ବିଷ ବଳୟରେ ତାଳଚେର
1 min read

ବିଷ ବଳୟରେ ତାଳଚେର

ଦେଶର ଆର୍ଥିକ ବିକାଶ‌ରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି।

ତାଳଚେର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଦେଶର ଆର୍ଥିକ ବିକାଶ‌ରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। କିନ୍ତୁ ତାଳଚେରର ପ୍ରାକୃତିକ ପରିବେଶ ଉଜୁଡ଼ିବାରେ ଲାଗିଛି। ବାୟୁମଣ୍ଡଳରେ କୋଇଲା ଗୁଣ୍ଡ, ଧୂଳି, ଧୂଆଁ। ଜଳ ଉତ୍ସଗୁଡ଼ିକ ମଧ୍ୟ ପ୍ରଦୂଷଣରୁ ବାଦ୍‌ ପଡ଼ିନାହିଁ। ପ୍ରଦୂଷଣର ବିଷ ବଳୟ ମଧ୍ୟରେ ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଉପଯୁକ୍ତ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବାରୁ ପ୍ରଦୂଷଣ ବଢ଼ି ଚାଲିଛି।

ତାଳଚେରରେ ଅଛି ୭ଟି ଖୋଲାମୁହଁ କୋଇଲା ଖଣି। ଏହି ଖଣିମାନଙ୍କରେ ପ୍ରାୟତଃ ପ୍ରତିଦିନ ନିଆଁ ଲାଗୁଛି। ଏଥି ପାଇଁ ଅସହ୍ୟ ତାତି, ଗୁଳୁଗୁଳି ବଢ଼ୁଛି। ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି। ତାଳଚେର ଲିଙ୍ଗରାଜ, ଭୁବନେଶ୍ବରୀ, ଭରତପୁର, ଜଗନ୍ନାଥ, ଅନନ୍ତ, ବଳରାମ, ହିଙ୍ଗୁଳା କୋଇଲା ଖଣି ପ୍ରଭୃତିରେ ଅନେକ ସମୟରେ କୋଇଲା ପୋଡ଼ିଯାଉଛି। ଖଣିରେ ଗଚ୍ଛିତ କୋଇଲା ଗଦାରେ ମଧ୍ୟ ନିଆଁ ଲାଗୁଛି। ଫଳରେ ହଜାର ହଜାର ଟନ୍‌ କୋଇଲା ନଷ୍ଟ ହେବା ସହିତ ଉତ୍ତାପ ବୃଦ୍ଧି ପାଉଛି। ଏହି ନିଆଁକୁ ଆୟତ୍ତ କରିବାକୁ ଖଣି କର୍ତ୍ତୃପକ୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ତାହା କେବଳ କାଗଜ କଲମରେ। ଆବଶ୍ୟକ ପରିମାଣ ପାଣି ପକାଯାଉ ନଥିବାରୁ କୋଇଲା ନିଆଁ ଲିଭୁନାହିଁ।

ପ୍ରଦୂଷଣ ବଢ଼ାଉଛି କୋଲ୍‌ ୱାସରି
 ତାଳଚେର ବ୍ଲକ୍‌ ଅଞ୍ଚଳରେ ଥିବା କୋଲ୍‌ ୱାସରି ପ୍ରଦୂଷଣର ଅନ୍ୟତମ କାରଣ ପାଲଟିଛି। ତାଳଚେର ବ୍ଲକ୍‌ ଘଣ୍ଟପଡ଼ା ଗାଁ ମୁଣ୍ଡ‌ରେ ‘ଗ୍ଲୋବାଲ୍‌ କୋଲ୍‌ ୱାସରି’ ଥିବାବେଳେ  ତାଳଚେର ଓ  ଛେଣ୍ଡିପଦା ବ୍ଲକ୍‌ ସୀମାରେ  ଅଛି ଏସିବି କୋଲ୍‌ ୱାସରି। ବହୁବର୍ଷ ହେଲା ଏହି ୱାସରି କାର୍ଯ୍ୟ କରୁଛି। ଏଥିରେ ପ୍ରତିଦିନ ହଜାର ହଜାର ଟନ୍‌ କୋଇଲା ସଫା କରି ରାଜ୍ୟ ଓ ରାଜ୍ୟ ବାହାରକୁ ଟ୍ରେନ୍‌ରେ ପଠାଯାଉଛି। ପ୍ରଦୂଷଣ ରୋକିବା ପାଇଁ ୱାସରି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଏଠାରେ ଥିବା କୋଇଲା ଷ୍ଟାକ୍‌ରେ ନିଆଁ ଲାଗୁଛି। କୋଇଲା ଗୁଣ୍ଡ ନଉଡ଼ିବା ପାଇଁ ଅଞ୍ଚଳରେ ଓ ରାସ୍ତାରେ ପାଣି ସିଞ୍ଚନ ବ୍ୟବସ୍ଥା ଥିଲେ ବି ତାହା ହେଉନାହିଁ। କୋଲ୍‌ ୱାସରି ଦ୍ବାରା ଡଅଁରା, ଜାମ୍ବୁବାହାଳୀ, ଲକେଇପଶି, ନତଡ଼ା, ମହୀତଳା, ଆମ୍ବପାଳ, କଳମଛୁଇଁ, ବଲଣ୍ଡା, ଘଣ୍ଟପଡ଼ା, ଚାଳଗଡ଼, ଟାଉନ୍‌ସିପ୍‌, ବନ୍ତୁଲ ପ୍ରଭୃତି ଗ୍ରାମରେ ପ୍ରଦୂଷଣ ବୃଦ୍ଧି ପାଇଛି। ଅଞ୍ଚଳରେ କୋଇଲା ଗୁଣ୍ଡ, ଧୂଳିର ଆସ୍ତରଣ ଜମିଯାଉଛି। ଜନସାଧାରଣ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ ହୋଇଛି। ଅଞ୍ଚଳର ଅନେକ ଲୋକ ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଏ ସଂପର୍କ‌ରେ ବାରମ୍ବାର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗରେ ଅଭିଯୋଗ କରିଥିଲେ ବି କିଛି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଅଞ୍ଚଳବାସୀ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ସୂଚନା‌ ମିଳିଛି। 

କଟୁଛି ଜଙ୍ଗଲ, ବଢ଼ୁଛି ତାତି 
ତାଳଚେର ଖଣି ଖଦାନ ପାଇଁ ହଜାର ହଜାର ଏକର ଅଞ୍ଚଳରୁ ଜଙ୍ଗଲ କଟାଯାଇଛି। ତେଣୁ କେବଳ ଗ୍ରୀଷ୍ମଋତୁ ନୁହେଁ, ବର୍ଷାଋତୁରେ ବି ଅସହ୍ୟ ଗରମ, ଗୁଳୁଗୁଳି ଲାଗିରହିଛି। ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟ ପାଇଁ ଉତ୍ତାପ ବୃଦ୍ଧି ପାଉଥିବା ମତ ପ୍ରକାଶ ପାଇଛି। ତାଳଚେର ବନାଞ୍ଚଳ‌ ଅନ୍ତର୍ଗତ କଳମଛୁଇଁ, ସୋଲଡ଼ା, ଲକେଇପଶି, କନ୍ଧବେରଣୀ, ଏକଡାଳ, ରାକଶ, ହିଲୋଇ, ଜୋରାଗାଡ଼ିଆ, ପଦ୍ମାବତୀପୁର, ଶିବରାମପୁର ଆଦି ଅଞ୍ଚଳରେ କୋଇଲା ଖଣି ରହିଥିବାରୁ ଏମ୍‌ସିଏଲ୍‌ ପକ୍ଷରୁ ଉକ୍ତ ଅଞ୍ଚଳର ଜଙ୍ଗଲ କାଟି ଦିଆଯାଇଛି। ଯେତିକି ଗଛ କଟାଯାଉଛି ସେହି ପରିମାଣରେ ଗଛ ଲଗାଯାଉ ନାହିଁ। କୋଇଲା ପରିବହନ ପାଇଁ ଚାଲିଛି ହଜାର ହଜାର ଗାଡ଼ି। ଗୋଟିଏ ପଟେ ଜଙ୍ଗଲ ନଷ୍ଟ, ଅନ୍ୟପଟେ ବହୁ ଗାଡ଼ି ଚଳାଚଳ, ଶିଳ୍ପ କାରଖାନା ପାଇଁ ପ୍ରଦୂଷଣ ସୀମା ଟପୁଛି। ଅଞ୍ଚଳର ଅନେକ ବୃଦ୍ଧ, ବୃଦ୍ଧା କହିଛନ୍ତି, ସେମାନେ ତାଙ୍କ ଜୀବନ‌ରେ ଏଭଳି ଗରମ, ଗୁଳୁଗୁଳି ଭୋଗିନଥିଲେ। ତାଳଚେର ସହରରେ ୫ ବର୍ଷ ପୂର୍ବରୁ ଏଭଳି ଅବସ୍ଥା ନଥିଲା।  ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ସମସ୍ତ ରେକର୍ଡ ଟପିଯାଇଥିଲା ବୋଲି ପରିବେଶବିତ୍‌ ବାଉରୀବନ୍ଧୁ ବେଜ କହିଛନ୍ତି।

ଭୂକମ୍ପ ଜୋନ୍‌‌
 ରାଜ୍ୟରେ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳ ଏକ ଭୂକମ୍ପ ପ୍ରବଣ ଅଞ୍ଚଳ।। ତାଳଚେର ଅଞ୍ଚଳର ଭୂଗର୍ଭ କୋଇଲା ଖଣି ଭୂମିକମ୍ପ ଆଶଙ୍କାକୁ ଅଧିକ ବଢ଼ାଇ ଦେଇଛି। ୧୯୨୮ ମସିହାରୁ ତାଳଚେର ଭୂଗର୍ଭରୁ କୋଇଲା ଉତ୍ତୋଳନ ଜାରି ରହିଛି।  ତାଳଚେର ସହର, ନନ୍ଦିରା ଓ ବଲଣ୍ଡା ଅଞ୍ଚଳରେ ଭୂଗର୍ଭ କୋଇଲା ଖଣି ରହିଛି। ତାଳଚେର ସହରର ହାଣ୍ଡିଧୂଆଁ ଏବଂ ଚମ୍ପାପଶି ଇନ୍‌କ୍ଲାଇନ୍‌ ଖଣିରୁ ପର୍ଯ୍ୟାପ୍ତ ପରିମାଣରେ କୋଇଲା କାଢ଼ି ନିଆଯାଇଛି। ଏହି କୋଇଲା ଖଣିରୁ ଯେତିକି କୋଇଲା ଉତ୍ତୋଳନ କରାଯିବ, ସେଠାରେ ସେତିକି ପରିମାଣ ବାଲି ଭର୍ତ୍ତି କରାଯିବା ନିୟମ ରହିଛି। କିନ୍ତୁ ଏହି ନିୟମ ଠିକ୍‌ ଭାବେ ପାଳନ କରାଯାଉନାହିଁ। ଫଳରେ ହାତଗଣତି କେତୋଟି କୋଇଲା ଖୁମ୍ବ ଉପରେ ତାଳଚେର ସହର ତିଷ୍ଠି ରହିଛି। ଏଥିଯୋଗୁଁ ତାଳଚେରବାସୀ ସର୍ବଦା ଭୟରେ କାଳ କାଟୁଛନ୍ତି। ମାଟି ଦବିଯିବା, କୂଅ, ପୋଖରୀରେ ହଠାତ୍‌ ପାଣି ନରହିବା, ଘର ଭୁଶୁଡ଼ି ପଡ଼ିବା ଇତ୍ୟାଦି ଘଟଣା ବାରମ୍ବାର ଘଟୁଛି। ତାଳଚେରର ଜନସାଧାରଣ, ଜନପ୍ରତିନିଧି ତମ୍ବିତୋଫାନ କଲେ ଖଣି କର୍ତ୍ତୃପକ୍ଷ କିଛି ଜାଗାରେ ବାଲି ଭର୍ତ୍ତି କରନ୍ତି। ବାସ୍ତବ‌ରେ କେତେ ବାଲି ଭର୍ତ୍ତି କରାଯାଉଛି ତାହା ଅନୁଧ୍ୟାନ କରାଯାଉନାହିଁ।

କୋଇଲା ଗାଡ଼ିରେ ଭିଡ଼ା ଯାଉନି ପାଲ
ଟ୍ରେନ୍‌ ହେଉ କି ଟ୍ରକ୍‌; ଯେଉଁଥିରେ ବି କୋଇଲା ପରିବହନ କଲେ ଉପରେ ପାଲ ଢାଙ୍କିବା ନିୟମ ରହିଛି। ତାଳଚେର କୋଇଲା ଖଣି, କୋଲ୍‌ ୱାସରିରୁ ଟ୍ରେନ୍‌ ଓ ଟ୍ରକ୍‌ରେ କୋଇଲା ପରିବହନ ବେଳେ ଏହି ନିୟମ ପାଳନ କରାଯାଉ ନାହିଁ।  ଫଳରେ ବହୁ ପରିମାଣ ‌କୋଇଲା ଗୁଣ୍ଡ ରାସ୍ତାରେ ଉଡ଼ି ପରିବେଶ ପ୍ରଦୂଷଣ ବଢ଼ାଉଛି। ଏଥି ଯୋଗୁଁ ଜଳଉତ୍ସ, ଚାଷଜମି ଆଦି ଦୂଷିତ ହେଉଛି। କୋଇଲା ପରିବହନବେଳେ ପାଲ ଘୋଡ଼ାଇବା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଗେଜେଟ୍‌ରେ ନୋଟିସ୍‌ ଜାରି କରାଯାଇଛି। ନଚେତ୍‌  ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି। ତେବେ ତାଳଚେରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଞ୍ଚଳରୁ ରେଳ ୱାଗନ୍‌ରେ ମାଲ ପରିବହନ ବେଳେ ପାଲ ଭିଡ଼ାଯାଉଛି। ଏ ସମ୍ବନ୍ଧରେ ତାଳଚେରର ବରିଷ୍ଠ ନାଗରିକ, ଶ୍ରମିକ ସଂଗଠନ, ରାଜନୈତିକ ସଂଗଠନ ଓ ପରିବେଶବିତ୍‌ମାନେ ଏମ୍‌ସିଏଲ୍‌, ରେଳ ବିଭାଗ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ  ପଦକ୍ଷେପ ନିଆଯାଉନାହିଁ।  

Leave a Reply

Your email address will not be published. Required fields are marked *