। ଫିଲ୍ମଟି ଭବିଷ୍ୟତରେ ଆଉକିଛି ରେକର୍ଡ କରିବାର ସମ୍ଭାବନା ଅଛି ବୋଲି ଚର୍ଚ୍ଚା ହେଉଛି।ତେବେ ସବୁଠୁ ବଡ଼କଥା ହେଉଛି, ଏଥର ଦଶହରା ବଜାରରେ ଓଡ଼ିଆ ସିନେମା କମାଲ୍‌ କରୁଛି। ଏକାଥରେ ୫ଟି ସିନେମା ଓଡ଼ିଶାର ବିଭିନ୍ନ ହଲ୍‌ରେ ଦର୍ଶକଙ୍କ ଭଲ ପାଇବା ସାଉଁଟୁଛି। ଏ ପୂଜାରେ ୪ଟି ନୂଆଫିଲ୍ମ- ‘କର୍ମ’, ‘ଭିଲେନ୍‌’, ‘ଖୋକାଭାଇ ତୁମପାଇଁ’ ଓ ‘ଦୁର୍ଗ‌ା’ ରିଲିଜ୍‌ ହୋଇଥିବା ବେଳେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଫିଲ୍ମ ‘ଦମନ’ ମଧ୍ୟ ପୁଣି ଥରେ ହଲ୍‌କୁ ଆସିଛି। ଏ ଫିଲ୍ମଗୁଡ଼ିକର କାହାଣୀଠାରୁ ଆରମ୍ଭ କରି ସଙ୍ଗୀତ, ଆକ୍ସନ ଓ ରୋମାନ୍ସ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ସବୁଠୁ ଖୁସିର କଥା ହେଉଛି, ଓଡ଼ିଆ ଫିଲ୍ମ ବିଷୟରେ ଦର୍ଶକଙ୍କ ଭାବନା ବି ବଦଳିବା ଭଳି ଦେଖାଯାଉଛି। ଗାଁଠୁ ସହର ଯାଏ ସବୁଠି ଓଡ଼ିଆ ଫିଲ୍ମ ‌ଦେଖିବାକୁ ହଲ୍‌ରେ ଦର୍ଶକଙ୍କ ଭିଡ଼ ଲାଗୁଛି।  
‘କର୍ମ’ର ନାୟକ ଅନୁଭବ ମହାନ୍ତିଙ୍କ ସମେତ ଚୌଧୁରୀ ଜୟପ୍ରକାଶଙ୍କ ଅଭିନୟକୁ ଦର୍ଶକ ଭୁରି ଭୁରି ପ୍ରଶଂସା କରୁଛନ୍ତି। ରିଲିଜ୍ ପୂର୍ବରୁ ଏହାର ଦୁଇଟି ଗୀତ- ‘ଚିରିଙ୍ଗ୍‌ ଚିରିଙ୍ଗ୍‌’ ଓ ‘ଧିତାଙ୍ଗ୍ ଧିତାଙ୍ଗ୍’ ଦର୍ଶକଙ୍କ ମତୁଆଲା କରି ସାରିଥିଲା। ଫିଲ୍ମଟି ସେ ଲୋକପ୍ରିୟତାରୁ ବେଶ୍ ଉପକୃତ ହୋଇଛି। ତେବେ ଅନୁଭବଙ୍କ ଲୋକପ୍ରିୟତା ଓ ତାଙ୍କୁ ନେଇ ଦର୍ଶକଙ୍କ ଭିତରେ ଥିବା କୌତୂହଳ ସହିତ ନିର୍ଦ୍ଦେଶକ ଅନୁପମ ନିକଟ ଅତୀତରେ ହାସଲ କରିଥିବା ଦର୍ଶକୀୟ ଆଦୃତି ଏ ସିନେମାଟିକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଇଛି କହିଲେ ଭୁଲ୍‌ ହେବନି। ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କୁ ସମର୍ପିତ ଫିଲ୍ମ ‘ଖୋକାଭାଇ ତୁମପାଇଁ’।

ଏଥିରେ ଅକ୍ଷୟ ମହାନ୍ତିଙ୍କ ୧୦ଟି ଗୀତକୁ ସ୍ଥାନ ଦିଆଯାଇଛି, ଯାହା ଫିଲ୍ମର ମୁଖ୍ୟ ଆକର୍ଷଣ। ‘ଖୋକାଭାଇ ତୁମପାଇଁ’ର ନିର୍ଦ୍ଦେଶନା ଦେଇଛନ୍ତି ଗିରିଶ ମହାନ୍ତି ଏବଂ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ। ଓଡ଼ିଶାର ୨୮ଟି ହଲ୍‌ରେ ପଡ଼ିଛି ଏହି ଫିଲ୍ମ। ଏ ଫିଲ୍ମଟି ଜରିଆରେ ଓଡ଼ିଆ ଦର୍ଶକ ପ୍ରଥମ ଥର ପାଇଁ ନୂଆଯୋଡ଼ି ସ୍ବରାଜ ଓ ଲକି ମନୀଷାଙ୍କ ସହ ଅଭିନେତ୍ରୀ ଅଙ୍କିତା ଦାସଙ୍କୁ ବି ଦେଖିବେ। ଅନ୍ୟପକ୍ଷରେ ‘ଦୁର୍ଗା’ କେବଳ ପୁରୀ ସହରରେ ରିଲିଜ୍‌ ହୋଇଛି। ପ୍ରଥମ ୭ ଦିନ ପରେ ଏହାକୁ ଅନ୍ୟ ହଲ୍‌ରେ ରିଲିଜ୍‌ କରିବାର ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା। ପ୍ରୀତମ ସାହୁ ଏହାର ପ୍ରଯୋଜନା ଦାୟିତ୍ବରେ ଥିବା ବେଳେ ତାପସ ସରଘରିଆ ନିର୍ଦ୍ଦେଶନା ଦେଇଛନ୍ତି। ମୁଖ୍ୟ ଭୂମିକାରେ ପୁନମ ମିଶ୍ର, ବଲିଉଡ୍‌ ଅଭିନେତ୍ରୀ ଇଶା ଅଗ୍ରୱାଲ, ରାଜେଶ ରାଜ୍‌, ଅଭିଷେକ ଗିରି ଓ ହରିହର ମହାପାତ୍ର ଅଛନ୍ତି। ଆକ୍ସନ ଫିଲ୍ମ ‘ଭିଲେନ୍‌’ରେ ଅର୍ଦ୍ଧେନ୍ଦୁ ନିଜର ଦମ୍‌ଦାର୍‌ ପ୍ରଦର୍ଶନ କରିଛନ୍ତି। ପ୍ରତିଦିନ ସାରାରାଜ୍ୟରେ ‘ଭିଲେନ୍‌’ର ୪୦ରୁ ଅଧିକ ସୋ’ ଚାଲିଛି। ଏ ଫିଲ୍ମଟିକୁ କେ. ମୁରଲୀ କ୍ରୀଷ୍ଣା ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ ଅର୍ଦ୍ଧେନ୍ଦୁଙ୍କ ସହିତ ତମନ୍ନା, ଉଷସୀ ମିଶ୍ର, ସମରେଶ, କେକେ, ଶକ୍ତି ବରାଳ, ବ୍ରଜ ସିଂ, ଇଲୁ ବାନାର୍ଜୀ, ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି।

ଅନ୍ୟପକ୍ଷରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ସହିତ ଜାତୀୟସ୍ତରରେ ସ୍ବୀକୃତି ପାଇଥିବା ଓଡ଼ିଆ ଫିଲ୍ମ ‘ଦମନ’କୁ ଏଇ ପୂଜାରେ ପୁଣିଥରେ ‘ରିଲିଜ୍‌’ କରାଯାଇଛି। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଭଳି ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ବାବୁଶାନ୍‌ ମହାନ୍ତି କେନ୍ଦ୍ରୀୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ପ୍ରଯୋଜକ ଦୀପ ସାମଲ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୌର୍ଯ୍ୟ।

Leave a Reply

Your email address will not be published. Required fields are marked *