ବିଏମ୍‌ସି ହରାଇଲା ୧୦୦କୋଟିର ସମ୍ପତ୍ତି
1 min read

ବିଏମ୍‌ସି ହରାଇଲା ୧୦୦କୋଟିର ସମ୍ପତ୍ତି

ସ୍ଲମ୍‌ କ୍ବାର୍ଟର୍ସ ମାମଲା ହାରିବା ପରେ ତନାଘନା

ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ନିୟମିତ ଅବହେଳା ପାଇଁ ବିଏମ୍‌ସି କ୍ଷତି ସହୁଛି। ସାଧାରଣ ଲୋକଙ୍କ ଠାରୁ ଆସୁଥିବା ରାଜସ୍ବ ଭୂତ ଖାଉଛି। ଏଣେ ସାଧାରଣ ଲୋକ ବି ନ୍ୟାୟ ପାଉ ନାହାନ୍ତି, ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଭଳି ତ’ ଗଦା ଗଦା ଉଦାହରଣ ରହିଛି। କିନ୍ତୁ ବିଏମ୍‌ସି ସ୍ଲମ୍‌ କ୍ବାର୍ଟର୍ସ ମାମଲାରେ ସୁପ୍ରିମକୋର୍ଟରେ ହାରିବ‌ା ପରେ ଅବହେଳାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାହା ଅବହେଳା ପାଇଁ ଏଭଳି ଶହେ କୋଟି ଟଙ୍କାର ସମ୍ପତ୍ତି ବିଏମ୍‌ସି ହାତରୁ ଚାଲିଗଲା ତାହାର ତଦନ୍ତ କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଛି। 

ନିୟମିତ ଅବହେଳା ପାଇଁ ବିଏମ୍‌ସି କ୍ଷତି ସହୁଛି। ସାଧାରଣ ଲୋକଙ୍କ ଠାରୁ ଆସୁଥିବା ରାଜସ୍ବ ଭୂତ ଖାଉଛି। ଏଣେ ସାଧାରଣ ଲୋକ ବି ନ୍ୟାୟ ପାଉ ନାହାନ୍ତି, ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଚିଠି ଆସିବା ପରେ ତନାଘନା ହୋଇଛି। ସ୍ଲମ୍‌ କ୍ବାର୍ଟର୍ସ ସହ ବିଏମ୍‌ସିର ଆଇନ ଉପବିଭାଗରେ ଅଯୋଗ୍ୟ କର୍ମଚାରୀଙ୍କ ହାତରେ ଗୁରୁ ଦାୟିତ୍ବ ରହିଥିବା ନେଇ ଅଭିଯୋଗର ମଧ୍ୟ ତଦନ୍ତ ହେବାକୁ ଯାଉଛି। ଯାହା ଫଳରେ କେବଳ ସ୍ଲମ୍‌ କ୍ବାର୍ଟର୍ସ ନୁହେଁ, ବରଂ ଏଭଳି ଅନେକ ମାମଲା ରହିଛି ଯେଉଁଥିରେ ବିଏମ୍‌ସି ହାରିଛି ଓ ମାମଲା ପରିଚାଳନାରେ ବିଏମ୍‌ସିର ମୋଟା ଅଙ୍କର ଅର୍ଥ ବରବାଦ ହୋଇଛି। ନିର୍ଦ୍ଦିଷ୍ଟ କିଛି ଦିନ ମଜୁରିଆ ଏହି ଉପବିଭାଗକୁ ବିଭିନ୍ନ ପର୍ଯ୍ୟାୟରେ ୧୨ ବର୍ଷ ଧରି ମାଡ଼ି ବସିଛନ୍ତି। ଯାହାଙ୍କର ଅବହେଳା ପାଇଁ ବିଏମ୍‌ସି ଅପଦସ୍ତ ହେଉଛି। 

ବିଗତ ୧୨ ବର୍ଷ ମଧ୍ୟରେ ଏହି ଉପ ବିଭାଗକୁ କୌଣସି ଉଚ୍ଚପଦସ୍ଥ ଅଧିକାରୀ ପରିଦର୍ଶନ କରିନାହାନ୍ତି କିମ୍ବା ବିଭାଗର କାର୍ଯ୍ୟ ତନଖି କରିନାହାନ୍ତି। ଏହି ଉପ ବିଭାଗ ପାଇଁ ନିଯୁକ୍ତ ହେଉଥ‌ିବା ଓକିଲଙ୍କ ବିଷୟରେ ମେୟରଙ୍କୁ ଉପେକ୍ଷା କରାଯାଇଛି। ବିନା ବଜେଟ୍ ବ୍ୟବସ୍ଥାରେ ଏହି ଉପ ବିଭାଗ ପରିଚାଳନା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି ଉପ ବିଭାଗ ପାଇଁ ଯେଉଁ ଗାଡ଼ି ବ୍ୟବହାର ହେଉଛି ତାହା ଭଡ଼ାରେ ଅଣାଯାଉଛି। ଭଡ଼ାଗାଡ଼ି ବାବଦରେ ପ୍ରତି ବର୍ଷ ୬ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାକୁ ଗାଡ଼ି ବ୍ୟବହାର ପାଇଁ ଯୋଗ୍ୟ ନଥିବା କର୍ମଚାରୀ ବ୍ୟବହାର କରୁଛନ୍ତି ଓ ଅଧିକାଂଶ ନିଜ ବ୍ୟକ୍ତିଗତ ବ୍ୟବହାରରେ ଲଗାଉଥିବା ଅଭିଯୋଗ ହୋଇଛି। ଏ ସବୁ ଅଭିଯୋଗର ମଧ୍ୟ ତଦନ୍ତ କରି ରିପୋର୍ଟ ଦେବାକୁ ବିଭାଗ ଚିଠି ଲେଖିଛି। 

  • ତଦନ୍ତ ନିର୍ଦ୍ଦେଶ
  • ସ୍ଲମ୍‌ କ୍ବାର୍ଟର୍ସ ମାମଲା ହାରିବା ପରେ ତନାଘନା
  • ମାମଲା ପରିଚଳନା‌ ଖର୍ଚ୍ଚ ଭରଣା କରିବାକୁ ଦାବି

ତେବେ ସ୍ଲମ୍‌ କ୍ବାର୍ଟର୍ସ ମାମଲାରେ ଗୁରୁତର ଅବହେଳା କରାଯାଇଥିବା ବିଭାଗୀୟ ସଚିବଙ୍କୁ ଅଭିଯୋଗ କରାଯାଇଛି। ବିଏମ୍‌ସିର ଅବହେଳା ପାଇଁ ୧୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକାନା ହାତରୁ ଖସି ଯିବାକୁ ବସିଛି। ୧୯୬୩ରୁ ୧୯୬୬ ମଧ୍ୟରେ ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଜମି ଓ ସରକାରଙ୍କ ଅନୁଦାନ ଓ ଋଣ ଟଙ୍କାରେ ୧୨୦ଟି ସ୍ଲମ୍‌ କ୍ବାର୍ଟର୍ସ ନିର୍ମାଣ ହୋଇଥିଲା। ଏଗୁଡ଼ିକ ବିଏମ୍‌ସି(ତତ୍‌କାଳୀନ ଭୁବନେଶ୍ବର ମୁନିସିପାଲିଟି)ର କର୍ମଚାରୀ, ସରକାରୀ କର୍ମଚାରୀ ଓ ଅନ୍ୟମାନଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତରେ ଯୋଗାଇ ଦିଆଯାଇଥିଲା। ସର୍ତ୍ତ ନମାନି ବହୁ ଲୋକ ସେହି କ୍ବାର୍ଟର୍ସ ବିକ୍ରି କରି ଦେଇଥିଲେ। କେବଳ ଆବାସିକ ବ୍ୟବହାର ପାଇଁ ସର୍ତ୍ତ ରହିଥିଲେ ମଧ୍ୟ କେତେକ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ। ବିଏମ୍‌ସିର କିଛି କର୍ମଚାରୀ ଅବସର ପରେ ମଧ୍ୟ କ୍ବାର୍ଟର୍ସ ନ ଛାଡ଼ି ଜବରଦସ୍ତୀ ରହିଥିଲେ। କ୍ବାର୍ଟର୍ସ ଖାଲି କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସେମାନଙ୍କୁ ନୋଟିସ କରିଥିଲା। ନୋଟିସ ବିରୋଧରେ କିଛି କର୍ମଚାରୀ ହାଇକୋର୍ଟ ପହଞ୍ଚିଥିଲେ। ହାଇକୋର୍ଟରେ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରିପାରି ନଥିବାରୁ ବିଏମ୍‌ସି ବିପକ୍ଷରେ ରାୟ ପ୍ରକାଶ ପାଇଥିଲା। ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଇଥିଲା। ସେଠାରେ ମଧ୍ୟ ବିଏମ୍‌ସି ମାମଲା ହାରିଗଲା।

ଫଳରେ ଏହି ସମ୍ପତ୍ତି ଉପରୁ ବିଏମ୍‌ସି ଅଧିକାର ହରାଇବାକୁ ବସିଛି। ଶହେ କୋଟିର ସମ୍ପତ୍ତି ଏବେ ଘରୋଇ ମାଲିକାନାକୁ ଚାଲି ଯିବାକୁ ବସିଛି। ଏଣୁ ବିଏମ୍‌ସି କାହିଁକି ହାରିଲା ତାହାର ତଦନ୍ତ ହେବା ସହ ଯାହାଙ୍କ ଅବହେଳା ପାଇଁ ଏ ବାବଦରେ ହୋଇଥିବା ଖର୍ଚ୍ଚ ବରବାଦ ହୋଇଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ ହୋଇଛି। ଖର୍ଚ୍ଚ ହୋଇଥିବା‌ ଅର୍ଥ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଭରଣା କରିବାକୁ ଅଭିଯୋଗପତ୍ରରେ ଦର୍ଶାଯାଇଛି। ତା’ ସହିତ ଏହି ଆଇନ ଉପ ବିଭାଗରେ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରୁଥିବା କର୍ମଚାରୀଙ୍କ ସ୍ଥାନାନ୍ତର, ଯୋଗ୍ୟତା ନଥାଇ ଡିଏଲ୍‌ଆର ଓ ସିଏଲ୍‌ଆର ପଦରେ କାମ କରୁଥିବା କର୍ମଚାରୀଙ୍କ କାର୍ଯ୍ୟର ଅନୁସନ୍ଧାନ କରିବାକୁ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *