ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଏବେ ବି ପୁରୀରେ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି । ସେହିପରି ଗୁଣ୍ଡିଚା ମନ୍ଦିର ଆଖପାଖ ଅଞ୍ଚଳରେ ବି ପାଣି ଜମିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏପଟେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚଲିଙ୍ଗେଶ୍ବର ମନ୍ଦିରରେ ଦର୍ଶନ ବନ୍ଦ ହୋଇଛି । ପ୍ରବଳ ବର୍ଷା ଓ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ବାଲେଶ୍ବର ନୀଳଗିରି ସ୍ଥିତ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଝରଣା ପାଣିର ସ୍ରୋତ ବହୁ ପ୍ରଖର ଥିବାରୁ ପଞ୍ଚଲିଙ୍ଗ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତ ଦର୍ଶନ କରିନପାରିବାରୁ ନିରାଶ ହୋଇଛନ୍ତି ।
ଅନ୍ୟପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଭୁବନେଶ୍ବର ଓ କଟକରେ ସକାଳୁ ବର୍ଷା ଜାରି ରହିଛି । ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସେପଟେ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଭୁବନେଶ୍ବର ଓ କଟକ ସମେତ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସତର୍କତା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ, ମୟୂରଭଂଜ ଓ ଗଂଜାମ ।